ଘର,ଭତ୍ତା ସହ ଚାଉଳ ପାଇଁ ବିଜେଡିର ଏନଏସି ଅଫିସ ଘେରାଉ ନିଜ ଅଫିସରେ ନିଜେ କଲେ ଫେରାଓ
ଅତାବିରା, ୮/୬(ସଂସ୍କୃତି ମିଡ଼ିଆ)- ଘର,ଭତ୍ତା ଏବଂ ଚାଉଳ ସହ ଉଚ୍ଛେଦଙ୍କୁ ଥଇଥାନ ପାଇଁ ସୋମବାର ବିଜେଡି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଅଫିସକୁ ଘେରାଉ କରିଛନ୍ତି l ନିଜେ ଏନଏସି ଅଧ୍ୟକ୍ଷ ବନମାଳୀ ବରିହାଙ୍କ ନେତୃତ୍ୱରେ ଫେରାଓ କରାଯାଇଥିଲା l ୧୨ ଟି ୱାର୍ଡ ବିଶିଷ୍ଟ ଅତାବିରା ଏନଏସିରେ ୧୧ ଜଣ ବିଜେଡ଼ି କାଉନସିଲର ରହିଛନ୍ତି l ବିଜେଡ଼ି ଦଳ ନିଜେ ଅଧ୍ୟକ୍ଷ ବସାଇଛନ୍ତି l ଅତାବିରା ଏନଏସିର ଏପରି ଅବସ୍ଥା ଏବେ ହୋଇଛି ଯେ ନିଜେ ଅଧ୍ୟକ୍ଷ ଥାଇ ଲୋକଙ୍କ ମୌଳିକ ଅଧିକାର ପାଇଁ ନିଜକୁ ନିଜ ଅଫିସ ଘେରାଓ କରିବାକୁ ପଡୁଛି l
ସେ ଯାହା ହେଉ ଘଟଣାରୁ ପ୍ରକାଶ ଯେ,ଅତାବିରା ପଞ୍ଚାୟତ ଥିବା ସମୟରେ ଅତାବିରା ବସଷ୍ଟାଣ୍ଡ ପାଖରେ ପଞ୍ଚାୟତରୁ ଭଡ଼ାସୂତ୍ରରେ ଲୋକେ ଦୋକାନ ବଜାର କରିଛନ୍ତି । ପରେ ଅତାବିରା ଏନଏସି ହେଲାପରେ ସମ୍ପୃକ୍ତ ଦୋକାନୀମାନେ ଏନଏସିକୁ ଭଡ଼ା ଦେଇ ଦୋକାନ ବଜାର କରି ନିଜର ପରିବାର ପରିପୋଷଣ କରୁଥିଲେ । ଗତ ମାସରେ ସମ୍ପୃକ୍ତ ପ୍ରାୟ ୫୪ଟି ଦୋକାନ ଘର ଭାଙ୍ଗି ଦିଆଯାଇଛି । ଏବେ ସେମାନଙ୍କ ପରିବାର ସହିତ ଦୋକାନ ଗୁଡିକରେ କାମ କରୁଥିବା ପରିବାର ମଧ୍ୟ ବେରୋଜଗାର ହେବା ସହ ସେମାନଙ୍କ ପରିବାର ପରିପୋଷଣ ଦୁର୍ବିସହ ହୋଇପଡ଼ିଛି । ସେତେବେଳେ ଉଚ୍ଛେଦ ଦୋକାନୀଙ୍କୁ ଇଣ୍ଡୋର ଷ୍ଟାଡିୟମ ପାଖରେ ପରିବା ବଜାର ବସାଇବା କୁହାଯାଇଥିଲା । ମାତ୍ର ଅତାବିରା ଗ୍ରାମବାସୀ ଏହାର ବିରୋଧ କରୁଛନ୍ତି । ୩ମାସ ହେଲା ବୃଦ୍ଧବୃଦ୍ଧାଙ୍କୁ ପେନସନ ମିଳୁନାହିଁ । ଗରୀବ ଲୋକଙ୍କୁ ଗତ ମାସର ଚାଉଳ ମିଳିନାହିଁ । ଏମିତି ଅଭିଯୋଗ ନେଇ ଆଜି ଅତାବିରା ଏନଏସି ଅଧ୍ୟକ୍ଷ ବନମାଳୀ ବରିହାଙ୍କ ସମେତ ଅନେକ ୱାର୍ଡ ସଭ୍ୟ ସଭ୍ୟା,ବିଜେଡି କର୍ମୀ ଏବଂ ଉଚ୍ଛେଦ ଦୋକାନୀ ଏବଂ ହିତାଧିକାରୀମାନେ ଅତାବିରା ଏନଏସି ଘେରାଉ କରିଛନ୍ତି । ପରେ ଏନଏସି ନିର୍ବାହୀ ଅଧିକାରୀ ନରେନ୍ଦ୍ର ପ୍ରଧାନଙ୍କ ସହିତ ଆଲୋଚନା କରିଥିଲେ । ପୁଣି ୩ ମାସ କାଳ ବୃଦ୍ଧବୃଦ୍ଧା ମାନେ ଭତ୍ତା ପାଇନାହାନ୍ତି । ସେହିପରି ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳ ଠିକ ସମୟରେ ପାଉନଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ବ୍ୟାଙ୍କ ପାସବୁକରେ ପଡୁଥିବା ଭତ୍ତା ୩ମାସ ହେବ ହିତାଧିକାରୀଙ୍କ ଖାତାରେ ଜମା ହୋଇପାରୁନାହିଁ । ଫଳରେ ସେମାନେ ଔଷଧ, ଓ ଜୀବନ ଯାପନ ପାଇଁ ଖାଇବା ଜିନିଷ କିଣିବାରେ ବି ଅସୁବିଧା ହେଉଛି । ମାତ୍ର ହାତକୁ ହାତ ଦେଉଥିବା ହିତାଧିକାରୀମାନଙ୍କୁ ଭତ୍ତା ଟଙ୍କା ନଗଦ ଏବେ ବି ଦିଆଯାଉଛି । ଏ ନେଇ ନିର୍ବାହୀ ଅଧିକାରୀ ନରେନ୍ଦ୍ର ପ୍ରଧାନ କହିଥିଲେ ଯେ ସରକାର ପାସବୁକରେ ଟଙ୍କା ଜମା କରିନାହାନ୍ତି । ଆଗାମୀ ୭ଦିନ ଭିତରେ ଉଚ୍ଛେଦ କରାଯାଇଥିବା ସ୍ଥାନରେ ଦୋକାନର ଘର ନିର୍ମାଣ କାମ ଆରମ୍ଭ କରାଯିବ, ୧/୨ଦିନ ଭିତରେ ଚାଉଳ ଦିଆଯିବ । ଏନଏସି ଅଧ୍ୟକ୍ଷ ବନମାଳି ବରିହାଙ୍କୁ ପଚାରିବାରୁ ସେପରି କିଛି ନୋଟିସ ଦିଆଯାଇନଥିଲା, ଉପରୁ ନିର୍ଦ୍ଦେଶ ଅଛି କହି ଇଓ ହଠାତ ଏପରି କଲେ l ଫଳରେ ନିଜ ଅଫିସ ନିଜେ ଘେରାଓ କରିବାକୁ ପଡୁଛି ବୋଲି ଅଧ୍ୟକ୍ଷ ଶ୍ରୀ ବରିହା କହିଛନ୍ତି l
ଏହି ଘେରାଓ ସମୟରେ ନିଜେ ଏନଏସି ଅଧ୍ୟକ୍ଷ ବନମାଳି ବରିହା,ଉପାଧ୍ୟକ୍ଷା ଅନୁସୟା ବିଶ୍ୱାଳ ,ଏନଏସି ୱାର୍ଡ଼ ସଭ୍ୟସଭ୍ୟା,ବିଜେଡି ଏନଏସି ସଭାପତି ଯତୀନ୍ଦ୍ର ଦାଶ, ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସମେତ ହିତାଧିକାରୀ ଏବଂ ଦୋକାନୀମାନେ ଉପସ୍ଥିତ ଥିଲେ ।
