ପ୍ରାକ୍ ମୌସୁମୀ ବର୍ଷା : ଶୁଖୁଥିବା ଧାନ ହେଲା ଓଦା ମଣ୍ଡିରେ ପଡ଼ି ରହିଲା ୧ଲକ୍ଷ୯୮ହଜାର୫୫୯ ପ୍ୟାକେଟ ଧାନ

ଅତାବିରା,୨୬/୫(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର ଭୋରରୁ ପ୍ରବଳ ପ୍ରାକ୍ ମୌସୁମୀ ଅଦିନିଆ ବର୍ଷା ଚାଷୀଙ୍କୁ ଧୋଇ ଦେଇଛି l ଚାଷୀଙ୍କ କଟାଧାନ କ୍ଷେତ ଏବଂ ଅମଳ ଧାନ ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ପଡ଼ିରହିଛି l ସୋମବାର ରାତ୍ରୀ ୮ଟା ସୁଦ୍ଧା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସମସ୍ତ ମଣ୍ଡିରେ ମୋଟ ୧ଲକ୍ଷ୯୮ହଜାର୫୫୯ ପ୍ୟାକେଟ ଧାନ ପଡ଼ିରହିଛି । ଏଭଳି ସ୍ଥଳେ ପ୍ରାକ୍ ମୌସୁମୀ କୁହନ୍ତୁ ବା ଅଦିନିଆ ବର୍ଷା ସୋମବାର ପାହାନ୍ତିଆ ରୁ ସକାଳ ସାଢେ ୭ଟା ଯାଏଁ ପ୍ରବଳ ବର୍ଷା ହୋଇଛି। ଏଥିରେ କ୍ଷେତ, ଖଳାରେ ଓ ରାସ୍ତା କଡ଼ରେ ଗଦା ହୋଇ ରହିଥିବା ଧାନ ପ୍ରଭାବିତ ହୋଇଛି। ଅନ୍ୟ ପଟେ ପ୍ରାୟ ୩/ ୪ ଦିନ ହେଲାଣି ଅତାବିରା ବ୍ଲକର ଅନେକ ମଣ୍ଡିରେ ଧାନ ଆଶାଜନକ ଭାବେ ଉଠୁନାହିଁ l ଫଳରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।ଏହା ଜିଲାର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଅଞ୍ଚଳରେ କୋହଳାପାଗ ସହିତ ସୋମବାରର ପ୍ରବଳ ବର୍ଷା ହେବା ଯୋଗୁଁ ଚାଷୀଙ୍କ ହୃଦକମ୍ପନ ବଢାଇ ଦେଇଛି । ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା କୌଣସି ମଣ୍ଡିରେ ବିନା କଟନି ଛଟନିରେ ଧାନ ଵି ବିକ୍ରୀ ହେଉନାହିଁ । ଏବେ ଏହି ବର୍ଷାର ଆଳ ଦେଖାଇ ଚାଷୀଙ୍କ ଉପରେ କଟନୀ ଛଟଣୀ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇ ପଡ଼ିଲାଣି l ଏପରିକି ସର୍ବନିମ୍ନ ସହାୟକ ମୁଲ୍ୟ ମଧ୍ୟ ପାଉନାହାଁନ୍ତି ଚାଷୀ । ଚାଷୀମାନେ ବାହାରେ କ୍ୟୁଣ୍ଟାଲ ପ୍ରତି ୧୯ଶଟଙ୍କାରେ ଧାନ ବିକ୍ରୀ କରୁଥିବା ଅଭିଯୋଗ ହେଉଛି l ହେଲେ ଚାଷୀ ଵି ନିଜ ଧାନ କଷ୍ଟେ ମଷ୍ଟେ ଉଠି ଯାଉ ଭାବି ଚୁପ ରହୁଛନ୍ତି । ରବି ଋତୁର ଧାନ କିଣାବିକା ପାଇଁ ଗତ ୧୪ତାରିଖରୁ ନିୟନ୍ତ୍ରିତ ବଜାର କମିଟି ଖୋଲାଯାଇଛି । ପ୍ରାୟତଃ ଛୋଟ ଚାଷୀମାନେ ମଣ୍ଡିକୁ ଧାନ ଆଣୁ ନାହାନ୍ତି । ମଧ୍ୟମ ବର୍ଗର ଚାଷୀମାନେ କିଛିମାତ୍ରାରେ ମଣ୍ଡିକୁ ଧାନ ଆଣୁଛନ୍ତି । ସାଧନ ଅଭାବରୁ ସେମାନେ ନିଜ ଇଚ୍ଛାରେ ମଣ୍ଡିରେ ଧାନ ପକାଇ ପକାଇପାରୁନାହାନ୍ତି । ବଡ଼ ଚାଷୀମାନେ କେବଳ ଦେଖାଇବାପାଇଁ ମଣ୍ଡିର ଗୋଟିଏ ସ୍ଥାନରେ କିଛି ବସ୍ତା ଧାନ ପକାଇ ଦେଉଛନ୍ତି । ବାକିତକ ବାହାରେ ନିଜ ଖର୍ଚ୍ଚରେ ମିଲର୍ସ ପାଖକୁ ଧାନ ପଠାଉଛନ୍ତି । ମଣ୍ଡି ଖୋଲିବା ଦିନରୁ କିଛି ଦିନ ଯାଏଁ ପ୍ରତି କ୍ୟୁଣ୍ଟାଲରେ ଅଧ କେଜି ବାଧ୍ୟତା ମୂଳକ ଭାବେ ବିନା କାଗଜ ପତ୍ରରେ କଟା ଯାଉଥିଲା l ମାତ୍ର ଏବେ କ୍ୟୁଣ୍ଟାଲ ପ୍ରତି ୨/୩କେଜି କଟନି ଛଟନି ପାଇଁ ବିଭିନ୍ନ ମଣ୍ଡିରେ ମୂଲଚାଲ ହେଉଛି । ବର୍ତ୍ତମାନ ମିଲର୍ସଙ୍କ ପାଖରେ ପ୍ରାୟ ୭୦ ପ୍ରତିଶତ ଚାଉଳ ଗଚ୍ଛିତ ରହିଛି । ମଣ୍ଡିଗୁଡ଼ିକରେ ଧାନ ରଖିବା ପାଇଁ ଚାଷୀଙ୍କୁ ଜାଗା ମିଳୁନାହିଁ । ଧାନକୁ ଅନଲାଇନ ଏଣ୍ଟ୍ରି କରିବା ସହ ନମ୍ବର ଅନୁସାରେ ଧାନ ବିକ୍ରୀ କରିବା ଏବଂ ଅଖାବସ୍ତା ମଣ୍ଡିରେ ଦିଆଯାଉ ବୋଲି ଚାଷୀ ଦାବୀ କରୁଛନ୍ତି । ଅନ୍ୟପକ୍ଷରେ ଅନେକ ଚାଷୀ ଅଛନ୍ତି ଯେଉଁମାନେ ତଳି ପକାଠାରୁ ଆରମ୍ଭ କରି ଧାନ ଅମଳ ପର୍ଯ୍ୟନ୍ତ ବେପାରୀ ଅର୍ଥାତ ମିଲର୍ସ ଏଜେଣ୍ଟଙ୍କ ଠାରୁ ଟଙ୍କା ନେଇ ଚାଷ କରୁଛନ୍ତି । ଫଳରେ ସେମାନେ ସଂପୃକ୍ତ ଏଜେଣ୍ଟକୁ ଧାନ ଦେବାପାଇଁ ବାଧ୍ୟ ହେଉଛନ୍ତି । ଫଳରେ ମଣ୍ଡି ଗୁଡିକରେ ଏବେ ଫ୍ଲସ ଏଣ୍ଟ୍ରି ବଢ଼ିବାରେ ଲାଗିଲାଣି l ବାହାରୁ ବାହାରୁ ଚାଷୀଙ୍କ ଧାନ ମିର୍ଲସ ପାଖକୁ ଏଜେଣ୍ଟଙ୍କ ମାଧ୍ୟମରେ ଯାଉଛି l ସେହି ଧାନ ମଣ୍ଡିକୁ ନ ଆସି ଫ୍ଲସ ଏଣ୍ଟ୍ରି ହେଉଛି l ଫଳରେ ପ୍ରକୃତ ଚାଷୀ ଙ୍କ ଧାନ ମଣ୍ଡିରେ ପଡ଼ି ରହୁଛି l ମଣ୍ଡି ଗୁଡିକରେ ଯୋଗାଣ ବିଭାଗର ଏଜେଣ୍ଟ ପ୍ୟାକ୍ସ କେବଳ କାଗଜ ପତ୍ର କାମ କରୁଛନ୍ତି । ମଣ୍ଡିରୁ ଧାନ ଉଠାଇବା କାମ ମଣ୍ଡି ଅଧିକାରୀମାନେ ହିଁ କରୁଛନ୍ତି । ଫଳରେ ଫ୍ଲସ ଏଣ୍ଟ୍ରିରେ ବାହାରୁ ବାହାରୁ ଧାନ ଯାଇ ମିଲର୍ସଙ୍କ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଯାଉଛି l ଅଞ୍ଚଳରେ କୋହରା ପାଗ ସହିତ ବର୍ଷା ଯୋଗୁଁ ଚାଷୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି l କିଭଳି ସେମାନେ ସେମାନଙ୍କ କଷ୍ଟୋପାର୍ଜିତ ଧାନ ବିକ୍ରି କରିବେ ସେ ନେଇ ଭୟଭୀତ ଅଛନ୍ତି । ଚଳିତ ମାସ ୩୦ତାରିଖରୁ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ l କେରଳ ଛୁଇଁ ସାରିଛି ମୌସୁମୀ l ଏଣୁ ଚାଷୀମାନେ ଧର୍ଯ୍ୟହରା ହେଉଛନ୍ତି । ଆଗାମୀ ୨/୩ଦିନ ମଧ୍ୟରେ ମଣ୍ଡିଗୁଡ଼ିକରେ ସଠିକ ପରିମାଣରେ ଧାନ ଯଦି ନ ଉଠେ ତାହାହେଲେ ଚାଷୀମାନେ ଆନ୍ଦୋଳନ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଏନେଇ ଜାଙ୍ଗେଡ ମଣ୍ଡିର ଚାଷୀମାନେ ମଣ୍ଡି ଘେରାଉ କରିବା ସହ ସେମାନଙ୍କ ଧାନ ଉଠାଇବା ପାଇଁ ପାଟିତୁଣ୍ଡ କରିଛନ୍ତି । ଭି. ସତବାବୁ, ଲମ୍ବୋଦର ପ୍ରଧାନ, କୃଷ୍ଣ ପରିଛା,ମୁରଲୀ ସାହୁ,ରବୀନ୍ଦ୍ର ମିଶ୍ର,ବାସୁଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉପରୋକ୍ତ ଅଭିଯୋଗ କରିବା ସହ ସେମାନଙ୍କ ଧାନ କିଭଳି ଶୀଘ୍ର ଉଠାଯିବ ସେ ନେଇ ଜିଲାପାଳ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଆଜିଯାଏଁ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସମସ୍ତ ମଣ୍ଡିରେ ମୋଟ ୧୭ ଲକ୍ଷ ୮୨ହଜାର ୫୬୧ ପ୍ୟାକେଟ ଧାନ ଆସିଥିବା ବେଳେ ୧୫ଲକ୍ଷ ୮୪ହଜାର ୨ ପ୍ୟାକେଟ ଧାନ ଉଠିଛି l ଫଳରେ ଏବେ ମଣ୍ଡି ଗୁଡିକରେ ୧ଲକ୍ଷ୯୮ହଜାର୫୫୯ ପ୍ୟାକେଟ ଧାନ ପଡ଼ିରହିଛି ।
କାଳବୈଶାଖୀ ଲଘୁଚାପ ଜନିତ ବର୍ଷା କାରଣ ରୁ ବରଗଡ଼ ଜିଲ୍ଲାର ଭେଡେନ, ବରଗଡ଼ ଏବଂ ବରପାଲି ବ୍ଲକ ରେ ବ୍ୟାପକ ଧାନ ଫସଲ ନଷ୍ଟ। ପ୍ରଶାସନ ର ଆଗୁଆ ସଚେତନତା ଅଭାବ ଏବଂ ନିଷ୍କ୍ରିୟତା କାରଣ ରୁ ଚାଷୀ ମାନଙ୍କ ସର୍ବାଧିକ ଫସଲ ନଷ୍ଟ ହୋଇଅଛି। ଚୂନ ଧାନ ର ସରକାର ଙ୍କ କୌଣସି ସହାୟତା ସୁବିଧା ନାହିଁ ଏଣୁ ଚାଷୀର କ୍ଷୟକ୍ଷତି ହେଲେ କରିବ କଣ ବୋଲି ପ୍ରଶ୍ନ କରିଛନ୍ତି କୃଷକ ସଂଗଠନ ଚାଷୀ ନେତା ରମେଶ ମହାପାତ୍ର କହିଛନ୍ତି l