ସ୍କୁଲରେ ତାଲା ଭୟ : ରାତି ବଦଳି ଆଦେଶ ସକାଳେ ବାତିଲ
ସ୍କୁଲରେ ତାଲା ଭୟ : ରାତି ବଦଳି ଆଦେଶ ସକାଳେ ବାତିଲ
@ଅତାବିରା ଶିକ୍ଷା ବିଭାଗର ଅଜବ ନୀତି
@ଖଇରପାଲି ସ୍କୁଲ ଗେଟରେ ତାଲା ଚେତାବନୀ ପାଇ ଶିକ୍ଷକ ନିଯୁକ୍ତି ଆଦେଶ
@ନିଲେଇପାଲି ସ୍କୁଲରେ ତାଲା ମାରିବାରୁ ବଦଳି ଆଦେଶ ବାତିଲ
@ଫୋନ ଉଠାଉ ନାହାଁନ୍ତି ସମ୍ପୃକ୍ତ ବିଇଓ
ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ନିଲେଇପାଲି ସ୍କୁଲରେ ତାଲା ମାରି ଅଭିଭାବକଙ୍କ ସହ ବିଦ୍ୟାର୍ଥୀଙ୍କ ଧାରଣା
ଅତାବିରା, ୫/୮ (ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟଗୁଡିକରେ ବହୁ ବର୍ଷ ହେଲା ଶିକ୍ଷକ ପଦବୀ ଖାଲି ପଡ଼ିଛି l ଏଥିପାଇଁ ସମ୍ପୃକ୍ତ ବିଦ୍ୟାଳୟଗୁଡିକରେ କେତେବେଳେ ଶିକ୍ଷକ ପଦବୀ ପୂରଣ ପାଇଁ ଦାବୀ ହେଉଥିବା ବେଳେ କେତେବେଳେ ବଦଳି ଆଦେଶ ପ୍ରତ୍ୟାହାର ପାଇଁ ତାଲା ବନ୍ଦ ଆନ୍ଦୋଳନ ଚାଲିଛି l ତେବେ ଅତାବିରା ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ଅଜବ ନୀତି ପଦାରେ ପଡ଼ିଛି l ଆଗୁଆ ପ୍ରସ୍ତୁତି ନ କରି ହଡବଡ଼ିଆ ପଦକ୍ଷେପ ଅଭିଭାବକ ଓ ବିଦ୍ୟାର୍ଥୀଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଉଛି l ଏପରି ଏକ ପରିସ୍ଥିତି ମଙ୍ଗଳବାର ସାମ୍ନାକୁ ଆସିଛି l ସ୍କୁଲରେ ତାଲା ବନ୍ଦ ଭୟକୁ ନେଇ ଅତାବିରା ଶିକ୍ଷା ବିଭାଗ ସୋମବାର ରାତ୍ରିରେ ଲାଗୁ କରିଥିବା ବଦଳି (ଡେପୁଟେସନ) ଆଦେଶକୁ ସକାଳେ ବାତିଲ କରି ପୁଣି ଅନ୍ୟ ଏକ ସ୍କୁଲରୁ ଜନୈକ ଶିକ୍ଷକଙ୍କୁ ତାଲା ବନ୍ଦ ଆନ୍ଦୋଳନ ଚେତାବନୀ ଦେଇଥିବା ସ୍କୁଲକୁ ପଠାଇବାକୁ ପଡ଼ିଛି l
ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗତ ଜୁଲାଇ ମାସ ୩୦ ତାରିଖରେ ବରଗଡ଼ ଜିଲା ଅତାବିରା ବ୍ଲକ ଲରାସରା ଗ୍ରାମ ପଞ୍ଚାୟତର ଖଇରପାଲି ୟୁଜିୟୁପି ସ୍କୁଲରେ ପରିଚାଳନା କମିଟି ଓ ଅଭିଭାବକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ବସି ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ବିଇଓ ଙ୍କୁ ଦେବାକୁ ନିଷ୍ପତ୍ତି ହୋଇଥିଲା l

