ସମ୍ବଲପୁରୀ ଭାଷା ସୁରକ୍ଷା ପାଇଁ ଗଠିତ ହେଲା “ସମ୍ବଲପୁରୀ ଝରନ”

0

ସମ୍ବଲପୁର, 27/12 (ସଂସ୍କୃତି ମିଡିଆ ବ୍ୟୁରୋ )-ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ସ୍ବାଭିମାନର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରେଙ୍ଗାଲିଠାରେ “ସମ୍ବଲପୁରୀ ଝରନ୍”ନାମକ ଏକ ସଂଗଠନ ମଙ୍ଗଳବାର ଦିନ ଗଠିତ ହୋଇଯାଇଛି। ସ୍ଥାନୀୟ ଘନଶ୍ୟାମ ମନ୍ଦିର ପ୍ରାଙ୍ଗଣରେ ସମ୍ବଲପୁରୀ ଭାଷାପ୍ରେମୀ ମନୋଜ କୁମାର ନାୟକଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଅନେକ ସଚେତନ ବ୍ୟକ୍ତି, କବି, ଲେଖକ, କଳାକାର ଯୋଗଦାନକରି ଲୁଚି ଯାଉଥିବା ଲୋକକଳା, ଲୋକଗୀତ ଆଦିର ସୁରକ୍ଷା ତଥା ପୁନଃରୁଦ୍ଧାର ଉପରେ ଗୁରୁତ୍ଵ ପ୍ରଦାନ କରିବା ସହ ସମ୍ବଲପୁରୀ ଭାଷାର ବିକଳ୍ପ ନାମକରଣକୁ ଦୃଢ଼ ନିନ୍ଦା କରିଥିଲେ। ସଭା ପ୍ରାରମ୍ଭରେ ବର୍ଷୀୟାନ କବି, ଗୀତିକାର ଓ ଗାୟକ ଜଗଦୀଶ ତ୍ରିପାଠୀ ମାଁ ସମଲେଇଙ୍କ ଏକ ହୃଦୟସ୍ପର୍ଶୀ ଭଜନ ପରିବେଷଣ କରିବା ସହ ସମ୍ବଲପୁରୀ ଭାଷା ର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ନିଜ ଅଞ୍ଚଳର କବି, ଲେଖକ, କଳାକାରମାନଙ୍କ ସୃଷ୍ଟି ଗୁଡ଼ିକୁ ସଂଗ୍ରହ କରି ଏକ ସଂଗ୍ରହାଳୟ ସ୍ଥାପନ କରିବାକୁ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସୁପରିଚାଳନା ନିମନ୍ତେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ଵାଳ ଙ୍କୁ ସଭାପତି, ପର୍ଶୁରାମ ନାଥ ଓ ଗୁଣମଣି ସାହୁ ଙ୍କୁ ଉପସଭାପତି, ମନୋଜ କୁମାର ନାୟକଙ୍କୁ ସମ୍ପାଦକ, ସମୀରକାନ୍ତ ମାହାଣା ସହ-ସଂପାଦକ, ରମେଶ ଚନ୍ଦ୍ର ବାରିକ ସାଂସ୍କୃତିକ ସଂପାଦକ, ସାମ୍ବାଦିକ ସୁବ୍ରତ ପାଢ଼ୀ ଗଣମାଧ୍ୟମ ସଂପାଦକ ଏବଂ ଧବଳେଶ୍ବର ମାହଣାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।

ପରିଶେଷରେ ଅନୁଷ୍ଠାନର ଦୀର୍ଘାୟୁ କାମନା ସହ ରମେଶ ଚନ୍ଦ୍ର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!