କେଶାଇପାଲିରେ ନୃସିଂହ ଜନ୍ମୋତ୍ସବ ଉଦଯାପିତ

ଭଟଲି,୧୨।୫(ସଂସ୍କୃତି ମିଡ଼ିଆ)– ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ଗ୍ରାମର ନୃସିଂହ ମନ୍ଦିରରେ ମହାସମାରୋହରେ ଅନୁଷ୍ଠିତ ହୋଇଥିବା ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ସୋମବାର ଉଦଯାପିତ ହୋଇଯାଇଛି। ଏହି ଉତ୍ସବ ନାଟ୍ୟାଭିନୟ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ପରିବେଷଣ କରାଯାଇଥିଲା। ବୈଶାଖ ପୂର୍ଣ୍ଣିମା ସୋମବାର ଦିନ ସୂର୍ଯ୍ୟପୂଜା, ଋଦ୍ରାଭିଷେକ, ନୃସିଂହ ମହାପ୍ରଭୁଙ୍କର ଉପଚାର ପୂଜନ ପୂର୍ବକ ଚନ୍ଦନ ପୂର୍ଣ୍ଣମୀ ବିହିତ ପୂଜନୋତ୍ସବ ପୂର୍ବାହ୍ନ ୧୨ ସମୟରେ ଗୀତା ଯଜ୍ଞ, ଅପରାହ୍ନ ସମୟରେ ପୂର୍ଣ୍ଣାହୂତି ମହାଧ୍ଵଜା ରୋହଣ, ସାମୁହିକ ଆଶୀର୍ବାଦ ପ୍ରଦାନ ପୂର୍ବକ ଅନ୍ନପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଭକ୍ତ ପ୍ରହଲ୍ଲାଦଙ୍କର ସଂକୀର୍ତ୍ତନ୍ୟ ଦଳ ସହ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ବିଷ୍ଣୁ ଭକ୍ତଙ୍କୁ ପାଇ ଗ୍ରାମବାସୀ ନିଜ ନିଜ ଗୃହ ସମ୍ମୁଖରେ ଝୋଟି, ରଙ୍ଗୋଲୀ ଅଙ୍କନ କରି କଳସ, ଜାଗର ବସାଇ ପଦଧୋଇ ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟାରେ ମନ୍ଦିରରେ ମହାପ୍ରଭୁଙ୍କୁ ସନ୍ଧ୍ୟା ଆଳତୀ ପ୍ରଦାନ ପୂର୍ବକ ତ୍ରୀଦିନାତ୍ମକ କାର୍ଯ୍ୟର ସମାପନ ହୋଇଥିଲା। ଗ୍ରାମର ଜମିଦାର ଲଷ୍ମୀନାରାୟଣ ସିଂ ଓ ତାଙ୍କ ସହଧର୍ମିଣୀ ଜ୍ୟୋସ୍ନାରାଣୀ ସିଂ କର୍ତ୍ତା କାର୍ଯ୍ୟ ତୁଲାଇଥିବା । ପଣ୍ଡିତ ଚୁଡାମଣୀ ରଥ, ଭାଗରଥୀ ମହାପାତ୍ର, ବିଷ୍ଣୁ ଦାଶ, ବିଘ୍ନରାଜ ଦାଶ, ସରୋଜ ରଥ ପୂଜାର୍ଚ୍ଚନା କରିଥିଲେ । ମୋତି ବନମାଳୀ ସହଯୋଗ କରିଥିଲେ। ସନ୍ଧ୍ୟାରେ ହିରଣ୍ୟକଶ୍ୟୁପଙ୍କ ଭଉଣୀ ହୋଲିକାଙ୍କର ନଗର ପରିଭ୍ରମଣ ଅନୁଷ୍ଠିତ ହୋଇଥିଲା । ରାଜଦରବାରରେ ହିରଣ୍ୟକଶ୍ୟପ ପୁତ୍ର ଭକ୍ତ ପ୍ରହଲ୍ଲାଦଙ୍କୁ ଅକଥନୀୟ ଅତ୍ୟାଚାର, ହୋଲିକା ଦହନ ପରେ ହିରଣ୍ୟକଶ୍ୟପଙ୍କ ଭକ୍ତ ଉପରେ ଅତ୍ୟଧିକ ଅତ୍ୟାଚାରରେ ସ୍ତମ୍ଭରୁ ମହାପ୍ରଭୁ ବିଷ୍ଣୁଙ୍କର ଚତୁର୍ଥ ଅବତାର ନୃସିଂହ ଭଗବାନଙ୍କର ଆବିର୍ଭାବ ଏବଂ ନଖରେ ହିରଣ୍ୟକଶ୍ୟୁପଙ୍କର ବିଦାରଣ ନାଟ୍ୟାଭିନୟ ମାଧ୍ୟମରେ ପରିବେଷଣ ହୋଇଥିଲା। ଏହା ସହିତ ମଞ୍ଚରେ କେଶାଇପାଲିର ସଉକିଆ ପିଲା ଡାନ୍ସ ଗ୍ରୁପ ସମେତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ହିରଣ୍ୟକଶ୍ୟପ ଭାବରେ ଝସକେତନ ପଧାନ ଏବଂ ଭକ୍ତ ପ୍ରହଲ୍ଲାଦ ଭାବରେ ଅଦ୍ଵିକ ଆର୍ଯ୍ୟନ ଷଡଙ୍ଗୀ ନିଖୁଣ ଅଭିନୟ କରିଥିଲେ। ନରେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ରାତିରେ ଜଟଲା ଗ୍ରାମର ଯାତ୍ରା ଚନ୍ଦ୍ର ମହଲ ଦ୍ଵାରା ନାଟକ ପରିବେଷଣ ହୋଇଥିଲା। ନୃସିଂହ ଜନ୍ମୋତ୍ସବ କମିଟିର ସଭାପତି ଦେବେନ୍ଦ୍ର ପଧାନ, ସମ୍ପାଦକ ଭୂପତି ସାହୁ, କୋଷାଧ୍ୟକ୍ଷ ରୁପେଶ୍ୱର ସାହୁ (କାନ୍ନା), ବିରେନ୍ଦ୍ର କୁମାର ସାହୁ, ହାରାଧନ ସାହୁ, ଚିନ୍ତାମଣି ସାହୁ, ବିକୁ ସାହୁ, ପ୍ରଭାତ ବଡମାଳୀ ଏବଂ ସରପଞ୍ଚ ଶୁପାଲ ସାହୁଙ୍କ ସମେତ ଗ୍ରାମବାସୀ ଆୟୋଜନରେ ସହଯୋଗ କରିଥିଲେ। ଏଥିରେ ଗ୍ରାମର ତଥା ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।