ବରଗଡ଼ ଧନ଼ୁଯାତ୍ରାରେ ପୂର୍ବରୁ ସମ୍ବଲପୁରୀ ଭାଷାର ପ୍ରୟୋଗ ହୋଇଥିଲା କି?

0

ବରଗଡ଼ ଧନୁଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ସମ୍ବଲପୁରୀ ଭାଷାରେ କରାଯିବା ଦାବିକୁ ସମର୍ଥନ କରୁଥିବା କିଛି ବୁଦ୍ଧିଜିବୀ ମୋତେ ସମ୍ପର୍କ କରି ଜାଣିବାକୁ ଚାହିଥିଲେ ଯେ ବରଗଡ଼ ଧନୁଯାତ୍ରା ଯଦି ଭାରତୀୟ ସ୍ୱାଧିନତା ଆନ୍ଦୋଳନର ପ୍ରତିକ୍ରିୟା ସ୍ୱରୂପ ଆୟୋଜିତ ହୋଇଥିଲା ଏ ସମ୍ପର୍କିତ କିଛି ପ୍ରାମାଣିକ ତଥ୍ୟ ରହିଛି କି? ଧନୁଯାତ୍ରା ଯଦି ଏତେ ପ୍ରଶିଦ୍ଧ ତାହେଲେ ସମ୍ବଲପୁର ଡ଼ିଷ୍ଟ୍ରିକ୍ଟ ଗେଜେଟିୟରରେ ଏହାର ଉଲ୍ଲେଖ କରାଯାଇ ନାହିଁ କାହିଁକି? ବରଗଡ଼ ଧନୁଯାତ୍ରାରେ ଯଦି କୌଣସି ଭାଷାର ବନ୍ଧନ ନାହିଁ ତାହେଲେ ବରଗଡ଼ ଧନୁଯାତ୍ରାରେ ସମ୍ବଲପୁରୀ ଭାଷାର ପ୍ରୟୋଗ କେବେ ହୋଇଥିଲା କି? ଏଭଳି ନାନାଦି ପ୍ରଶ୍ନ ମୋତେ କରାଯାଇଥିଲା । ମୁଁ ସେମାନଙ୍କୁ ବୁଝାଇ ଦେଇଥିଲି ଯେ ସେମାନଙ୍କର ପ୍ରଶ୍ନ ଭିତରେ ହିଁ ଉତ୍ତର ଅର୍ନ୍ତନିହିତ ରହିଛି । କାରଣର ପ୍ରଶ୍ନକୁ ଟିକିନିଖି କରି ଯେତେ ବିଶ୍ଲେଷଣ କରାଯିବ ତହିଁଣ ଉତ୍ତର ପାଇବା ସେତେ ସୁଗମ ହୋଇଥାଏ । ବରଗଡ଼ ଧନୁଯାତ୍ରା ପରି ଏକ ଐତିହାସିକ ମହତ୍ୱଥିବା ଘଟଣା କାହିଁକି ସମ୍ବଲପୁର ଡ଼ିଷ୍ଟ୍ରିକ୍ଟ ଗେଜେଟିୟରରେ ସ୍ଥାନ ପାଇଲା ନାହିଁ ତାହାହିଁତ ପରୋକ୍ଷରେ ପ୍ରମାଣିତ କରୁଛି ଯେ ବରଗଡ଼ ଧନୁଯାତ୍ରା ଏକ ଲୋକନାଟକ ଏବଂ କେବିବି ଏହା ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ଶାସ୍ତ୍ରୀୟ ଓଡ଼ିଆରେ ଏହା ହେଉ ନଥିଲା ବରଂ ସ୍ଥାନୀୟ ଲୋକଙ୍କ ମୁହଁରୁ ସାବଳୀଳ ରୂପେ ଯେଉଁ ଶବ୍ଦ ନିସୃତ ହୋଇଥାଏ ତହିଁର ପ୍ରୟୋଗ ହେଉଥିଲା ଏବଂ ଅଦ୍ୟବଧି ହେଉ ଆସୁଛି । ଯଦିଓ ଓଡ଼ିଆ ଭାଷା ଏଥିରେ ପ୍ରମୁଖତା ଗ୍ରହଣ କରିଥିଲା ମାତ୍ର ଦେବଭାଷା ସଂସ୍କୃତ ସମେତ ହିନ୍ଦୀ ଓ ଆଞ୍ଚଳିକ ଭାଷାର ବହୁଳତା