କବି ଓ ପ୍ରଶାସକ ତଥା ପ୍ରଗତିଶୀଳ ବ୍ୟକ୍ତିତ୍ୱ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ବିୟୋଗରେ ଶୋକସଭା
ସମ୍ବଲପୁର:ତା.୨୫/୧୦ (ସଂସ୍କୃତି ମିଡିଆ) ବିଶିଷ୍ଟ କବି ଓ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ଼.ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ବିୟୋଗରେ କୁଚିଣ୍ଡା ସ୍ଥିତ ଆଦିବାସୀ ଭବନରେ ସମାଜସେବୀ ଓ କବି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ନାୟକ ତାଙ୍କ ଭାଷଣରେ ଡ଼.ପଣ୍ଡାଙ୍କ ସମ୍ବଲପୁରରେ ଆର୍ଡିସି ଭାବରେ କାର୍ଯ୍ୟ କରିଥିବା ବେଳେ ଯୁବ ସାହିତ୍ୟିକଙ୍କ କିପରି ପ୍ରେରଣାର ଶ୍ରୋତା ଥିଲେ ତାହା କହିଥିଲେ। ସେ ତାଙ୍କ ବକ୍ତବ୍ୟରେ ଡ଼.ପଣ୍ଡାଙ୍କ ଷୋହଳଟି କବିତା ପୁସ୍ତକ ଓ ଦୁଇଟି ଉପନ୍ୟାସରେ ଯେପରି ପ୍ରଗତିଶୀଳ ଲେଖା ସନ୍ନିବେଶିତ କରିଛନ୍ତି ଠିକ୍ ସେହିପରି ନିଜ ଅଙ୍ଗଦାନ କରି ପ୍ରଗତିଶୀଳ ହେବାର ପରିଚୟ ଦେଇଛନ୍ତି ବୋଲି ସ୍ମୁତି ଚାରଣ କରିଥିଲେ। ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ତାଙ୍କ ଭାଷଣରେ ଡ଼.ପଣ୍ଡାଙ୍କ ପ୍ରଶାସନିକ କାର୍ଯ୍ୟର ସ୍ମୁତି ଚାରଣ କରି ସେ ଜଣେ ପ୍ରଗତିଶୀଳ ପ୍ରଶାସକ ଥିଲେ ବୋଲି କହିଥିଲେ। ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଶୋକ ସଭାରେ ପରିଷଦର ସଭ୍ୟ , ସଭ୍ୟା ଓ ପରିଷଦ ପରିଚାଳିତ ନର୍ସିଂ କଲେଜର ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେଇ ଡ଼. ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ, ଅଧ୍ୟାପିକା ସଲିମା ପଟେଲ ଓ ତନୁସି ଶେଠ୍ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଶେଷରେ ଅଧ୍ୟାପିକା ପଲ୍ଲବୀ ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ।
