ଧାନ ବିକ୍ରିରେ ଟୋକନ ସମସ୍ୟା ପୁଣି ଆସିଲା ଇଛାମୃତ୍ୟୁ ଆବେଦନ
ବରଗଡ଼,୨୪।୬(ସଂସ୍କୃତି ମିଡ଼ିଆ) – ବରଗଡ଼ ଜିଲ୍ଲାରେ ତୁହାକୁ ତୁହା ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି l ଧାନ କିଣାବିକାରେ ଟୋକନ ନ ପାଇ ଗତ ମାସ ଜିଲ୍ଲାର ଭେଡେନ ବ୍ଲକରେ ଜଣେ ଚାଷୀ ଇଛାମୃତ୍ୟୁ ଆବେଦନ କରିଥିବା ବେଳେ ଏବେ ବୁଧବାର ପଦ୍ମପୁର ଉପଖଣ୍ଡର ଜନୈକ ଚାଷୀ ପୁଣି ଇଚ୍ଛାମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କ ଠାରେ ଆବେଦନ କରିଛନ୍ତି l

ଖରିଫ ଚାଷକାର୍ଯ୍ୟ ପାଇଁ ତଳି ପକା ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି ନାହିଁ । ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ଲାଗି ରହିଛି। ଏହି କ୍ରମରେ ମଙ୍ଗଳବାର ଜିଲାର ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଭରତ ଚନ୍ଦ୍ର ସାହୁଙ୍କ ପୁଅ ଗୋପାଳକୃଷ୍ଣ ସାହୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେ ଜିଲାପାଳଙ୍କୁ ଆବେଦନ ପତ୍ର ପ୍ରଦାନ କରିଛନ୍ତି । ଟୋକନ ମିଳି ପାରି ନ ଥିବା ଯୋଗୁ ସେ ତାଙ୍କ ମା’ଙ୍କ ଚିକିତ୍ସା ସମେତ ଋଣ ପରିଶୋଧ, ପରିବାର ଗୁଜୁରାଣ ମେଣ୍ଟାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଆବେଦନ ପତ୍ରରେ ଉଲ୍ଲେଖ ରହିଛି । ଧାନ ବିକ୍ରି ଟୋକନ ପ୍ରଦାନ ସହିତ ତୁରନ୍ତ ତାଙ୍କ ଅମଳ ଧାନ କିଣାଯିବା ବ୍ୟବସ୍ଥା କରାଯାଉ, ନଚେତ୍ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି।
ଏପରି ଜଣକ ପରେ ଜଣେ ଚାଷୀ ନିଜ କଷ୍ଟ ଉପାର୍ଜ୍ଜିତ ଧାନ ବିକ୍ରି ଦାବୀ ନେଇ ଇଛାମୃତ୍ୟୁ ଆବେଦନ ଫଳରେ ରାଜ୍ୟରେ ଧାନ କିଣାବିକା ପ୍ରକ୍ରିୟାକୁ ନେଇ ଥିବା ଅବହେଳା ଜ୍ଜଲଜ୍ଜଲ ଦେଖଯାଉଛି l ଏଥିପ୍ରତି ସରକାର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି l
ପଦ୍ମପୁର ଉପଖଣ୍ଡର ଇଛାମୃତ୍ୟୁ ଆବେଦନ କରିଥିବା ଚାଷୀଙ୍କ ଘରେ ବୁଧବାର ପଦ୍ମପୁର ରାଜବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ଚାଷୀ ନେତା ଅଜିତ ଶତପଥି ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଯାଇ ସ୍ୱତନା ଦେବା ସହ କିଭଳି ତାଙ୍କ ଧାନ ବିକ୍ରି କରିପାରିବେ ସେ ନେଇ ପ୍ରଶାସନ ସହ ଆଲୋଚନା କରିବାକୁ କହିଛନ୍ତି l
