ମିଶନ ଶକ୍ତି ପକ୍ଷରୁ ଏମବିକେ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ
ପଡିଆବାହାଲ, ୧୨/୧୨(ସଂସ୍କୃତି ମିଡିଆ ବ୍ୟୁରୋ) ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ କାଗଜପତ୍ର, ହିସାବ କିତାବ ଓ କାର୍ଯ୍ୟକଳାପକୁ ନଥିପତ୍ରରେ ଲିପିବଦ୍ଧ କରୁଥିବା ଏମବିକେ(ମାଷ୍ଟର ବୁକ କିପର)ମାନଙ୍କ କମ୍ପ୍ୟୁଟର ଦକ୍ଷତା ବୃଦ୍ଧିକରିବା, ସୂଚନା ଜ୍ଞାନ କୌଶଳ, ଆକାଉଣ୍ଟିଙ୍ଗ ତଥା ଇ-ଗଭରନାନ୍ସ ସହ ଖାପ ଖୁଆଇ ପ୍ରତ୍ୟେକ କାର୍ଯ୍ୟ ଶୈଳୀର ସଫଳ ରୂପାୟନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଉକ୍ତ ଟ୍ରେନିଂ ପ୍ରୋଗ୍ରାମର ପରିଚାଳନା ପାଇଁ ଓଡିଶା କମ୍ପ୍ୟୁଟର ଏପ୍ଲିକେସନ ସେଣ୍ଟର (ଓକାକ୍) ଏବଂ ଓଡିଶା ନଲେଜ କର୍ପୋରେସନ ଲିମିଟେଡ (ଓକେସିଏଲ)କୁ ମିଳିତ ଭାବେ ଦାୟିତ୍ତ୍ୱ ହସ୍ତାନ୍ତର କରାଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ପୂର୍ବାହ୍ନରେ ଯୁଜୋମୁରା ବ୍ଲକ ଅନ୍ତର୍ଗତ ଓକେସିଏଲ ଦ୍ୱାରା ପଡିଆବାହାଲ ସ୍ଥିତ ଅଧିକୃତ ଶିକ୍ଷାକେନ୍ଦ୍ର ଓରିଟେକ କମ୍ପୁଟର ଏଜୁକେସନ୍ ସେଣ୍ଟରରେ ଏହି ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୁଯୋମୁରା ଜୋନ-୧ ର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ କବିତା ସାହୁ ଓ ଡ଼ା. ରାଜାରାମ ଷଡ଼ଙ୍ଗୀ ଯୋଗଦେଇ ସଶକ୍ତ ମହିଳା ବିକାଶ କ୍ଷେତ୍ରରେ ଏହି ତାଲିମର ଗୁରୁତ୍ୱ ଦିଗ ଉପରେ ବୁଝାଇଥିଲେ।ଏହି ଶିବିରରେ ଯୁଯୁମୁରା ବ୍ଲକର ସମସ୍ତ ଏମବିକେମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରୁଛନ୍ତି। ସଂସ୍ଥାର ନିର୍ଦ୍ଦେଶକ ସୁଜିତ କୁମାର ବେହେରା, ସହ-ନିର୍ଦେଶକ ଡିଲେସ୍ଵର୍ ମିର୍ଦ୍ଧା, ବରିଷ୍ଠ ଶିକ୍ଷକ ଦିନେଶ ନାଗ୍, କନିଷ୍ଠ କମ୍ପ୍ୟୁଟର ଶିକ୍ଷୟତ୍ରି ପ୍ରଭାତୀ ମଗର ଏହି ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଏଥିରେ ସହଯୋଗ କରିଥିଲେ।