ଛତୁଆ ପ୍ୟାକେଟରେ ପୋକ ସାଲୁବାଲୁ।
ବରଗଡ଼, ୨୯/୫(ସଂସ୍କୃତି ମିଡ଼ିଆ)-ଛତୁଆ ପ୍ୟାକେଟରେ ପୋକ ସାଲୁବାଲୁ। ସରକାରଙ୍କ ପୋଷଣ ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆରେ ମିଶୁଛି ବାଲି ଓ ଗୋଡି। ନିମ୍ନ ମାନର ଛତୁଆ ପ୍ରସ୍ତୁତ କରି ବଣ୍ଟନ କରାଯାଉଥିବା ଭଳି ସଂଗୀନ ଅଭିଯୋଗ ଆସିଛି ବରଗଡ଼ ସହରରୁ। ହାତରେ ନିମ୍ନ ମାନର ଛତୁଆ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରଗଡ଼ର ବିଭିନ୍ନ ପଡାର ଶହ ଶହ ମହିଳା ଓ ଯୁବତୀ। ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ଆଗରେ ଛତୁଆ ସହ ବିଭିନ୍ନ ଖାଦ୍ୟ ପ୍ୟାକେଟ ଖୋଲି ଦେଖାଇଵା ସହ ଏହାର ବିରୋଧ କରିଛନ୍ତି ମହିଳା ମାନେ । ସହରର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଯୋଗାଣ ହେଉଥିବା ଛତୁଆ ଅତ୍ୟନ୍ତ ନିମ୍ନ ମାନର ଓ ବଣ୍ଟନ କରାଯାଉଥିବା ମୁଢିରେ ବାଲି ମିଶ୍ରଣ କରି ବଣ୍ଟନ କରାଯାଉଛି ବୋଲି ଅଭିଯୋଗ ହୋଇଛି ।

ଗର୍ଭବତୀ ମା ଓ ଶିଶୁଙ୍କ ପାଇଁ ଏଭଳି ଖାଦ୍ୟ ଯୋଗାଇ ଜୀବନ ସହ ଖେଳ ଖେଳୁଥିବା ସଂସ୍ଥା ଉପରେ ଆକ୍ସନ ନେବାକୁ ସେମାନେ ଦାବି କରିଛନ୍ତି । ସରକାର ପୋଷଣ ଯୋଜନାରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏଭଳି ମହତ ଯୋଜନା କରୁଛନ୍ତି। କିନ୍ତୁ ଉତ୍ପାଦନକାରି ସଂସ୍ଥା ଛତୁଆ, ମୁଢ଼ି, ସୁଜି ଓ ଅନ୍ୟାନ୍ୟ ଖାଦ୍ୟରେ ଅପମିଶ୍ରଣ କରି ଏହାର ଗୁଣବତ୍ତାକୁ ଅତ୍ୟନ୍ତ ନିମ୍ନ ମାନର ପ୍ରସ୍ତୁତ କରୁଛନ୍ତି । ଏହାକୁ ଖାଇ ଶିଶୁମାନେ ଅସୁବିଧା ଅନୁଭବ କରିବା ସହ ପେଟ ଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି ବୋଲି ଅଭିଯୋଗ କରିଛନ୍ତି। ଏହା ଦ୍ୱାରା ସରକାରଙ୍କ ପୋଷଣ ଯୋଜନାର ଉଦ୍ଦେଶ୍ୟକୁ ବାଧାପ୍ରାପ୍ତ କରାଯାଉଛି ବୋଲି ମହିଳା ମାନେ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛତୁଆ ନିର୍ମାଣ କାରି ସଂସ୍ଥା ଉପରେ ତୁରନ୍ତ ଆକ୍ସନ ନେବାକୁ ଦାବି କରିଛନ୍ତି। ଅନ୍ୟପଟେ ଏହାର ତଦନ୍ତ କରାଯିବ ଓ ଆକ୍ସନ ନିଆଯିବ ବୋଲି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ କହିଛନ୍ତି।

