କ୍ରୀଡ଼ା ଶିକ୍ଷକ ରୂପଚନ୍ଦ୍ର ମେଣ୍ଡଳିଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା

0

ଅତାବିରା, ୧୭/୮(ସଂସ୍କୃତି ମିଡ଼ିଆ)-ଦୀର୍ଘବର୍ଷର ଶିକ୍ଷକତା ଜୀବନରେ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ସହ ଶୃଙ୍ଖଳା, ନିଷ୍ଠା ଓ ଜୀବନର ମୂଲ୍ୟବୋଧ ଶିକ୍ଷା ଦେଇ ଆସିଥିବା କ୍ରୀଡ଼ା ଶିକ୍ଷକ ରୂପଚନ୍ଦ୍ର ମେଣ୍ଡଳିଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡାସ୍ଥିତ ପଞ୍ଚାୟତ ହାଇସ୍କୁଲ ପରିସରରେ ସୋମବାର ଏହି ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

ଶ୍ରୀ ମେଣ୍ଡଳି ପଞ୍ଚାୟତ ହାଇସ୍କୁଲରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟରତ ଥାଇ ଗତ ଜୁଲାଇ ୩୧ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଦୀର୍ଘଦିନର କର୍ମମୟ ଜୀବନ ଓ ବିଦ୍ୟାଳୟ ପ୍ରତି ଅବଦାନକୁ ସ୍ମରଣ କରି ଏହି ବିଦାୟ ସମ୍ବର୍ଦ୍ଧନା ଆୟୋଜନ କରାଯାଇଥିଲା।

ସକାଳ ପ୍ରାୟ ୯ଟାରେ ଶ୍ରୀ ମେଣ୍ଡଳିଙ୍କୁ ଭଜନ କୀର୍ତ୍ତନ ସହ ଏକ ଭବ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମ ପରିକ୍ରମା ସମୟରେ ତାଙ୍କ ପ୍ରତି ଛାତ୍ରଛାତ୍ରୀ, ସହକର୍ମୀ ଓ ଗ୍ରାମବାସୀଙ୍କ ଭଲପାଇବା ଓ ସମ୍ମାନର ଚିତ୍ର ଦେଖିବାକୁ ମିଳିଥିଲା। ପରେ ମଧ୍ୟାହ୍ନରେ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ହୋଇଥିଲା।

ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ମେହେରଙ୍କ ଅଧ୍ୟକ୍ଷତା ଓ ରାଜେଶ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅତାବିରା ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯତୀନ କୁମାର ପ୍ରଧାନ, ଆନନ୍ଦ ମେହେର, ଦୀପକ ପ୍ରଧାନ, କୁବେର ପ୍ରଧାନ, ବ୍ଲକ ସଂପାଦକ ଖେଳ ଶିକ୍ଷକ ସୁଦୀପ୍ତ ସାହୁ ଏବଂ ଚକୁଳି ସରପଞ୍ଚ ଯୋଗଦେଇଥିଲେ।

ଶିକ୍ଷୟିତ୍ରୀ ସତ୍ୟଭାମା ପ୍ରଧାନ ମାନପତ୍ର ପାଠ କରି ଶ୍ରୀ ମେଣ୍ଡଳିଙ୍କ ଶିକ୍ଷକତା ଜୀବନର ବିଭିନ୍ନ ଦିଗ ଓ କ୍ରୀଡ଼ା କ୍ଷେତ୍ର ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସ୍କୃତ ଶିକ୍ଷକ ଦୀପକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

 

ବକ୍ତାମାନେ ନିଜ ବକ୍ତବ୍ୟରେ ରୂପଚନ୍ଦ୍ର ମେଣ୍ଡଳିଙ୍କ ନିଷ୍ଠାପର ସେବା ଓ ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ଆତ୍ମୀୟତାକୁ ସ୍ମରଣ କରିଥିଲେ। ଜଣେ କ୍ରୀଡ଼ା ଶିକ୍ଷକ ଭାବେ ସେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଶୃଙ୍ଖଳିତ ଓ ଉତ୍ତମ ମଣିଷ ହେବାର ପ୍ରେରଣା ଦେଇଥିବା କହିଥିଲେ।

ବିଦାୟ ବେଳେ ଉପସ୍ଥିତ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅତିଥିମାନଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ଅବସର ଗ୍ରହଣ କରିଥିଲେ ମଧ୍ୟ ଶ୍ରୀ ମେଣ୍ଡଳିଙ୍କ ଦୀର୍ଘବର୍ଷର ସେବା, ସ୍ନେହ ଓ ମାର୍ଗଦର୍ଶନ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ମନରେ ସବୁଦିନ ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ବ୍ୟକ୍ତିମାନେ ପ୍ରକାଶ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!