ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଏଗ୍ରିଷ୍ଟାକ୍ ନିୟକକୁ ବିରୋଧ
ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଏଗ୍ରିଷ୍ଟାକ୍ ନିୟକକୁ ବିରୋଧ
କୃଷି ଓ ତହସିଲ କାର୍ଯ୍ୟାଳୟରେ ଚାଷୀ ମାରିଲେ ତାଲା
ଧାନ କିଣାବିକାରୁ ଏଗ୍ରିଷ୍ଟାକ୍ ନ ହଟିଲେ ୧୫ ରୁ ଜାତୀୟ ରାଜପଥ ଅବରୋଧ କରାଯିବ
ଅତାବିରା, ୧୦/୮(ସଂସ୍କୃତି ମିଡ଼ିଆ )- ପ୍ରତି ଫସଲରେ ଧାନ ପଞ୍ଜିକରଣ ଓ ବିକ୍ରି ସମୟରେ ନାନା ଅଯୁକ୍ତି କଟକଣା, ନିୟମ ଯୋଗୁଁ ଚାଷୀ ଧାନ ବିକିବାରେ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ଚାଷୀ ପଞ୍ଜିକରଣ କରି ପାରୁ ନାହାନ୍ତି, ତ ଆଉ କାହାର ଟୋକନ ଆସୁ ନ ଥିବାର ବିଗତ ଫସଲରେ ଦେଖା ଦେଇଛି। ଚଳିତ ଫସଲ ସରକାର ପୁଣି ଏଗ୍ରିଷ୍ଟାକ୍ ଭଲି ଅବାନ୍ତର ନିୟମ ଆଣିଥିବା ଅଭିଯୋଗ କରି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ସୋମବାର ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଇଛି l
ସ୍ଥାନୀୟ ଦୁର୍ଗା ମନ୍ଦିରରେ ସମସ୍ତ ଚାଷୀ ଓ ସଂଗଠନ କର୍ମକର୍ତ୍ତା ଏକତ୍ରିତ ହୋଇ ପୂର୍ବାହ୍ନ ସାଢେ ୧୧ ଟାରେ ଏକ ରାଲିରେ ବାହାରି ତହସିଲ ଯାଏଁ ଯାଇଥିଲେ l ସେଠାରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ତହସିଲଦାର କେ. ରିଚି କୁମାରଙ୍କୁ ପ୍ରଦାନ କରିଥିଲେ । ଅଫିସର ସମସ୍ତ କର୍ମଚାରୀଙ୍କୁ ବାହାରକୁ ବାହାର କରି ତହସିଲ କାର୍ଯ୍ୟାଳୟ ତାଲା ବନ୍ଦ କରି ପ୍ରତିବାଦ କରିଥିଲେ l ସେହିପରି କୃଷି ବିଭାଗ କାର୍ଯ୍ୟାଳୟ ପହଞ୍ଚି ବ୍ଲକ କୃଷି ଅଧିକାରୀ ପିଙ୍କୁ ସେନ କରଙ୍କୁ ଦାବୀ ପତ୍ର ଦେଇ ସେଠାରେ ମଧ୍ୟ ଅନୁରୂପ ଭାବେ ଅଫିସକୁ ତାଲା ମାରି ଆଜି ଦିନକ ପାଇଁ ବନ୍ଦ କରାଯାଇଥିଲା l

ସେଠାରେ ସମବେତ ଚାଷୀ ସମୂହ ପ୍ରତିବାତ୍ମକ ସଭା କରିଥିଲେ l ସଂଗଠନର ସଭାପତି ଭୁବନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଚାଷୀ ନେତା ବୀରେନ୍ଦ୍ର କରଙ୍କ ସଂଯୋଜନା କରିଥିଲେ l ଏଥିରେ ଚାଷୀମାନେ ନିଜ ନିଜ ଅଭିଭାଷଣ ରଖି ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରିଥିଲେ l ପରିଶେଷରେ ଧାନ କିଣାବିକାରେ ସରକାର ବାଧ୍ୟତାମୂଳକ କରିଥିବା ଏଗ୍ରିଷ୍ଟାକ୍ ନିୟମାବଳୀକୁ ଆସନ୍ତା ୧୪ ତାରିଖ ମଧ୍ୟରେ ନ ହଟାଇଲେ ଆସନ୍ତା ସ୍ୱାଧୀନତା ଦିବସ ୧୫ ତାରିଖ ଦିନ ସଂଗଠନ ଗୋଡ଼ଭଗା ମାର୍କେଟ ୟାର୍ଡ଼ ସମ୍ମୁଖ ସମ୍ବଲପୁର – ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଜାତୀୟ ପତାକା ଉଡାଇ ରାସ୍ତାରୋକ କରିବ ବୋଲି ଘୋଷଣା କରିଥିଲେ l ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଏଗ୍ରିଷ୍ଠାକକୁ ସଂପୂର୍ଣ୍ଣ ବନ୍ଦ ଉଚ୍ଛେଦ କରିବା, ପୂର୍ବରୁ ପଂଜୀକରଣ ଯେପରି ହେଉଥିଲା ସେପରି କରାଯିବା, ପଟ୍ଟା ନାମ (ଆରଓଆର୍) ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ନୂତନ ନିୟମ ଲାଗୁ ନ କରାଯିବା , ଯେତେ ରେଜିଷ୍ଟ୍ରସନ କରାଯିବ ସମସ୍ତ ଜମିର ଟୋକନ ଦେବା , କୌଣସି ଚାଷୀଙ୍କୁ ଧାନ ବିକ୍ରିକୁ ବଂଚିତ କରା ନ ଯିବା, ଦେବତ୍ତର ଜମିକୁ ପଂକୀରଣରେ ସାମିଲ କରାବା, ପଞ୍ଜିକରଣ ସମୟରେ ଚାଷୀ କରିଥିବା ପଞ୍ଜିକରଣର ପ୍ରମାଣପତ୍ର ଚାଷୀଙ୍କୁ ପ୍ରଦାନ କରାଯାଉ ବୋଲି ଦାବୀ ସମ୍ମିଳିତ ଏକ ସ୍ମାରକ ପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତାବିରା ତହସିଲଦାର ଙ୍କୁ ପ୍ରଦାନ କରାଯାଇଛି l ଏହି ସମସ୍ତ ଦାବି ପୂରଣ ନ ହେଲେ ଚାଷୀ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି । ଏଥିରେ ସଂଗଠନ ସଭାପତି ଭୁବନ ପ୍ରଧାନ, ସଂପାଦକ ନରେନ୍ଦ୍ର ପ୍ରଧାନ, ଚାଷୀନେତା ବିରେନ୍ଦ୍ର କର, ଟିକେଲାଲ ମିଶ୍ର, ପାପା ରାଓ, ସୁରେଶ କର୍ଣ୍ଣ, ବୁଦ୍ଧଦେବ ନନ୍ଦ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