ରହିଥିବାରୁ ତତ୍କାଳୀନ ବୁଦ୍ଧିଜିବୀ ମାନେ ଏହାକୁ ନ୍ୟୁନ ଓ ଇତର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମନେକରୁଥିଲେ । ଏହି କାରଣରୁ ୧୯୭୧ରେ ପ୍ରସ୍ତୁତ କରାଯାଇଥିବା ସମ୍ବଲପୁର ଜିଲ୍ଲା ଗେଜେଟିୟରରେ ବରଗଡ଼ ଧନୁଯାତ୍ରା ସମ୍ପର୍କରେ କୌଣସି ସୂଚନା ନଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏକଦା ବରଗଡ଼ ସମେତ ଫୁଳଝର,ସମ୍ବଲପୁର ଅଞ୍ଚଳ ସେଣ୍ଟ୍ରାଲ ପ୍ରେଭିନ୍ସରୁ ଅର୍ନ୍ତଗତ ଥିଲା । ପରବର୍ତି ସମୟରେ ଓଡ଼ିଶାରେ ମିଶ୍ରଣ ସମୟରେ ବରଗଡ଼ ସମ୍ବଲପୁର ଜିଲ୍ଲା ଅର୍ନ୍ତଗତ ଥିଲା । ୧୯୪୭ ପୂର୍ବରୁ କୌଣସି ଅଞ୍ଚଳରେ ଧନୁଯାତ୍ରା ହୋଇ ନଥିବାରୁ ଇଂରେଜ ମାନଙ୍କ ଦ୍ୱାରା ସମ୍ପାଦିତ ଇମ୍ପେରିଆଲ ଗେଜେଟ ହେଉ କି ୧୯୨୧ର ହମିଦ ସେଟଲମେଣ୍ଟ ରେକର୍ଡ଼ରେ ଏହାର ଉଲ୍ଲେଖ ନାହିଁ । ମାତ୍ର ୧୯୭୧ରେ ପ୍ରସ୍ତୁତ ସମ୍ବଲପୁର ଡ଼ିଷ୍ଟ୍ରିକ୍ଟ ଗେଜେଟିୟରେ ବରଗଡ଼ ଧନ଼ୁଯାତ୍ରାର ଉଲ୍ଲେଖ କରା ନଯିବା କାରଣ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ବରଗଡ଼ ଧନୁଯାତ୍ରା ୧୯୪୭ରେ ଶୁଭ ଦିଆଯାଇଥିଲେ ମଧ୍ୟ ବାସ୍ତବ ଯାତ୍ରା ୧୨ ଜାନୁୟାରୀ ୧୯୪୮ରୁ ୨୬ ଜାନୁୟାରୀ ୧୯୪୮(ପୌଷ ପୂର୍ଣ୍ଣିମା ବା ଛେରଛେରା) ପର୍ଯ୍ୟନ୍ତ ହୋଇଥିଲା । ସମ୍ବଲପୁର ଜିଲ୍ଲା ଗେଜେଟିୟରରେ ସମ୍ପାଦନ ଦାୟିତ୍ୱରେ ଥିବା ନିଳମଣୀ ସେନାପତି ଓ ଭାବକୃଷ୍ଣ ମହାନ୍ତି ଏଥିରେ ଅବିଭକ୍ତ ସମ୍ବଲପୁର ଜିଲ୍ଳାର ଟିକିନିଖି ବିବରଣୀ ଏଥିରେ ସଙ୍କଳିତ କରାଯାଇଥିଲେ ହେଁ ବରଗଡ଼ର ଗୌରବମୟ ସାଂସ୍କୃତିକ ପରମ୍ପରାର ପ୍ରତୀକ ବରଗଡ଼ ଧନୁଯାତ୍ରା ସମ୍ପର୍କରେ ଏଥିରେ ଉଲ୍ଲେଖ କରା ଯାଇ ନଥିଲା । ଏହାର ଉତ୍ତର ଜାଣିବା ପାଇଁ ମୁଁ ନିଳମଣୀ ସେନାପତି ଓ ଭାବକୃଷ୍ଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥିବା ବରଗଡ଼ର ଭାଷା