ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

0

ବରଗଡ଼,୩।୭(ସଂସ୍କୃତି ମିଡ଼ିଆ )-: ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ରୂପେ ପରିଚିତ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ଭଟଲିର ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ଜୁଲାଇ ୧୪ ତାରିଖ ନେତ୍ରୋତ୍ସବ, ୧୫ ତାରିଖ ନବଯୌବନ ଦର୍ଶନ ହେବାକୁ ଥିବା ବେଳେ ଜୁଲାଇ ୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଏବଂ ଜୁଲାଇ ୨୪ ତାରିଖ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ l ସେହିପରି ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଜୁଲାଇ ୨୫ ତାରିଖ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ସୁନାବେଶ ଅନୁଷ୍ଠିତ ହେବ। ଏହା ସହିତ ୨୬ ତାରିଖ ଅଧରପଣା ହେବା ସହିତ ସେହିଦିନ ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ ଉତ୍ସଵ ଅନୁଷ୍ଠିତ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ପାଣ୍ଡେ ସୂଚନା ଦେଇଥିଲେ।ତହସିଲଦାର ରାମକୃଷ୍ଣ ମିଶ୍ର ବୈଠକରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ରଥ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାଲାଗି ବଢେଇ ମାନଙ୍କୁ ଅନୁରୋଧ କରାଯାଇଥିଲା। ଏହି ସଭାରେ ଭଟଲି ଗ୍ରାମ ପଞ୍ଚାୟତ ଏବଂ ବ୍ଳକ ପ୍ରଶାସନର ମିଳିତ ଉଦ୍ୟମରେ ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବଡ଼ଦାଣ୍ଡ ରାସ୍ତା ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଗୋଚର କରିବା ସହିତ ମାଉସୀ ମାଁ ମନ୍ଦିର ପରିସରରେ ନିଶା କାରବାରକୁ ରୋକିବା ଦିଗରେ ଧ୍ୟାନ ଦେବାକୁ ଆଲୋଚନା କରାଯାଇଥିଲା। ପାର୍କିଂ ସ୍ଥାନରେ ବିଦ୍ୟୁତ ବ୍ୟବସ୍ଥାକୁ ବିଶେଷ ଦୃଷ୍ଟି ଦେବାକୁ ରଥଯାତ୍ରା ପରିଚାଳନା କମିଟିକୁ ଦାୟିତ୍ୱ ଦିଆଯାଇଥିଲା । ନବଦିନାତ୍ମକ ନବଗୁଞ୍ଜର ରଥଯାତ୍ରା ପାଇଁ ସାଂସ୍କୃତିକ ଦଳ ପଠାଇବାକୁ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀଙ୍କୁ ଜଣାଇବା, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା, ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଯାନବାହନ ଚଳାଚଳର ସୁବନ୍ଦୋବସ୍ତ ପାଇଁ ପୋଲିସ ବିଭାଗକୁ ଅବଗତ କରାଯାଇଥିଲା। ରଥଯାତ୍ରାରେ କୌଣସି ଚୋରି, ପକେଟମାର୍ ତଥା କିଛି ଅଘଟଣ ଯେପରି ନଘଟେ ସେଥିପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା l ବିହିତ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଜିଲ୍ଲା ସ୍ତରୀୟ ବୈଠକ ଆୟୋଜନ, ବଡଦାଣ୍ଡ ରାସ୍ତାର ଜବରଦଖଲ ଉଛେଦ ପାଇଁ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ପୋଲିସ ଅଧିକାରୀ ମିଳିତ ଭାବରେ ନିରୀକ୍ଷଣ କରି ବିହିତ ପଦକ୍ଷେପ ନେବେ ବୋଲି ସ୍ଥିରୀକୃତ ହୋଇଥିଲା l ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଆରଓ ସନତ ପାଢ଼ୀ,ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଭଟଲି ଥାନାଧିକାରୀ ବିଭୁତି ଭୁଷଣ ଦଳେଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଜିତ ହାଁସଦା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ବୈଠକରେ ମନ୍ଦିର ପୂଜକ ଗୌରଚନ୍ଦ୍ର ରଥ, ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ,ମନ୍ଦିର ଟ୍ରଷ୍ଟ ବୋର୍ଡ ନୂତନ ମ୍ୟାନେଜିଂ ଟ୍ରଷ୍ଟି ମୋତିଲାଲ ବନଛୋର ତଥା ସଦସ୍ୟ ମାନେ , ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପଧାନ, ପିଇଓ ଭୁବନେଶ୍ୱର ପଧାନ, ବରିଷ୍ଠ ନାଗରିକ ସଂଘ ସଭାପତି ଜଗଦିଶ ସାହୁ, ବନପାଲ କଂଗ୍ରେସ ସୁନା ତଥା ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଦାୟିତ୍ୱରେ ଥିବା ସ୍ବେଚ୍ଛାସେବୀ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!