ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ବିଶ୍ୱେଶ୍ୱର ଅଷ୍ଟଶମ୍ଭୁ ଶୈବ ପୀଠ

0

ଅତାବିରା, ୨୩/୪(ସଂସ୍କୃତି ମିଡ଼ିଆ ) ଦୀର୍ଘ ବର୍ଷର ଦାବୀ ପରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡା ସ୍ଥିତ ବିଶ୍ୱେଶ୍ୱର ବାବା ଶୈବ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିବା ଗୁରୁବାର ଜଣାପଡିଛି l ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଚିଠି ନମ୍ବର ୬୬୨୦/୧୮/୦୪/୨୦୨୬ ଅନୁସାରେ ରାଜ୍ୟର ୩ଟି ଧାର୍ମିକ ପୀଠ ଓ ପୁରୀ ଜିଲା ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ଦାଶଙ୍କ ଜନ୍ମ ପୀଠକୁ ସରକାର ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ କରିଛନ୍ତି l

ଫଳରେ ରାଜ୍ୟ ମାନଚିତ୍ରରେ ଥିବା ୩୭୮ ରୁ ୩୮୨ କୁ ବଢିଛି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ବୋଲି ଚିଠିରେ ଦର୍ଶାଯାଇଛି l
ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡାର ବିଶ୍ୱେଶ୍ୱର ମନ୍ଦିର

ଏବଂ ବରଗଡ଼ ବ୍ଲକ ଅନ୍ତର୍ଗତ ଦେଓଗାଁର ବୈଦ୍ୟନାଥ ମନ୍ଦିର ନୂତନ ଭାବେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି l

      ବିଗତ ବିଜେଡ଼ି ସରକାର ବେଳେ ସରଣ୍ଡା ବିଶ୍ୱେଶ୍ୱର ପୀଠର ଉନ୍ନତିକାରଣ ପାଇଁ ୨କୋଟି ୬୦ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ ସତ ହେଲେ ବାରମ୍ବାର ଦାବୀ ସତ୍ତ୍ୱେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରି ନ ଥିଲେ l ତେବେ ଓଡ଼ିଶାରେ ଭାଜପା ଦଳର ମୋହନ ସରକାର ଆସିବା ପରେ ସ୍ଥାନୀୟ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦନଙ୍କୁ ଗତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର ପ୍ରତିଷ୍ଠା ପୂର୍ଣ୍ଣାହୁତି ଜାନୁୟାରୀ ୨୬ ରେ ପୁନଃ ଦାବୀ ଉପସ୍ଥାପନ କରାଯାଇଥିଲା l ସେହିଦିନ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଖୁବ ଶୀଘ୍ର ବିଶ୍ୱେଶ୍ୱର ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବ ବୋଲି ପ୍ରତିଶୃତି ଦେଇଥିଲେ l ଗୁରୁବାର ତାହା ସଫଳ ହୋଇଛି l ବିଶ୍ୱେଶ୍ୱର ପୀଠକୁ ମିଳିଛି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା l
ଏଠାରେ ସୂଚନା ଯୋଗ୍ୟ ଯେ ବିଗତ ୨୦୧୭ ମସିହାରୁ ଲଗାତାର ପ୍ରତି ବର୍ଷ ଶିବରାତ୍ରି ଦିନ ଓଡ଼ିଶାର ପ୍ରମୁଖ ଓଡ଼ିଆ ଖବରକାଗଜ ‘ଧରିତ୍ରୀ’ ରେ ସ୍ୱତନ୍ତ୍ର ପୃଷ୍ଠାରେ ସ୍ୱତନ୍ତ୍ର ଖବର ପ୍ରକାଶ କରାଯାଇ ସରଣ୍ଡାର ଏହି ଅଷ୍ଟଶମ୍ଭୁ ଶୈବ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବୀ କରାଯାଇ ଆସୁଥିଲା l ଶେଷରେ ସରକାରଙ୍କ ଦୃଷ୍ଟି ପଡିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି l ମନ୍ଦିର ପରିଚାଳନା କମିଟିର ସଭାପତି ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି ଯେ, ଦୀର୍ଘ ବର୍ଷରୁ ଆମର ଏହି ଦାବୀ ରହିଥିଲା, ସେ ଯାହା ହେଉ ସରକାର ଆମ ଦାବିକୁ ପ୍ରାଧାନ୍ୟ ଦେଇ ଆମ ଅଷ୍ଟଶମ୍ଭୁ ଶୈବ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିବାରୁ ଧନ୍ୟବାଦ ଜଣାଉଛୁଁ l ଏହା ଦ୍ୱାରା ମନ୍ଦିରର ଆହୁରି ଅନେକ ଅଧୁରା ରହିଯାଇଥିବା ଉନ୍ନୟନ କାର୍ଯ୍ୟ ହୋଇ ପାରିବ l ଯାହା ଦ୍ୱାରା ସମଗ୍ର ଦେଶର ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ହୋଇ ପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!