ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣ ପହଞ୍ଚିଲା ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ରରେ

0

ଭଟଲି,୨୯।୧୨(ସଂସ୍କୃତି ମିଡ଼ିଆ ବ୍ୟୁରୋ ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆସନ୍ତା ଜାନୁଆରୀ ମାସ ୧୭ ତାରିଖ ଏହି ପ୍ରକଳ୍ପର ଲୋକାର୍ପଣ ମହୋତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ପାଇଁ ସମଗ୍ର ଦେଶରେ ତଥା ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ଦେବା ଦେବୀ ମନ୍ଦିରକୁ ନିମନ୍ତ୍ରଣ କରିବାପାଇଁ ଶ୍ରୀକ୍ଷେତ୍ର ପୁରୀରୁ ସେବାୟତମାନଙ୍କ ପ୍ରତିନିଧି ମଣ୍ଡଳୀ ବାହାରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ପୁରୀରୁ ଆସିଥିବା ସେବାୟତମାନଙ୍କ ପ୍ରତିନିଧି ମଣ୍ଡଳୀରେ ସେବାୟତ ବିପିନ ପତ୍ରୀ, ଜୟକୃଷ୍ଣ ମହାପାତ୍ର, ସିକନ୍ ପତ୍ରୀ ଓ ଡେପୁଟି ଡାଇରେକ୍ଟର -ପ୍ଲାନିଂ ସୂର୍ଯ୍ଯନାରାୟଣ ତ୍ରିପାଠି ପ୍ରମୁଖ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲିଧାମରେ ପହଞ୍ଚି ଆରଧ୍ୟ ଦେବତା ଶ୍ରୀ ଦଧିବାମନ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି । ଭଟଲିରେ ପହଞ୍ଚିବା ପରେ ପ୍ରତିନିଧି ମଣ୍ଡଳୀଙ୍କୁ ଉପ-ଜିଲ୍ଲାପାଳ କୁମାର ନାଗଭୂଷଣ, ଏଡିଏମ୍ ଲଲାଟ କୁମାର ଲୁହା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କଲ୍ୟାଣୀ ଦାସ, ଭଟଲି ବିଡ଼ିଓ ଭିକ୍ଟର ସୋରେଙ୍ଗ ଓ ତହସିଲଦାର ଜି ରସ୍ମିରେଖା, ମନ୍ଦିର ପରିଚାଳନା କମିଟି ଓ ଭଟଲି ଗ୍ରାମବାସୀମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇ ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ,ହରିବୋଳ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ସହିତ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଶ୍ରୀମନ୍ଦିରକୁ ପାଛୋଟି ନିଆଯାଇଥିଲା । ମନ୍ଦିରରେ ସେବାୟତ ମାନେ ପ୍ରଭୁ ଦଧିବାମନଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ସାମୁହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ । ତାପରେ ସେମାନେ ପ୍ରଭୁ ଦଧିବାମନଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନୀ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଏକ ଆଧ୍ଯାତ୍ମିକ ଭାବବିହ୍ବଳ ପରିବେଶ ମଧ୍ଯରେ ସେମାନେ ପ୍ରଭୁଙ୍କ ସହ ସମସ୍ତ ସେବାୟତ ଓ ଭକ୍ତମଣ୍ଡଳୀଙ୍କୁ ଉକ୍ତ ଉତ୍ସବକୁ ନିମନ୍ତ୍ରଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!