ଚାଷୀ ପଞ୍ଜୀକରଣ ନୀତି ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ ହେଲେ ଅଗଷ୍ଟ ୧ ରୁ ତାଲାବନ୍ଦ ଚେତାବନୀ
ଅତାବିରା,୨୩/୭(ସଂସ୍କୃତି ମିଡ଼ିଆ)- ଚଳିତ ମାସ ୧୯ ତାରିଖରୁ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ପଞ୍ଜୀକରଣ ଚାଲିଛି । ନିୟମ ଅନୁସାରେ ଧାନ ବିକ୍ରି କରିବାକୁ ହେଲେ ଚାଷ ଜମିର ପଟ୍ଟାରେ ନିଜ ନାମ କିମ୍ବା ବାପାଙ୍କ ନାଁ ଥିବା ଆବଶ୍ୟକ । କିନ୍ତୁ କେତେକ ସ୍ଥାନରେ ଜମି ପଟ୍ଟାରେ ସାମାନ୍ୟ ସମସ୍ୟା ପାଇଁ ଚାଷୀ ପଞ୍ଜୀକରଣ କରିପାରୁନଥିବା ଅଭିଯୋଗ ହୋଇଛି । ନୂଆଁ ନିୟମ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ ହେଲେ ଆସନ୍ତା ଅଗଷ୍ଟ ୧ତାରିଖରୁ ତାଲା ବନ୍ଦ ଆନ୍ଦୋଳନ କରିବାକୁ ବୁଧବାର ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଅତାବିରା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି l
ଓଡ଼ିଶା ରାଜ୍ୟ କୃଷକ କୃଷକ ସଂଗଠନ ପକ୍ଷରୁ ଧାନ କାର୍ଡ ପଞ୍ଜିକରଣ ନୂତନ ନୀତିକୁ ବିରୋଧ କରି ଅତାବିରା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା ସ୍ମାରକ ପତ୍ର ଗ୍ରହଣ କରିଥିଲେ l ଚଳିତ ଖରିଫ ଋତୁ ଧାନ ବିକ୍ରି ପାଇଁ ରାଜ୍ୟ ସରକାର ବଳକା ଧାନ ବିକ୍ରି କରିବାକୁ ଚାହୁଁ ଥିବା କୃଷକମାନଙ୍କୁ ଜମି ପଞ୍ଜୀକରଣ ପାଇଁ ୧୯ ଜୁଲାଇ ରୁ ୨୦ ଅଗଷ୍ଟ ୨୦୨୫ ମଧ୍ୟରେ ଆବଶ୍ୟକ କାଗଜପତ୍ର ଦେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି l ଯେଉଁଥିରେ ସମସ୍ତ ଚାଷୀଙ୍କୁ ନୂତନ ପଞ୍ଜୀକରଣ ପାଇଁ ପରାମର୍ଶ ଅଛି । ନୂତନ ନିର୍ଦ୍ଦେଶକାରେ ରେକର୍ଡ ଧାରୀଙ୍କ କ୍ଷେତ୍ରରେ କୌଣସି ଅସୁବିଧା ନାହିଁ । ଗତ ବର୍ଷମାନଙ୍କରେ ଯେମିତି କାଗଜପତ୍ର ଦରକାର ଥିଲା ସେତିକି ଦେବାକୁ ପଡିବ। କିନ୍ତୁ ରେକର୍ଡଧାରୀଙ୍କ ଯଦି ଦେହାନ୍ତ ହୋଇଯାଇଛି ସେ କ୍ଷେତ୍ରରେ ରାଜସ୍ଵ ନିରୀକ୍ଷକଙ୍କଠାରୁ ବଂଶାବଲି ଆଣିବାକୁ ପଡିବ। ବଂଶାବଳିରେ ବଂଶର ସମସ୍ତ ପୁରୁଷ ଏବଂ ମହିଳା ସମାନ ଭାବରେ ଜମିର ହକଦାର ହେବେ । ସମସ୍ତେ ଧାନ କାର୍ଡ କରିପାରିବେ ଯଦି ଜମି ଚାଷ କରୁଥିବା ଚାଷୀ ନିଜର ନାମରେ ସମସ୍ତ ଜମି ର ଧାନ କାର୍ଡ ତିଆରି କରିବାକୁ ଚାହିଁବ । ତାହାହେଲେ ସମସ୍ତ ଅଂଶୀଦାର ମାନଙ୍କ ସୋସାଇଟି କୁ ଆଣି ସ୍ୱାକ୍ଷର ଦେବା ସହିତ ସମସ୍ତଙ୍କ ଆଖି ସ୍ପେନ ହେବ ତାପରେ ଧାନ କାର୍ଡ ତିଆରି ହୋଇ ପାରିବ। ତେଣୁ ଏହି ନୂତନ ନିୟମକୁ ବିରୋଧ କରି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରି କୃଷିମନ୍ତ୍ରୀ, ସମବାୟ ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଏବଂ ଜିଲ୍ଲାପାଳ, ଏସ ପି ଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଯଦି ଏହି ନିୟମ କାର୍ଯ୍ୟକାରୀ କରାଯାଏ ତାହାହେଲେ ୭୦/୮୦ ପ୍ରତିଶତ କୃଷକ ଧାନ ବିକ୍ରି ରୁ ବଞ୍ଚିତ ହେବେ। ଯାହା ରାଜ୍ୟର କୃଷି ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିବ । ସରକାରୀ ସଂସ୍ଥାରୁ ଧାନ ବିକ୍ରି କରିବାରେ ବଞ୍ଚିତ ହେଲେ ଆହୁରୀ ଦଲାଲ ମାନେ ସକ୍ରିୟ ହେବେ। ଖାଦ୍ୟ ସୁରକ୍ଷା ଉପରେ ମଧ୍ୟ ବହୁତ ପ୍ରଭାବ ପଡିବ । ଚାଷୀ ନିରୁତ୍ସାହିତ ହୋଇ ଚାଷ ଛାଡ଼ିବେ । ଏଣୁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୁଣା ପଦ୍ଧତି ରେ ପଞ୍ଜୀକରଣ କରି ନୂତନ ନିୟମକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହାର ଖିଲାପ ହେଲେ ସଂଗଠନ ଆସନ୍ତା ଅଗଷ୍ଟ ମାସ ୧ ତାରିଖରୁ ଜିଲାର ସମସ୍ତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଦାବୀ ପୂରଣ ହେବା ଯାଏଁ ତାଲା ବନ୍ଦ ଆନ୍ଦୋଳନ କରାଯିବ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ କରି ଚେତାବନୀ ଦେଇଛନ୍ତି l ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ଚାଷୀମାନେ ଅତାବିରା କୃଷି କାର୍ଯ୍ୟାଳୟରେ ବୈଠକ କରି ଏକ ପଦଯାତ୍ରାରେ ତହସିଲ ଅଫିସକୁ ଯାଇ ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଏହି ସମୟରେ ସଂଗଠନର ସମ୍ପାଦକ ସୁରେଶ କର୍ଣ୍ଣ, ଟିକେଲାଲ ମିଶ୍ର, ଵି. ପାପା ରାଓ, ତ୍ରିଲୋଚନ ନାୟକ, ଆର. ରାମବାବୁ, ଏସ. ଭେଙ୍କେଟେଶ୍ୱର ରାଓ, ଗୁରୁଦେବ ଭୋଇ ଦଶରଥ ଭୋଇ ପ୍ରମୁଖ ବହୁ ଚାଷୀ ଅଂଶଗ୍ରହଣ କରିଥିଲେ l

