ଦେବଗଡ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ୩୫ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ
ସମ୍ବଲପୁର,26/12 (ସଂସ୍କୃତି ମିଡିଆ ବ୍ୟୁରୋ)- ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ଅନୁଷ୍ଠାନ ଦେବଗଡ଼ସ୍ଥିତ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ୩୫ତମ ସ୍ଵନକ୍ଷତ୍ର ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ସଂସଦର ସଭାପତି ଡ଼. ଭାରତ ଭୁଷଣ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି , ବିଶିଷ୍ଟ ସାହିତ୍ୟିକ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଓ ନାକ୍ଟିଦେଉଳ କଲେଜର ଅଧ୍ୟକ୍ଷ ଡ଼. ମନୋଜ ପଧାନ ବକ୍ତା ଭାବରେ ଯୋଗ ଦେଇ ଓଡ଼ିଶାର ସାରସ୍ଵତ ଆନ୍ଦୋଳନରେ ବାମଣ୍ଡା ସଂପର୍କରେ ଉଦବୋଧନ ଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସଦାଶିବ ପଧାନ, ଦେବଗଡ଼ ପୌରପାଳିକା ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ, ଆଇନଜୀବୀ ହୃଦାନନ୍ଦ ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ । ଅତିଥି ଗଣ ସଂସଦ ର ବାର୍ଷିକ ମୁଖପତ୍ର ପଦରେଣୁ କୁ ଉନ୍ମୋଚନ କରିଥିଲେ । ସଂସଦର ସମ୍ପାଦକ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ ଓ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରଥିବା ବେଳେ ମାନପତ୍ର ମଧ୍ୟ ପଠନ କରିଥିଲେ । ସଦସ୍ୟା ସୁମିତ୍ରା ପୁରୋହିତ ବାର୍ଷିକ ବିବରଣୀ ପଠନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅବସରରେ ଅବସରପ୍ରାପ୍ତ ପ୍ରାପ୍ତ ପ୍ରଶାସନିକ ଅଧିକାରୀ ମୁରଲୀଧର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।