ସରଣ୍ଡା ପ୍ରିମିୟର ଲିଗ୍ ମାଇଟି ୱାରୀଅର ଚମ୍ପିୟାନ

ଅତାବିରା, ୧୨/୬(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡା ହାଇସ୍କୁଲ ପଡିଆଠାରେ ଚାଲିଥିବା ୧୦ ତମ ସରଣ୍ଡା ପ୍ରିମିୟର ଲିଗ୍ କ୍ରିକେଟ ମ୍ୟାଚ ଉଦଯାପିତ ହୋଇଯାଇଛି l ଫାଇନାଲରେ ସୁପର ଷ୍ଟାଇକର କୁ ହରାଇ ମାଇଟି ୱାରୀଅର ୧୦ମ ଟାଇଟଲକୁ ହାତେଇ ନେଇଛି l ମାଇଟି ୱାରୀଅର ଦଳର କ୍ୟାପଟେନ ସିମିୟମ ନନ୍ଦ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲେ l ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୭୦ ରନ କରିଥିଲେ l ଦଳର ରୋହିତ ବେହେରା ୪ଟି ଚୌକା ସହାୟତାରେ ୧୯ ବଳରେ ୨୨ ରନ୍ ସଂଗ୍ରହ କରିଥିଲେ l ଜବାବରେ ପ୍ରତିପକ୍ଷ ସୁପର ଷ୍ଟାଇକରର କ୍ୟାପଟେନ ସୌଭାଗ୍ୟ ମହାପାତ୍ରଙ୍କ ଶତ ଚେଷ୍ଟା ସତ୍ୱେ ୭ ଓଭରରେ ୪୦ ରନ୍ କରି ସମସ୍ତ ଉଇକେଟ ହରାଇ ଦେଇଥିଲେ l କୌଣସି ବ୍ୟାଡ୍ସ ମେନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ l ପ୍ରତିପକ୍ଷ ଦଳର ବୋଲର ସତ୍ୟମ ସାହୁ ଗୋଟିଏ ଓଭରରେ ୭ ରନ୍ ଦେଇ ତିନୋଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇ ଦଳକୁ ବିଜୟୀ କରିବାରେ ସକ୍ଷମ ହୋଇଥିବାରୁ ତାଙ୍କୁ ମେଗା ଫାଇନାଲର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ l ଗତ ମେ’ ମାସ ୨୬ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା l ଏଥିରେ ୧୦ ଟି ଦଳ ୧୫ ଟି ମ୍ୟାଚ ଖେଳିଥିଲେ l ୭ଟି ମ୍ୟାଚ ଖେଳି ୧୯୬ ରନ୍ କରିଥିବା ପୌରପ୍ରକାଶ ମହାପାତ୍ର, ୮ଟି ମ୍ୟାଚରେ ସର୍ବାଧିକ ୧୨ ଟି ଉଇକେଟ ନେଇଥିବା ବୋଲର ପ୍ରତୀକ ମହାପାତ୍ର, ପ୍ରତିଯୋଗିତାରେ ୮ଟି ଉଇକେଟ ନେବା ସହ ୯ଟି ରନ୍ ଆଉଟ୍ କରିଥିବା ସୁରଜ ଖୁଣ୍ଟଲା ଏବଂ ପ୍ଲାୟାର ଅଫ ଦି ଟୁର୍ନାମେଣ୍ଟ ଭାବେ ଯୁବ ଖେଳାଳି ଚନ୍ଦନ ରାଉତଙ୍କୁ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା l ୧୫ ଟି ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଭାବେ ୧୫ ଜଣ ଖେଳାଳିଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା l ଏହି ଅବସରରେ ଆୟୋଜକ ସରଣ୍ଡା କ୍ରିକେଟ ଟିମର କ୍ରୀଡ଼ାବିତ ତଥା ଅଧ୍ୟାପକ ଦେବବ୍ରତ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତାବିରା ଏନଏସି ଏକ ନମ୍ବର କାଉନସିଲ ଦୀପକ ରାୟ ଯୋଗ ଦେଇ ଖେଳାଳିଙ୍କୁ ଖେଳରେ ମହତ୍ୱ ବୁଝାଇବା ସହ ସରଣ୍ଡା ହାଇସ୍କୁଲ ଖେଳ ପଡ଼ିଆକୁ ଉନ୍ନତ ମାନର ଖେଳ ପଡ଼ିଆ କରି ଜିଲାସ୍ତରୀୟ ଖେଳ ପ୍ରତିଯୋଗିତା ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟବକ୍ତାଭାବେ ଖବରଦାତା ଯୁଧିଷ୍ଠିର ମହାପାତ୍ର , ସମ୍ମାନୀତ ଅତିଥିଭାବେ ଯୁବ କ୍ରୀଡ଼ାବିତ ମନୋଜ ସାହୁ, ଭାଜପାର ଯୁବ ନେତା ଶ୍ରବଣ ପରିଛା, ରିଙ୍କୁ ମହାନନ୍ଦ, ନିକୁ ପ୍ରଧାନ ପ୍ରମୁଖ ଯୋଗ ଦେଇ କୃତୀ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ l
ରନର୍ସ ଅଫ ସୁପର ଷ୍ଟାଇକର ଏବଂ ୧୦ମ ଏସପିଏଲ ଟାଇଟଲ ବିଜୟୀ ମାଇଟି ୱାରୀୟର କୁ ଟ୍ରଫି ଦେଇ ମୁଖ୍ୟ ଅତିଥି ଦୀପକ ରାୟ ସମ୍ମାନୀତ କରିଥିଲେ l ଖେଳଗୁଡିକୁ ବିଶ୍ଵନାଥ ମେହେର ଓ ଭୂପେନ ନନ୍ଦିଘୋଷ ପରିଚାଳନା କରିଥିଲେ l