ପଦ୍ମପୁର ପରେ କୁଚିଣ୍ଡାକୁ ଜିଲ୍ଲା ଦାବିକରି କୁଚିଣ୍ଡା ବନ୍ଦ ଆନ୍ଦୋଳନ ଡାକରା ସଂପୂର୍ଣ୍ଣ ସଫଳ : ସର୍ବଦଳୀୟ ନେତାଙ୍କ ଆନ୍ଦୋଳନ ଯୋଗଦାନ
ସମ୍ବଲପୁର,୨୨ /୧୨(ସଂସ୍କୃତି ମିଡିଆ ବ୍ୟୁରୋ)
ସରକାର ପଦ୍ମପୁର ଜିଲ୍ଲା ଘୋଷଣା ପାଇଁ ସଜବାଜ ହେଉଥିବା ବେଳେ ଗୁରୁବାର କୁଚିଣ୍ଡାକୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରୂପେ ଘୋଷଣା ଦାବିକରି ପୂର୍ବରୁ ଦେଇଥିବା ଶାନ୍ତିପୂର୍ଣ୍ଣ ଡାକରା ଗୁରୁବାର ସଂପୂର୍ଣ୍ଣ ସଫଳ ହୋଇଥିବା ଦେଖାଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଅଫିସକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ‘ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ଓକିଲ ସଂଘ ସଭାପତି ପ୍ରମୋଦ ଛୁରିଆ, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ଓକିଲ ହୃଦାନନ୍ଦ ଶର୍ମା, ସଚିଦାନନ୍ଦ ଶର୍ମା ପ୍ରମୁଖଙ୍କ ନେତୃତ୍ୱରେ ପିକେଟିଂ କରିବାରୁ ଅଧିକାରୀ ଓ କର୍ମଚାରୀମାନେ ଫେଇଯିବାକୁ ବାଧ୍ୟ ହୋଇଥିଲେ। କମିଟିର ସଦସ୍ୟଙ୍କ ପିକେଟିଂ ଯୋଗୁଁ ସମସ୍ତ ଅଫିସ, ସ୍କୁଲ, କଲେଜ, ବ୍ୟାଙ୍କ, ଦୋକାନ, ବଜାର ବନ୍ଦଥିବା ଦେଖିବାକୁ ମିଳିଥିଲା। ଗ୍ରାମାଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ଅନୁଭୂତ ହୋଇଥିଲା। ଭୋଜପୁର, କେସାଇବାହାଲ ମଧ୍ୟ ସଂପୂର୍ଣ୍ଣ ବନ୍ଦଥିଲା। କୁଚିଣ୍ଡା ସହରର ମୁଖ୍ୟ ସ୍ଥଳ ପୁରୁଣା ବସଷ୍ଟାଣ୍ଡରେ କମିଟିର ସଦସ୍ୟଙ୍କ ସହ ବିଜେଡି ବିଧାୟକ କିଶୋର ନାଏକ, ବିଜେପିର ପୂର୍ବତନ ବିଧାୟକ ରବି ନାଏକ, ଏନଏସି ଅଧ୍ୟକ୍ଷl ପ୍ରଦ୍ୟୁତ ମହାନ୍ତି, କଂଗ୍ରେସ ନେତା ପୂର୍ବ ନଗରପାଳ ସିଂ ମହୋଦୟ ପ୍ରମୁଖ ଅଂଶ ଗ୍ରହଣ କରିଥିବାରୁ ଏହି ସର୍ବଦଳୀୟ ଦାବି ରାଜ୍ୟ ସରକାର ପୂରଣ କରିବେ ବୋଲି କମିଟିର ଅନ୍ୟତମ ସକ୍ରୀୟ ନେତା ଅବସରପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ସୁବାଷ ନାୟକ ଆଶା ପ୍ରକାଶ କରିଛନ୍ତି। ସେ ଏକ ବିବୃତିରେ କୁଚିଣ୍ଡା ଉପଖଣ୍ଡର ଜନସାଧାରଣଙ୍କ ସ୍ଵତଃସ୍ପୃତ ସମର୍ଥନ ପାଇଁ ଆନ୍ଦୋଳନକାରୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ ପ୍ରକାଶ କରିଛନ୍ତି l
(କୁଚିଣ୍ଡାରୁ ସୁବାସ ନାୟକଙ୍କ ରିପୋର୍ଟ)