ଭାରତୀ ଜାତୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ୰ ଦୟାଲାଲ ଯୋଷୀ ଓ ଏଡ଼ଭୋକେଟ ୰ ଗୋପାକୃଷ୍ଣ ମିଶ୍ର, ଦିବଙ୍ଗତ ଡ଼ାକ୍ତର ଯୋଗେଶ ପାଢ଼ୀ, ଦିବଙ୍ଗତ ଡ଼ାକ୍ତର ଲଳିତ ମୋହନ ଦାଶଙ୍କ ସହ ବ୍ୟକ୍ତିଗତ ରୂପେ ଆଲୋଚନା କରିଥିଲେ । ସେ ସମୟରେ ଏମାନେ ବରଗଡ଼ର ପ୍ରମୁଖ ମୂରବୀ ଥିଲେ । ସେମାନଙ୍କ ସହ ଆଲୋଚନାରୁ ଜଣାପଡ଼ିଥିଲା ଯେ ସେ ସମୟରେ ବରଗଡ଼ର ଲୋକେ ଅତ୍ୟନ୍ତ ରକ୍ଷଣଶୀଳ ଥିଲେ ।ନାଚିବା ଓ ଗାଇବାକୁ ରକ୍ଷଣଶୀଳ ପରିବାରର ଲୋକେ ପସନ୍ଦ କରୁ ନଥିଲେ । ନାଚିବାକୁ ‘ଅଲାଜୁଗିଆ’ଙ୍କ କାରବାର ରୂପେ ବିବେଚନା କରାଯାଉଥିଲା ଏବଂ ଯେହେତୁ ଧନୁଯାତ୍ରା ମୁଖ୍ୟତଃ ମଲିମୁଣ୍ଡିଆ ହେମାଲି ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ତଥା କଥିତ ଭଦ୍ରପରିବାର ଲୋକେ ନିଜ ପିଲାଛୁଆଙ୍କୁ ଧନୁଯାତ୍ରା ଦେଖିବାକୁ ଛାଡ଼ୁ ନଥିଲେ । କାରଣ ଏଥିରେ ସମ୍ବଲପୁରୀ ଗୀତ ଓ ଭେଷଡ଼ିଆ ନାଚ ସମ୍ମିଳିତ କରାଯାଇଥିଲା । ଏଣୁ ୰ ଦଲାଲାଲ ଯୋଶୀ, ୰ ଗୋପାଳକୃଷ୍ଣ ମିଶ୍ର ପ୍ରମୁଖ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ଧନୁଯାତ୍ରା ଦେଖିବାକୁ ଯାଇ ନଥିଲେ ।ତେବେ ଯିବା ଆସିବା ସମୟରେ ମହାରାଜା କଂସ ହାତୀ ପୃଷ୍ଠରେ ବସି ଯାଉଥିବା ଓ ତାଙ୍କ ପଛରେ ଲୋକେ ଧାଉଁଥିବା ସେମାନେ ଦେଖିଥିଲେ ।ସେ ସମୟରେ ମହାରାଜା କଂସ ସିନେମା ହଲରେ ଲୋକଙ୍କୁ ମାଗଣା ସିନେମା ଦେଖିବା ପାଇଁ ନିର୍ଦ୍ଦେଶ ଦେବା, ପିପଲାନୀ ହୋଟେଲରେ ମାଗଣା ଖାଇବାକୁ ଦେବା ପାଇଁ ନିର୍ଦ୍ଦେଶ ଦେବା ପ୍ରଭୃତି କାରଣରୁ କଂସ ଯାଉଥିବା ରାସ୍ତାରେ ଦୋକାନ ବଜାର ବନ୍ଦ ହୋଇ ଯାଉଥିଲା । ଏଣୁ ବୁଦ୍ଧିଜିବୀଙ୍କ ଦ୍ୱାରା ବରଗଡ଼ ଧନୁଯାତ୍ରାକୁ ଏକ ଉତ୍ତମ ସାଂସ୍କୃତିକ ପରମ୍ପରା ରୂପେ ଗ୍ରହଣ କରୁନଥିଲେ ।