ଜନ୍ମ ମାଟିରେ ମାଗଣା ଚିକିତ୍ସା କରୁଛନ୍ତି ଡାକ୍ତର ମେଘନାଥ ମେହେର
ଆମେ କହୁଛୁଁ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସରକଣ୍ଡା ଗାଁର କଥା । ଆଉ ଏଠାରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ହେଉଛନ୍ତି ଏହି ଗାଁର ପୁଅ ଡାକ୍ତର ମେଘନାଥ । ସେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରର ସୋମ ହସ୍ପିଟାଲରେ କାର୍ଯ୍ୟରତ । କିନ୍ତୁ ନିଜ ଜନ୍ମମାଟିକୁ ଭୁଲି ନାହାଁନ୍ତି । ନିଜ ଜନ୍ମମାଟି ଲୋକ ଯେପରି ଚିକିତ୍ସାରୁ ବଞ୍ଚିତ ନହେବେ ସେଥିପାଇଁ ତାଙ୍କ ମାଙ୍କ ନାମରେ ତାରା ସ୍ବାସ୍ଥ୍ୟ ସଚେତନ କେନ୍ଦ୍ର ନାମରେ ଏକ କ୍ଲିନିକ ଖୋଲିଛନ୍ତି । ଆଉ ମାଗଣାରେ ଲୋକଙ୍କୁ ଚିକିତ୍ସା କରୁଛନ୍ତି । ରୋଗରୁ ଲୋକେ କିପରି ଦୂରେଇ ରହିବେ ସେନେଇ ସଚେତନ ମଧ୍ୟ କରୁଛନ୍ତି । ସାଧାରଣ ଜ୍ଵର ଠାରୁ ଆରମ୍ଭ କରି ମ୍ୟାଲେରିଆ, ମଧୁମେହ, ବ୍ଲଡ ପ୍ରେସର ପରି ରୋଗର ମାଗଣାରେ ପରୀକ୍ଷା କରିବା ସହ ଔଷଧ ମଧ୍ୟ ପ୍ରଦାନ କରାଉଛନ୍ତି । ଏଥିପାଇଁ ରୋଗୀଙ୍କ ସହ ଡାକ୍ତର ମଧ୍ୟ ଖୁସିଥିବା କହିଛନ୍ତି । ଛୋଟଟି ଦିନରୁ ମେଘନାଥ ମେହେର ଡାକ୍ତର ହେବା ସ୍ବପ୍ନ ଦେଖିଥିଲେ । ଗାଆଁ ଲୋକେ କିପରି ସୁବିଧାରେ ଚିକିତ୍ସା ପାଇ ପାରିବେ ସେହି ଲକ୍ଷ୍ୟ ନେଇ ଆଗକୁ ବଢ଼ି ଚାଲିଲେ । ସେ ଗାଁ ସ୍କୁଲରେ ହିଁ ଦଶମ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ପରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ କଟକରେ ଡାକ୍ତରୀ ପାଠ ପଢ଼ି ଡିଗ୍ରୀ ଅର୍ଜନ କରିଥିଲେ । ପରେ ଭୁବନେଶ୍ୱର ଏମ୍ସରେ ତିନି ବର୍ଷ ଚାକିରି କଲାପରେ ଏବେ ସୋମ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି।
ଆଉ ଏବେ ନିଜ ଗ୍ରାମ ସହ ଅଞ୍ଚଳବାସୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଗର୍ବିତ ମନେ କରୁଥିବା ବେଳେ ଡାକ୍ତର ମେଘନାଥ ମେହେରଙ୍କ ଏପରି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରୁଛନ୍ତି। ଡାକ୍ତରଙ୍କୁ ସମସ୍ତେ ଭଗବାନ ସ୍ୱରୂପ ଦେଖିଥାନ୍ତି । କିନ୍ତୁ ସରକଣ୍ଡା ଗ୍ରାମବାସୀ ଭଗବାନ ରୂପରେ ନିଜର ମା ମାଟିର ସନ୍ତାନକୁ ପାଇ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି ଗ୍ରାମବାସୀ l