ନିଷ୍ପତ୍ତି ମୁତାବକ ଜୁଲାଇ ୩୧ ତାରିଖରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ଅଗଷ୍ଟ ୪ତାରିଖ ସୋମବାର ସୁଦ୍ଧା ଶିକ୍ଷକ ପଦବୀ ପୂରଣ ନ ହେଲେ ମଙ୍ଗଳବାର ସ୍କୁଲ ଗେଟରେ ତାଲା ମାରି ଧାରଣା ଦେବାକୁ ସ୍ମାରକ ପତ୍ରରେ ଦର୍ଶଯାଇଥିଲା l ଏହାକୁ ଦୃଷ୍ଟିରେ ରଖି ହଠାତ ଗତ କାଲି ରାତ୍ରିରେ ଅତାବିରା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଚିଠି ସଂଖ୍ୟା ୧୨୦୦/୪/୮/୨୦୨୫ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ନିଲେଇପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ମୋନାଲିଶା ସାହୁଙ୍କୁ ଖଇରପାଲି ୟୁଜିୟୁପି ସ୍କୁଲରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ l

ଏହି ଖବର ପାଇ ମଙ୍ଗଳବାର ଖଇରପାଲି ୟୁଜିୟୁପି ସ୍କୁଲର ଅଭିଭାବକ ଖୁସି ଅନୁଭବ କରିଥିଲେ l ତେବେ ଉକ୍ତ ଖବର ନିଲେଇପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାର୍ଥୀ ଏବଂ ଅଭିଭାବକଙ୍କ ମଧ୍ୟରେ ନୈରାଶୟ ଖେଳାଇ ଦେଇଥିଲା l ନିଲେଇପାଲି ସ୍କୁଲ ପରିଚାଳନା କମିଟି ମଙ୍ଗଳବାର ସକାଳ ସାଢେ ୮ଟାରେ ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ତାଲା ବନ୍ଦ କରି ବଦଳି ଆଦେଶ ପ୍ରତ୍ୟାହାର କରିବାକୁ ଅଡ଼ି ବସିଥିଲେ l ସମସ୍ତ ବିଦ୍ୟାର୍ଥୀମାନେ ମଧ୍ୟ ଆସି ନିଜ ନିଜ ଅଭିଭାବକ ଓ ଅଭିଭାବିକାଙ୍କ ସହ ଧାରଣାରେ ବସିଥିଲେ l

ପରିଚାଳନା କମିଟିଙ୍କ ଅଭିଯୋଗ ଯେ କେଉଁ କାରଣରୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଅଫିସ ସମୟରେ ବଦଳି ଆଦେଶ ନ ଦେଇ ରାତ୍ରୀ ସାଡେ ୧୦ଟାରେ ହ୍ଵାଟ୍ସଆପ ରେ ପଠାଇ ଫୋନ କରିଥିଲେ l ଏସବୁ ଅଭିଯୋଗରେ ନିଲେଇପାଲି ରେ ଧାରଣା ନେଇ ବିଭାଗୀୟ ଅଧିକାରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ମଧ୍ୟ ଗ୍ରାମବାସୀ ଅବଗତ କରାଇଥିଲେ l ଶେଷରେ ସ୍କୁଲରେ ତାଲା ଭୟରେ ଅତାବିରା ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୧୨୦୬/୦୫/୦୮/୨୦୨୫ରେ ବିଇଓ ମାଛିନ୍ଦ୍ର ମଲ୍ଲିକ ନିଜ ଆଦେଶକୁ ବାତିଲ କରି ପୁନଃ ନିଲେଇପାଲି ସ୍କୁଲରେ ଶିକ୍ଷୟିତ୍ରୀ ମୋନାଲିଶା ସାହୁଙ୍କୁ ଫେରାଇ ଆଣିଥିଲେ l

ଫଳରେ ନିଲେଇପାଲି ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l ଏପଟେ ଖଇରପାଲି ସ୍କୁଲରେ ଥିବା ତାଲା ବନ୍ଦ ଆନ୍ଦୋଳନକୁ ଆଖିରେ ରଖି ଅତାବିରା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପତ୍ର ସଂଖ୍ୟା ୧୨୦୩/ ୦୫/୦୮/୨୦୨୫ ରେ କୁଡାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହେମନ୍ତ ଷଣ୍ଢ ଙ୍କୁ ଖଇରପାଲିକୁ ଡେପୁଟେସନରେ ପଠାଯାଇଥିଲା l

ଏ ନେଇ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଭେଡେନ ବିଇଓ ମଛିନ୍ଦ୍ର ମଲ୍ଲିକଙ୍କୁ ତାଙ୍କ ମୋବାଇଲ ନମ୍ବର 9777750620ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲା ହେଲେ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇପାରି ନାହିଁ l