ତେବେ ସେ ସମୟର ଅନ୍ୟତମ ବୁଦ୍ଧିଜିବୀ ତତତ୍କାଳିନ ସେନିଟେରୀ ଇନ୍ସପେକ୍ଟର କପିଲ ଶତପଥି ଧନୁଯାତ୍ରା ସହ ଜଡ଼ିତ ଥିଲେ । କୃତାର୍ଥ ଆଚାର୍ଯ୍ୟ ମଧ୍ୟ ଧନୁଯାତ୍ରାର ପୃଷ୍ଠପୋଷକତା କରୁଥିଲେ । ଏହି କାରଣରୁ ସମ୍ବଲପୁର ଗେଜେଟିୟର ପ୍ରସ୍ତୁତ କରିଥିବା ନିଳମଣୀ ସେନାପତି ଓ ଭାବକୃଷ୍ଣ ମହାନ୍ତୀ ଦୃଷ୍ଟିକୁ ଏହା ଆସି ନଥିଲା ।ବରଗଡ଼ ଧନୁଯାତ୍ରାରେ ଲୀଳାର ପ୍ରଭାବ ଅଧିକ ପଡ଼ିଛି । ଲୀଲା ମୁଖ୍ୟତଃ ଗୀତି ପ୍ରଧାନ ଏବଂ ଏଥିରେ ଅଭିନୟର ସ୍ଥାନ ଗୌଣ ଅଟେ ।ଏହି କାରଣରୁ ବରଗଡ଼ ଧନୁଯାତ୍ରାର ଅମ୍ବାପାଲି ଭାଗ ଯାତ୍ରାରେ ଗୀତ ଓ ଭାବର ପ୍ରଧାନ୍ୟ ରହିଥିବା ସମୟରେ ଏହାର ମଥୁରା ଭାଗରେ ତାମଶିକ,ରାଜଶିକ, ଆସୁରିକ ,ବାହ୍ୟଆଡ଼ମ୍ବର ଓ ଅଭିନୟ ପ୍ରଧାନ ଅଟେ । ମାତ୍ର ବରଗଡ଼ ଧନୁଯାତ୍ରାର କଥାବସ୍ତକୁ ଆଗେଇ ନେବାପାଇଁ ଏହାର ଉଦ୍ୟୋକ୍ତାମାନେ ସଞ୍ଚାର କଳାର ସହାୟତା ନେଇଥିଲେ । ସଦାନନ୍ଦ ପାଣିଗ୍ରାହୀଙ୍କ ପର୍ଯ୍ୟନ୍ତ ବରଗଡ଼ ଧନୁଯାତ୍ରାରେ ସଞ୍ଚାର କଳାର ଆଦର ଥିଲା । ଏବଂ ସଞ୍ଚାର କଳାକାରଙ୍କ ମହତ୍ୱ ଥିଲା । ମାତ୍ର କର୍ପୁର ଉଡ଼ିଯାଇ ଛିଡ଼ା କନା ଖଣ୍ଡକ ପଡ଼ି ରହିଲା ପରି ଏବେ କେବଳ ନାମକୁ ମାତ୍ର ବିଧିରକ୍ଷା ପାଇଁ ସଞ୍ଚାର ମଣ୍ଡଳୀ କରାଯାଉଛି ଓ ସଞ୍ଚାର ପରିବେଷଣ ହେଉଛି । ଷଡ଼ଯନ୍ତ୍ର କରି ସଦାନନ୍ଦ ପାଣିଗ୍ରାହୀଙ୍କୁ ଯାତ୍ରା କମିଟିରୁ ବାଦ ଦିଆଗଲା ପରେ ବରଗଡ଼ ଧନୁଯାତ୍ରାରେ ସଞ୍ଚାର କଳାର ଏକ ରକମ ମହତ୍ୱ ଖତମ ହୋଇ ଯାଇଛି ।ସଦାନନ୍ଦ ପାଣିଗ୍ରାହୀଙ୍କ ସମୟରେ ବରଗଡ଼ ଧନୁଯାତ୍ରାର ପ୍ରମୁଖ ଆକଷଁଣ ଥିଲା ‘ସଞ୍ଚାର’ । ଇଂରେଜ ଶାସନାଧିନ ସମୟରେ ଓଡ଼ିଆ ଭାଷା ସାହିତ୍ୟ ସଙ୍କଟଗସ୍ତ ରହିଥିଲା । ଏହି ସମୟରେ ସଞ୍ଚାର ପରି କଳା ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚାଇ ରଖିବା ସହ ତାର ପ୍ରଚାର ପ୍ରସାରରେ ସହାୟକ ହୋଇଥିଲା ସଞ୍ଚାର କଳା ତଥା ବରଗଡ଼ ଧନୁଯାତ୍ରା । ମୋର ଜାଣିବାରେ ‘ରାଧା ବାହାକ’ ହେଉଛନ୍ତି ବରଗଡ଼ ଜିଲ୍ଲାର ପ୍ରଥମ ମହିଳା ସଞ୍ଚାର ଶିଳ୍ପୀ ।