ତୁହାକୁ ତୁହା ଚାଲିଛି ବୈଠକ, ସୁଧୁରୁ ନାହିଁ ଧାନ କିଣାବିକା ଟୋକନ ସମସ୍ୟା, ଚିନ୍ତାରେ ଚାଷୀ
ଓଡ଼ିଶା ରାଜ୍ୟ କୃଷକ ସଂଗଠନର ଉଦ୍ବେଗ; ଆନ୍ଦୋଳନର ଧମକ ପରେ ଟୋକନ ଆସି ବାକି ଟୋକନର ଦେଖା ନାହିଁ
ଅତାବିରା, ୨୧/୬(ସଂସ୍କୃତି ମିଡ଼ିଆ)– ଧାନ କିଣାବିକାରେ ଟୋକନ ସମସ୍ୟା ନେଇ ତୁହାକୁ ତୁହା ଚାଷୀ ସଂଗଠନ ପକ୍ଷରୁ ବୈଠକ ଚାଲିଛି l ରବିବାର ସନ୍ଧ୍ୟା ୭ଟାରେ ଚାଷୀମାନଙ୍କୁ ନେଇ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ପୁଣି ବୈଠକ ବସି ଉଦବେଗ ପ୍ରକାଶ କରାଯାଇଛି l
ସୂଚନା ଯୋଗ୍ୟ ଯେ ଚାଷୀଙ୍କ ସମସ୍ତ ଟୋକନ ନ ଆସିବାରୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଗତ ମଙ୍ଗଳବାର ରାସ୍ତାରୋକ ଡ଼ାକରା ଦେଇଥିଲା। ତେବେ ଗତ ସୋମବାର ପୁଲିସ, ପ୍ରଶାସନିକ ଅଧିକାରୀ, ଯୋଗାଣ ବିଭାଗ, ସମବାୟ ବିଭାଗ ଗୋଡ଼ଭଗା ଆସି ସମସ୍ତ ଟୋକନ ଖୁବ୍ ଶୀଘ୍ର ଆସିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପରେ ରାସ୍ତାରୋକ ସ୍ଥଗିତ ହୋଇଥିଲା। ଶୁକ୍ରବାର ସଂଧ୍ୟାରେ କିଛି ଚାଷୀଙ୍କ ଟୋକନ ଆସିଛି। ମାତ୍ର ଅର୍ଦ୍ଧାଧିକ ଚାଷୀଙ୍କ ଚାଷ କରିଥିବା ଜମି ହିସାବରେ ଟୋକନ ଏଯାଏଁ ପହଂଚି ନାହିଁ। ପ୍ରଶାସନ ପ୍ରତିଶ୍ରୁତି ଦେଇ ଚାଷୀଙ୍କ ସରଳତାକୁ ବିଶ୍ବାସଘାତ କରିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଆଉ ୧୦ ଦିନ ମଧ୍ୟରେ ଅର୍ଥାତ ଜୁନ ୩୦ରେ ରବି ଫସଲର ଧାନ ସଂଗ୍ରହ ସରିବାକୁ ଯାଉଛି। ଏପରିସ୍ଥଳରେ ଟୋକନ ନ ଆସିବାରୁ ଚାଷୀଙ୍କୁ ଚିନ୍ତା ଘାରିଛି। କୃଷି ଋଣ, କୀଟନାଶକ ଔଷଧ, ଟ୍ରାକ୍ଟର, ହାର୍ଭେଷ୍ଟରର ଭଡ଼ା କିପରି ଦେବେ ଆଗକୁ କିପରି ଫସଲ କରିବେ ସେ ନେଇ ଚିନ୍ତାରେ ଚାଷୀ ରହିଛନ୍ତି। ଯାହାକୁ ନେଇ ରବିବାର ସଂଧ୍ୟା ଗୋଡ଼ଭଗା ମଣ୍ଡିରେ ଅନୁଷ୍ଠିତ ସଂଗଠନର ବୈଠକରେ ଉଦ୍ବେଗ ପ୍ରକାଶ ପାଇଛି। ଆସନ୍ତା କାଲି ଅର୍ଥାତ ସୋମବାର ବରଗଡ଼ ଜିଳ୍ଲାପାଳଙ୍କସହ ସାକ୍ଷାତ କରି ସମସ୍ତ ଟୋକନ ଯେପରି ପହଂଚିବ ସେ ନେଇ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସମସ୍ତ ଟୋକନ ନ ଆସିଲେ ବାଧ୍ୟ ହୋଇ ରାସ୍ତାରୋକ ଆନ୍ଦୋଳନ କରିବାକୁ ବିକଳ୍ପ ପ୍ରନ୍ଥା ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ଜଣାଇଦିଆଯାଇଛି । ଏହି ବୈଠକରେ ସଭାପତି ଭୁବନ ପ୍ରଧାନ, ସଂପାଦକ ନରେନ୍ଦ୍ର ପ୍ରଧାନ, ବୀରେନ୍ଦ୍ର କର, ଟିକେଲାଲ ମିଶ୍ର, ପାପା ରାଓ, ସତ ବାବୁ, କୃଷ୍ଣ ବାବୁ, ସୁରେଶ କର୍ଣ୍ଣ, ସୁରେନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ସାହୁ, ଦଶରଥ ଭୋଇ ପ୍ରମୁଖ ସଦସ୍ୟଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ।
