ବିଶ୍ୱ ଫଟୋଗ୍ରାଫି ଦିବସରେ ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ
ଅତାବିରା, ୧୯/୮, (ସଂସ୍କୃତି ମିଡ଼ିଆ)-ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଅତାବିରା ଫଟୋଗ୍ରାଫର ସଂଘ ପକ୍ଷରୁ ପପଙ୍ଗା ବଡ଼ପିପିଲିପାଲିସ୍ଥିତ ଆନନ୍ଦ ବୃଦ୍ଧାଶ୍ରମରେ ଏକ ସେବା କାର୍ଯ୍ୟକ୍ରମ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।
ସଂଘର ସଭାପତି ସଞ୍ଜୟ ରଥଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପିନାକଲ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ, ସମ୍ବଲପୁରର ନିର୍ଦ୍ଦେଶକ ମନୋରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଏବଂ ଆନନ୍ଦ ସେବାଶ୍ରମର ସଭାପତି ନିରୋଜ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସଂଘର ସମ୍ପାଦକ ସୁଦାମ ଚରଣ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ବଳରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ଅତାବିରା ଫଟୋଗ୍ରାଫର ସଂଘ ପକ୍ଷରୁ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏଥିସହ ସମସ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ଏହି ଅବସରରେ ଅସହାୟ ଓ ବୃଦ୍ଧମାନଙ୍କ ସେବା ହିଁ ପ୍ରକୃତ ମାନବ ସେବା ଏବଂ ମାନବ ସେବା ହିଁ ଭଗବାନଙ୍କ ସେବା ବୋଲି ମତ ପ୍ରକାଶ ପାଇଥିଲା। ଫଟୋଗ୍ରାଫି କେବଳ ଜୀବନର ସ୍ମୃତିକୁ କ୍ୟାମେରାରେ ସାଇତି ରଖିବା ନୁହେଁ, ବରଂ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ମଧ୍ୟ ପ୍ରକାଶ କରିବାର ଏକ ମାଧ୍ୟମ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।

ଫଟୋଗ୍ରାଫର ସଂଘର ଏଭଳି ମାନବିକ ପ୍ରୟାସକୁ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସମେତ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ।