ରାଧାଙ୍କ ପୂର୍ବରୁ କୌଣସି ମହିଳା ସଞ୍ଚାର ନୃତ୍ୟ କ୍ଷେତ୍ରକୁ ଆସି ନଥିଲେ । ସେ ଦେଖିବାକୁ ବିଶେଷ ସୁନ୍ଦରୀ ନ ଥିଲେ ହେଁ ତାଙ୍କ କଣ୍ଠ ଅତ୍ୟନ୍ତ ମଧୁର ଥିଲା ।ସାଧାରଣତଃ ସଞ୍ଚାର ନୃତ୍ୟ ଏକ ଶାସ୍ତ୍ରୀୟ କଳା ।ଏଥିରେ ନର୍ତ୍ତକକୁ ଏକା ସାଙ୍ଗରେ ଗାୟନ ,ମୃଦଙ୍ଗ ବାଦନ ଓ ନର୍ତ୍ତନ କରିବାକୁ ପଡ଼ିଥାଏ ।ଏ ହା ସାଙ୍ଗକୁ ଧାର୍ମିକ ଶାସ୍ତ୍ର ଓ ବିଭିନ୍ନ ରାଗ ରାଗଣୀ, ଚମ୍ପୁ ଛାନ୍ଦ ଉପରେ ଦଖଲ ଥିବା ଆବଶ୍ୟକ ଥିଲା । ଏଣୁ ସଞ୍ଚାର ନୃତ୍ୟକୁ ତ୍ରେର୍ଯ୍ୟାତିକ ଶ୍ରେଣୀର ଅର୍ନ୍ତଭୁକ୍ତ କରାଯାଏ । ରାଧାଙ୍କ ପୂର୍ବରୁ ‘ସଞ୍ଚାର’ ସମ୍ପୂର୍ଣ୍ଣ ରୂପେ ପୁରୁଷ ପ୍ରଧାନ ଥିଲା ଏବଂ ଏଥିରେ ସମ୍ବଲପୁରୀର ପ୍ରଚଳନ ନଥିଲା । ଶୁଦ୍ଧ ଓଡ଼ିଆ ଭାଷାରେ ଏହା ପରିବେଷିତ ହେଉଥିଲା ।ପରବର୍ତ୍ତି ସମୟରେ ସମ୍ବଲପୁରୀ ଗୀତର ମଧ୍ୟ ପ୍ରଚଳନ ହେଲା । ବର୍ତ୍ତମାନ ବହୁଳ ରୂପେ ସମ୍ବଲପୁରୀ /କୋଶଳି ଭାଷାର ବ୍ୟବହାର କରାଯାଉଛି । ସଞ୍ଚାର ନୃତ୍ୟକୁ ଆପଣେଇ ‘ରାଧା’ ଅନ୍ୟ ମହିଳା ମାନଙ୍କ ପାଇଁ ବାଟ ପ୍ରଶସ୍ତ କରି ଦେଇଥିଲେ ।ସଞ୍ଚାର କଳା ପ୍ରତି ସମର୍ପିତ ‘ରାଧା’ ତାଙ୍କ ଜୀବଦଶାରେ ବହୁ ଉପେକ୍ଷାର ଶିକାର ହୋଇଥିଲେ । ଏପରିି କି ଜାପାନରେ ସଞ୍ଚାର ନୃତ୍ୟ ପରିବେଷଣ ପାଇଁ ଯେତେବେଳେ ଜଣେ ମହିଳା ସଞ୍ଚାର ଶିଳ୍ପୀଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ନିଆଗଲା ସେ ସମୟରେ ରାଧାଙ୍କୁ ବାଦ ଦିଆଯାଇ ବିଶାଖା ରଣାଙ୍କୁ ପଠା ଯାଇଥିଲା । କାରଣ ରାଧା କୌଣସି ବିଦ୍ୟାଳୟରେ ଶିକ୍ଷାଲାଭ କରି ନଥିଲେ,ଏହା ସାଙ୍ଗକୁ ତାଙ୍କ ଅସୁ୍‍ନ୍ଦର ଚେହେରା ଅନ୍ତରାୟ ସୃଷ୍ଟି କରିଥିଲା ।ସେ ସମୟରେ ରାଧା ତାଙ୍କ ମନର ବ୍ୟଥା ଏହି ସାମ୍ବାଦିକଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ । ସେହି ଦିନ ସଞ୍ଚାର ଶିଳ୍ପୀ ରାଧାଙ୍କ ଏକ କଳାଧଳା ଫଟୋଗ୍ରଫ ମୁଁ ଉତ୍ତୋଳିତ କରିଥିଲି ।