ରେଳବାଇ କ୍ରମାଗତଭାବେ ଅବହେଳା କରୁଥିବା ପ୍ରତିବାଦରେ ବରଗଡ଼ ଓ ବଲାଙ୍ଗୀର ରେଳଷ୍ଟେସନ ଠାରେ ଶାନ୍ତିପୂର୍ଣ୍ଣ ଧାରଣା

0

ବରଗଡ଼,11/1(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ରେଳ ଉପଭୋକ୍ତା ସଂଘର ଦୀର୍ଘ ଦିନର ଦାବି – ଭୁବନେଶ୍ୱରକୁ ସକାଳୁଆ ଟ୍ରେନ ଏବଂ ନୂଆଦିଲ୍ଲୀକୁ ସିଧାସଳଖ ଟ୍ରେନ ସୁବିଧା ଯୋଗାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ଉଭୟ ଷ୍ଟେସନରେ ତା. ୧୧/୦୧/୨୦୨୪ ଦିନ ସକାଳ ୧୦ ଘ. ରୁ ୧ ଘ. ପର୍ଯ୍ୟନ୍ତ ‘ ଧାରଣା ‘ ପ୍ରଦର୍ଶନ କରାଯାଇଥିଲା। 
ରେଳ ଲାଇନ ଦୋହରୀକରଣ ପରେ ଏହି ଦାବିଦ୍ବୟ ପୂରଣ କରାଯାଇପାରିବ ବୋଲି ପ୍ରଥମେ ଅଧିକାରୀ ମାନେ କହୁଥିଲେ। ପରେ ଏଠାରେ ରକ୍ଷଣାବେକ୍ଷଣର ଅଭାବ ଦର୍ଶାଇ ପ୍ରଥମ ଦାବି ପୂରଣ ହେବା ନେଇ ନାସ୍ତିବାଚକ ସୂଚନା ଦେଇଥିଲେ। ବରଗଡ଼ ରେଳ ଉପଭୋକ୍ତା ସଂଘ ଏଥିପାଇଁ ଦୁଇଟି ବିକଳ୍ପ ଜଣାଇଥିଲା। ପ୍ରଥମଟି, ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଦୁଇ ରେକ୍ ବିଶିଷ୍ଟ କରି ପୁରୀରେ ରକ୍ଷଣାବେକ୍ଷଣ କରି ବଲାଙ୍ଗୀର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଏବଂ ଦ୍ଵିତୀୟରେ ବଲାଙ୍ଗୀରରୁ ଏକ ନୂତନ ଟ୍ରେନ କଟକ ଦେଇ ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଇବା। ଦ୍ଵିତୀୟ ଦାବି ପୁରଣ କରିବା ପାଇଁ ତ୍ରୀ-ସାପ୍ତାହିକ ହୀରାକୁଦ ଏକ୍ସପ୍ରେସକୁ ସପ୍ତାହର ଅବଶିଷ୍ଟ ଚାରିଦିନ ରାୟଗଡ଼ା, ଟିଟିଲାଗଡ ଓ ସମ୍ବଲପୁର ଦେଇ ଚଳାଇବା ମଧ୍ୟ ଅନୁରୋଧ କରାଯାଇଥିଲା। କୁହାଯାଏ, ଇଚ୍ଛା ଥିଲେ ଉପାୟ ଦିଶେ, କିନ୍ତୁ ଇଚ୍ଛା ନ ଥିଲେ ଖାଲି ବାହାନା ଖୋଜାଯାଏ।
ଉଭୟ ସଂଘକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ପରବର୍ତ୍ତୀ ପଦକ୍ଷେପ ଏହି ଧାରଣାକୁ ନେଇ ରେଳବାଇର ଉତ୍ତର ଉପରେ ନିର୍ଭର କରୁଛି। ରେଳବାଇର ନୀରବତା ଆନ୍ଦୋଳନକୁ ଆହୁରି ଜଟିଳ କରିପାରେ। ଆନ୍ଦୋଳନରେ ସମଗ୍ର ଜନସାଧାରଣ ସାମିଲ ହେଲେ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ମଧ୍ୟ ରହିଛି।

ଆଜିର ଧାରଣା କାର୍ଯ୍ୟକ୍ରମରେ ପ୍ରଦୀପ ଦେବତା, କୃଷ୍ଣ ଚନ୍ଦ୍ର ପଣ୍ଡା, ସର୍ଦ୍ଦାର ପ୍ରିତମ ସିଂହ, କମଳ ଯୋଶୀ, ଗୋପାଳ ଚନ୍ଦ୍ର ଦାଶ, କିଶୋର କୁମାର ରଥ, ଅଭୟ କୁମାର ଭୋଇ, ଅଭିଜିତ ପ୍ରତିହାର, ଗୋବିନ୍ଦ ଦାଶ, ଅଚ୍ୟୁତାନନ୍ଦ ବାରିକ, ମଳୟ ମହାନ୍ତି, ତୁଳସୀ ଚରଣ ଦାଶ, ସତ୍ୟ ନାରାୟଣ ପଣ୍ଡା, ଦେବୀ ପଟ୍ଟନାୟକ, ଉଦ୍ଧବ ବେହେରା, ଲକି ମିରୱାନି, ବିଷ୍ଣୁ ଧାନୁକା, ପ୍ରଫୁଲ୍ଲ ନନ୍ଦ, ଅନିଲ ଅଗ୍ରୱାଲ ପ୍ରମୁଖ ଅଂଶ ଗ୍ରହଣ କରି ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!