ଧାନ ପଞ୍ଜୀକରଣରେ ତ୍ରୁଟି ଦୂର ଦାବି

0

ଅତାବିରା, ୧୯/୮(ସଂସ୍କୃତି ମିଡ଼ିଆ)-ଚଳିତ ଖରିଫ ଋତୁ ପାଇଁ ଧାନ ପଞ୍ଜୀକରଣ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିବାବେଳେ ପଞ୍ଜୀକରଣ ପ୍ରକ୍ରିୟାରେ ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁ ଚାଷୀମାନେ ସମସ୍ୟାରେ ପଡୁଥିବା ଅଭିଯୋଗ ହୋଇଛି। ଏନେଇ ଓଡ଼ିଶା ରାଜ୍ୟ କୃଷକ ସଂଗଠନ , ଅତାବିରା ପକ୍ଷରୁ ବୁଧବାର ବରଗଡ଼ ଜିଲ୍ଲାପାଳଙ୍କୁ ପତ୍ର ଦେଇ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଛି।
ସଂଗଠନ ପକ୍ଷରୁ ଦର୍ଶାଯାଇଛି ଯେ, ଧାନ ପଞ୍ଜୀକରଣ ବ୍ୟବସ୍ଥାରେ ରହିଥିବା ବିଭିନ୍ନ ସମସ୍ୟା ଯୋଗୁ ଅନେକ ଚାଷୀ ସମୟରେ ପଞ୍ଜୀକରଣ କରିପାରୁନାହାନ୍ତି। ଏହା ଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।
ସମସ୍ୟାର ସମାଧାନ ପାଇଁ ପଞ୍ଜୀକରଣରେ ବ୍ୟବହୃତ ଆଇଡି-ପାସୱାର୍ଡ ପରିବର୍ତ୍ତନ, ପଞ୍ଜୀକରଣ ସଂଖ୍ୟା ଓ ଲକ୍ଷ୍ୟ ବୃଦ୍ଧି, ଚାଷୀଙ୍କ ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ, ଆବଶ୍ୟକ ସମୟସୀମା ବୃଦ୍ଧି ସମେତ ବିଭିନ୍ନ ଦାବି ରଖାଯାଇଛି। ଏଥିସହ ପଞ୍ଜୀକରଣ ସମୟରେ ଅଯଥା କାଗଜପତ୍ର ନ ମାଗିବା ଏବଂ କୌଣସି ଚାଷୀ ଯେପରି ପଞ୍ଜୀକରଣରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ସଂଗଠନ ଦାବି କରିଛି।
ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରାଗଲେ ଧାନ ପଞ୍ଜୀକରଣ ପ୍ରକ୍ରିୟା ସୁଗମ ହେବ ବୋଲି ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
ଏଥିରେ ସଂଗଠନର ସଭାପତି ଭୁବନ ପ୍ରଧାନ, ସମ୍ପାଦକ ନରେନ୍ଦ୍ର ପ୍ରଧାନ, ଚାଷୀ ନେତା ବୀରେନ୍ଦ୍ର କର, ସଂକ୍ରାନ୍ତି ବାବୁ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!