ସମ୍ଭବତଃ ଏହା ରାଧାଙ୍କର ସର୍ବ ପ୍ରଥମ ଓ ସର୍ବଶେଷ ଫଟୋଗ୍ରାଫ । ପରବର୍ତ୍ତି ସମୟରେ ରାଧା ଆର୍ଥିକ ଅନାଟନରେ କାଳାତିପାତ କରିଥିଲେ । ସେ ବିଧିବଦ୍ଧ ରୂପେ ବାହା ହୋଇ ନଥିଲେ କି ତାଙ୍କର ନିଜସ୍ୱ ସନ୍ତାନ ସନ୍ତତି ମଧ୍ୟ ନଥିଲେ । ଗୀତ ନୃତ୍ୟ ମାଧ୍ୟମରେ ଅନ୍ୟର ମନୋରଞ୍ଜନ କରୁଥିବା ରାଧାଙ୍କ ଅନ୍ତିମ କାଳ ଖୁବ ଦନନୀୟ ଥିଲା ଓ ଶେଷରେ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ । ହଠାତ ଦିନେ ତାଙ୍କ ମର ଶରୀର ଅତାବିରା ବ୍ଳକ ଭୁର୍ଷିପାଲି ଓ ଟୋପ ମଝିରେ ଏକ ଧାନବିଳ ଭିତରେ ପଡ଼ିଥିବା ଦେଖାଯାଇଥିଲା । ଶେଷ ମୁହୂର୍ତ୍ତରେ ଜଣା ପଡ଼ିଥିଲା ଯେ ଶବଟି ପ୍ରଖ୍ୟାତ ସଞ୍ଚାର ଗାୟିକା ‘ରାଧା’ଙ୍କ ଅଟେ । ତାଙ୍କର ଜ୍ଞାତି କୁଟୁମ୍ବ କେହି ଶବଟିର ଦାବିଦାର ନ ବାହାରିବାରୁ ପରିଶେଷରେ ପୁଲିସ ଏକ ଅଜ୍ଞାତ ଶବ ମନେକରି ତାଙ୍କ ଅନ୍ତେଷ୍ଟି ସମ୍ପନ୍ନ କରିଥିଲା । ବରଗଡ଼ ଧଡ଼ୁଯାତ୍ରାକୁ ସମୃଦ୍ଧ କରିବାରେ ରାଧାଙ୍କ ପରି କେତେଯେ କଳାକାର ନିଷ୍ଠାପର ରୂପେ ଉଦ୍ୟମ କରିଛନ୍ତି ତାର କଳନା ନାହିଁ । ସେମାନଙ୍କୁ ସାମାଜିକ ସ୍ୱିକୃତି ମଧ୍ୟ ମିଲି ନାହିଁ । ସଭିଏଁ ଜାଣନ୍ତି ବରଗଡ଼ ଧନୁଯାତ୍ରାର ଅନ୍ତିମ ଦିନରେ କଂସଙ୍କ ମୃତ୍ୟୁ ପରେ ସଞ୍ଚାର ଗାୟକ ମାନେ ଶାଢ଼ୀ ପିନ୍ଧି ହେତି ପ୍ରହେତି ରୂପେ ହାତି ହୋ .. ଘୁଡ଼ା ହୋ.. ବୋଲି କାନ୍ଦୁଥିଲେ । ଠିକ ଯେପରି ଘରର ମୂରବୀଙ୍କ ମୃତ୍ୟୁ ଉପରାନ୍ତେ ତାଙ୍କ ବିଧବା ଓ ପରିବାରର ବ୍ୟକ୍ତିମାନେ ମୃତକର ଗୁଣ ସ୍ମରଣ କରି କାନ୍ଦିଥାନ୍ତି । ଏହି ସମୟରେ କଂସ ମଞ୍ଚରେ ମୁଢ଼ି ଲଡ଼ୁ ବଣ୍ଟନ କରାଯାଇଥାଏ ଓ ଲୋକେ କହିଥାନ୍ତି ‘ କଂସ ରଜାର ବଂଶ ବୁଡ଼ୁ.. କଂସ ମଲେଁ ଖାଏମା ଲଡ଼ୁ’ । ଧନୁଯାତ୍ରାର ଆରମ୍ଭରୁ ଏହି ପରମ୍ପରା