ସରଣ୍ଡା,୭/୧୨ (ସଂସ୍କୃତି ମିଡିଆ ବ୍ୟୁରୋ)- ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ମିଗ୍ଜୋମ୍ର ପ୍ରଭାବ ଦେଖିବାକୁ ମିଳିଛି l ଗତ 3 ଦିନ ହେଲା ଏଠାରେ ଝିପି ଝିପି ଲଗାଣ ବର୍ଷା ଲାଗି ରହିଛି l ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ଏଠାକାର ଚାଷ ଓ ଚାଷୀ ଦୁର୍ଦ୍ଦଶା ସମ୍ମୁଖୀନ ହୋଇଛନ୍ତି l ଅତାବିରା ବ୍ଲକ ଅଞ୍ଚଳରେ 70 ରୁ 80 ପ୍ରତିଶତ ଧାନ ଅମଳ ହୋଇଥିଲେ ବି ବିକ୍ରି ହୋଇ ନ ପାରି ଏବେ ବି କିଛି ମଣ୍ଡିରେ ତ ଆଉ କେତେ ଖଳା ବା କ୍ଷେତ ଏବଂ ଶୁଖାଇବାପାଇଁ ରାସ୍ତାକଡ଼ରେ ପଡ଼ିରହିଛି l ଆଉ 30 ପ୍ରତିଶତ ଧାନ କ୍ଷେତରେ ପେଟା ଓ ଅମଳ ଅପେକ୍ଷାରେ ପଡ଼ି ରହିଛି l ସାମୁଦ୍ରିକ ଝଡ ମିଗ୍ଜୋମ୍ ପ୍ରଭାବରେ ବର୍ଷା ହେବାର ସୂଚନା ଥିଲେ ମଧ୍ୟ ଆନୁସାଙ୍ଗିକ ବ୍ୟବସ୍ଥାର ଅଭାବ ହେତୁ ଚାଷୀମାନେ ଧାନ ଫସଲକୁ ସୁରକ୍ଷିତ
ରଖ୍ ପାରି ନ ଥିଲେ । ଅମଳ କରି ଘରକୁ ଆଣି ଖଳାରେ
ରଖୁଛନ୍ତି। ଅନେକ କେତେକ ଧାନ କାଟି କ୍ଷେତରେ ପେଟା ପକାଇଛନ୍ତି ବା କାଟି ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରୁ ଲଗାଣ ବର୍ଷା ପବନ ଯୋଗୁ ଧାନ ଏବେ ଗଜା ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଅମଳ ହେବାକୁ ଥିବା ଧାନ ପେଟା ସବୁ ଭିଜି ଯାଇଛି। ଧାର କରଜ କରି ଚାଷୀ ସର୍ବଶାନ୍ତ ହୋଇଛି l ଏପରି ସ୍ଥଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବି ଉଠିଛି l
ଗୁରୁବାର ଓଡିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ଅତାବିରା ଅଗ୍ରସେନ ଭବନ ଠାରେ ଏକ ଖବରଦାତା ସମ୍ମିଳନୀ କରି କ୍ଷତିପୂରଣ ପାଇଁ ଦାବି କରାଯାଇଛି l ଏଥିରେ କୁହାଯାଇଛି ଯେ, ଏ ଅଦିନିଆ ବର୍ଷା ଜନିତ ଦୁର୍ବିପାକ ଯୋଗୁଁ ଯେଉଁ ଚାଷୀମାନଙ୍କ କ୍ଷୟକ୍ଷତି ହୋଇଛି ସେମାନଙ୍କୁ କ୍ଷତିପୂରଣ ଶୀଘ୍ର ଦିଆଯାଉ l ବିଭାଗ ପକ୍ଷରୁ ମିଳିତଭାବେ କ୍ଷୟକ୍ଷତିର ଆକଳନ କରି ସମ୍ପୃକ୍ତ ଚାଷୀଙ୍କୁ ଇନସୁରାନ୍ସ ଓ ସବସିଡି ପ୍ରଦାନ କରିବା, ଅଦିନିଆ ବର୍ଷାରେ ଭିଜିଯାଇଥିବା ଚାଷୀଙ୍କ ଧାନକୁ ବିକ୍ରିରେ ଥିବା ନିୟମର କୋହଲ କରି ଯଥାଶୀଘ୍ର କିଣି ନେବାକୁ ଖବରଦାତା ସମ୍ମିଳନୀ ମଧ୍ୟରେ ସରକାରଙ୍କୁ ଦାବି କରାଯାଇଛି l ଆହୁରି ଅଭିଯୋଗ କରାଯାଇଛି ଯେ ସଂଗଠନ ଧାନକିଣାବିକା ପ୍ରକ୍ରିୟା ଆରମ୍ଭରୁ ନଭେମ୍ବର 15 ତାରିଖରେ ମଣ୍ଡି ଖୋଲି ଏହାକୁ ତ୍ୱରାନ୍ୱିତ କରିବାକୁ ବାରମ୍ବାର ଦାବି କରି ଆସୁଥିଲେ ବି ପ୍ରଶାସନ କର୍ଣ୍ଣପାତ ନ କରି ନଭେମ୍ବର 21 ରେ ୟାର୍ଡ଼ ଖୋଲିଲେ l ପୁଣି ଟୋକନ କଟକଣା ଲାଗି ରହିଛି l ଯାହାର କୁପରିଣାମ ଚାଷୀଙ୍କୁ ହିଁ ଭୋଗିବାକୁ ପଡୁଛି l ଏଣୁ ରାଜ୍ୟ ସରକାର କାଳ ବିଳମ୍ବ ନ କରି ଭିଜିଥିବା ଧାନକୁ କୌଣସି ପ୍ରକାରରେ କୋହଲ ନିୟମ କରି କିଣି ନିଅନ୍ତୁ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ପ୍ରଦାନ କରନ୍ତୁ ନଚେତ ଜିଲାରେ ସଂଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ସଭାପତି ବୀରେନ୍ଦ୍ର କର ସରକାରଙ୍କୁ ଚେତାବନୀ ଦେଇଛନ୍ତି l ଏହି ଖବରଦାତା ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସଂପାଦକ ସୁରେଶ କର୍ଣ୍ଣ, ବୁଦ୍ଧଦେବ ନନ୍ଦ, ସଂକ୍ରାନ୍ତି ବାବୁ, ସମୀର ପ୍ରଧାନ, ଅମୂଲ୍ୟ ସ୍ୱାଇଁ, ଭୁବନ ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ l
ପରେ ଏହି ପ୍ରତିନିଧି ଦଳ ଅତାବିରା ତହସିଲଦାର ବ୍ରଜକିଶୋର ସାହୁଙ୍କୁ ସାକ୍ଷାତ କରି ଚାଷୀଙ୍କ ବାତ୍ୟା ଜନିତ ବର୍ଷାରେ କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ l ଶେଷରେ ତହସିଲଦାର ବ୍ରଜକିଶୋର ସାହୁ ନିଜେ କ୍ଷେତ୍ର ପରିଦର୍ଶନ କରିଥିଲେ l ରାଜେଶ ପ୍ରଧାନ ନାମକ ଜନୈକ ଚାଷୀଙ୍କ ରେଙ୍ଗାଲିପାଲି ଗ୍ରାମ ରେ ଥିବା ଏକ କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ l ଏ ନେଇ ଅତାବିରା ତହସିଲଦାର କହିଛନ୍ତି ଯେ, ଏ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଆକଳନପାଇଁ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ( ଏସଆରସି ) ଙ୍କ ଚିଠି ପାଇବା ପରେ ଆମେ ଆମ ରାଜସ୍ବ ନିରୀକ୍ଷକ ଏବଂ ଅମିନ ମାନଙ୍କୁ କ୍ଷୟକ୍ଷତି ଆକଳନ ପାଇଁ ଦାୟିତ୍ୱ ଦିଆଯାଇଛି l ସେମାନେ କୃଷିବିଭାଗର ଭିଏଲଡ଼ବ୍ଲୁ ଓ ବୀମା ଏଜେଣ୍ଟ ଙ୍କ ସହ ମିଳିତ ସର୍ଭେ କରି ରିପୋର୍ଟ ଦେବେ l ଏହା ଉପରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ମିଶି କ୍ଷେତ୍ର ପରିଦର୍ଶନ କରି ସବିଶେଷ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବୁ ବୋଲି ଅତାବିରା ତହସିଲଦାର ଶ୍ରୀ ସାହୁ ପ୍ରକାଶ କରିଛନ୍ତି l