ଜନ୍ମମାଟି ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର
ଜନ୍ମମାଟି ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର
ବାନ୍ଧ କଳା ଯୋଗୁଁ ମିଳିଲା ସନ୍ଥ କବୀର ହସ୍ତତନ୍ତ ପୁରସ୍କାର
ଅତାବିରା, ୭/୮ (ସଂସ୍କୃତି ମିଡ଼ିଆ): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲ୍ଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ ରାମ ମେହେରଙ୍କୁ ଭାରତର ସର୍ବୋଚ୍ଚ ହସ୍ତତନ୍ତ ସମ୍ମାନ ମଧ୍ୟରୁ ଅନ୍ୟତମ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର-୨୦୨୫’ ପ୍ରଦାନ କରାଯାଇଛି। ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

ରାମ ମେହେର ଦୀର୍ଘ ୫୫ ବର୍ଷ ଧରି ପାରମ୍ପରିକ ହସ୍ତତନ୍ତ ଓ ବାନ୍ଧ କଳାର ବିକାଶ ଓ ସଂରକ୍ଷଣ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ନିଷ୍ଠା, କାରିଗରି ଏବଂ ସୃଜନଶୀଳତା ତାଙ୍କୁ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଛି। ଚଳିତ ବର୍ଷ ସେ ତାଙ୍କର ନିଆରା ‘ବିଚିତପର ଖଡ଼ି ଶାଢ଼ୀ’ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି।
୧୯ ଡିସେମ୍ବର ୧୯୫୪ରେ ଝିଲିମିଣ୍ଡା ଗ୍ରାମରେ ମାତା ମୁଲକିଦେଇ ମେହେର ଓ ପିତା ଅଭିମନ୍ୟୁ ମେହେରଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ରାମ ମେହେର ମାତ୍ର ୧୨ ବର୍ଷ ବୟସରୁ ପାରିବାରିକ କୌଳିକ ବୃତ୍ତି ଭାବେ ସମ୍ବଲପୁରୀ ଶାଢ଼ୀ ବୁଣିବା ଆରମ୍ଭ କରିଥିଲେ। ବାନ୍ଧିବା ଓ ରଙ୍ଗ କରିବା କଳାରେ ସେ ପାରଙ୍ଗମ ହୋଇଥିବା ବେଳେ ନିଜର ଅଭିନବ କଳାକୃତି ମାଧ୍ୟମରେ ଦେଶବ୍ୟାପୀ ପ୍ରଶଂସା ସାଉଁଟିଛନ୍ତି।

୧୯୯୨ ମସିହାରେ ସେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ। ଏହାପରେ ବିଭିନ୍ନ ସମ୍ମାନ ହାସଲ କରିଥିବା ରାମ ମେହେର ଏବେ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ପାଇ ଓଡ଼ିଶା ଏବଂ ବରଗଡ଼ ଜିଲ୍ଲାର ଗୌରବକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରିଛନ୍ତି। ଚଳିତ ବର୍ଷ ବରଗଡ଼ ଜିଲ୍ଲାରୁ ସେ ଏକମାତ୍ର ଶିଳ୍ପୀ ଭାବେ ଏହି ସମ୍ମାନ ଲାଭ କରିଛନ୍ତି।

କେବଳ ନିଜ ସୃଜନଶୀଳତାରେ ସୀମିତ ନ ରହି, ସେ ଏପର୍ଯ୍ୟନ୍ତ ୫୬୦ରୁ ଅଧିକ ବୁଣାକାରଙ୍କୁ ପ୍ରଶିକ୍ଷଣ ଦେଇ ପାରମ୍ପରିକ ବୟନ କଳାର ସଂରକ୍ଷଣ ଓ ପ୍ରସାରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ହସ୍ତତନ୍ତ ଶିଳ୍ପର ଉନ୍ନତି ଓ ଐତିହ୍ୟର ସୁରକ୍ଷା ପାଇଁ ତାଙ୍କ ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ବର୍ତ୍ତମାନ ତାଙ୍କର ଦୁଇ ପୁଅ ସରୋଜ ମେହେର ଓ ସୁଶାନ୍ତ ମେହେର ପାରିବାରିକ ପରମ୍ପରାକୁ ଆଗକୁ ନେଇ ଚାଲିଛନ୍ତି। ରାମ ମେହେରଙ୍କ ଏହି ସଫଳତା ପରେ ଝିଲିମିଣ୍ଡା ଗ୍ରାମ ସମେତ ସମଗ୍ର ବରଗଡ଼ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କର ଏହି ଜାତୀୟ ସମ୍ମାନ ଆଗାମୀ ପିଢ଼ିର ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