ଚାଲି ଆସିଛି । ଆଜି ଯେଉଁମାନେ କେବଳ ସମ୍ବଲପୁରୀ ଭାଷାରେ ବରଗଡ଼ ଧନୁଯାତ୍ରା କରିବା ପାଇଁ ଦାବି କରୁଛନ୍ତି ବରଗଡ଼ ଧନୁଯାତ୍ରାରେ ସଞ୍ଚାର କଳାରେ ବର୍ଣ୍ଣିତ ଗୀତ ହେଉକି ହେତି ପ୍ରହେତିଙ୍କ କାନ୍ଦଣା, ଏହା କଣ ଲୋକଭାଷା ନୁହେଁ ? କେତେକ ପୂର୍ବାଗ୍ରହ କାରଣରୁ ଏହି କଥିତ ଭାଷାକୁ କେବଳ ସମ୍ବଲପୁରୀ/କୋଶଲୀ ଆଦି ନାମକରଣର ପୁଟ ଦେବା ପାଇଁ ଏ ଜିଦ କାହିଁକି? କୋଶଲୀ/ସମ୍ବଲପୁରୀ ଭ।।ଷା ବିବାଦ ହେଉ କିି, ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ବରଗଡ଼ ସର୍ବଦା ଏଥିରେ ନିରପେକ୍ଷ ଭୂମିକା ଗ୍ରହଣ କରିଆସିଛି ।ଏଭଳି ଚାପ ସୃଷ୍ଟିକରି ବରଗଡ଼କୁ କୌଣସି ବିବାଦରେ ଛନ୍ଦିବାର ପ୍ରୟାଶ ନ ହେଉ ।
 ବରଗଡ଼ ଧନୁଯାତ୍ରାରେ ସମ୍ବଲପୁରୀ /କୋଶଳୀ ପ୍ରସଙ୍ଗକୁ ନେଇ ବରଗଡ଼ ଧନୁଯାତ୍ରା କମିଟିର ଅଧ୍ୟକ୍ଷ ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ନିଷ୍ପତ୍ତି ନିଆଯିବାର କାର୍ଯ୍ୟକ୍ରମ ରହିଛି । ମୁଁ ବ୍ୟକ୍ତିଗତ ରୂପେ ବରଗଡ଼ ଧନୁଯାତ୍ରାରୁ ଦୂରେଇ ରହିବାକୁ ଚାହୁଁଛି ,ଏଣୁ ଧନୁଯାତ୍ରା ମିଟିଙ୍ଗ ଯାଉ ନଥିଲି । କାରଣ ଧାନ ପ୍ରକ୍ୟୋରମେଣ୍ଟ କିମଟି ମିଟିଙ୍ଗ ହେଉକି ଧନୁଯାତ୍ରା ମିଟିଙ୍ଗ କିଛି ଲୋକଙ୍କ ଉଚ୍ଚବାଚ ଓ ବାକ ବିତଣ୍ଡାରେ କୌଣସି ସମାଧାନ ବିନା ଏହାର ପରିସମାପ୍ତି ହୋଇଥାଏ ଏବଂ ପରବର୍ତ୍ତି ସମୟରେ ପ୍ରଶାସନ ତାକୁ ସୁହାଇଲା ପରି ନିଷ୍ପତ୍ତି ନେଇଥାଏ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଁ ଆଲୋଚନାରେ ଅଂଶ ଗ୍ରହଣ ନଲେ ମଧ୍ୟ ଉପସ୍ଥିତ ରହିବାର ଚେଷ୍ଟା କରିବି । 
ସୁରେନ୍ଦ୍ର ହୋତା, ବରଗଡ଼
୧୮ ଡ଼ିସେମ୍ବର ୨୦୨୩
୯୪୩୭୧୧୦୨୫o


Leave a Reply

Your email address will not be published. Required fields are marked *

error: Content is protected !!