ଲରମ୍ଭା କଲେଜର ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମ ପରିଦର୍ଶନରେ ଆଂଚଳିକ ନିର୍ଦ୍ଦେଶାଳୟ ଅଧିକାରୀ
ଗୋଡଭଗା, ୪/୧୨ (ସଂସ୍କୃତି ମିଡିଆ ବ୍ୟୁରୋ)-ଆଜି ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜରେ ଚାଲିଥିବା ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମର ପରିଦର୍ଶନରେ ସମ୍ବଲପୁର ଆଂଚଳିକ ଶିକ୍ଷା ନିର୍ଦ୍ଦେଶିକା ଡଃ ପ୍ରଭାବତୀ ଗୁରୁ ଓ ଆଂଚଳିକ ଶିକ୍ଷା ଉପ-ନିର୍ଦ୍ଦେଶକ ଡଃ ଉମାଶଙ୍କର ଦାଶ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମ ତଦାରଖି କରିଥିଲେ । ଉପସ୍ଥିତି ସମୟରେ ଅନୁଷ୍ଠିତ ବାଳିକା ଫୁଟବଲ ଖେଳ ପ୍ରତିଯୋଗିତାର ପ୍ରତିଯୋଗିନୀ ମାନଙ୍କ ସହ ଭାବ ବିନିମୟ କରିଥିଲେ । ଅଦ୍ୟ ଦିବସରେ ହୋଇଥିବା ନୃତ୍ୟ ପ୍ରତିଯୋଗିତାକୁ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଉଦଘାଟନ କରିଥିଲେ । ଏଥିରେ ବହୁ ସଂଖ୍ୟକ ଯୁବପ୍ରତିଭା ଭାଗ ନେଇଥିଲେ। ଏହା ଉଭୟ ଉଚ୍ଚମାଧ୍ୟମିକ ଓ ସ୍ନାତକ ସ୍ତରରେ ଅନୁଷ୍ଠିତ ହୋଇଥିଲା। ସ୍ନାତକ ସ୍ତରର ଅଧିକାରୀ ଡଃ ଦିଗମ୍ବର ଚାନ୍ଦ ଓ ଉଚ୍ଚ ମାଧ୍ୟମିକ ସ୍ତରର ଅଧିକାରୀ ପ୍ରଫେସର ଅଶୋକ କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ କଲେଜ ସ୍ତରୀୟ ନୋଡାଲ ଅଫିସର ମାନଙ୍କୁ ନିଯୁକ୍ତି କରାଯାଇଅଛି। ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଯୁବପ୍ରତିଭା ଅଂଶ ଗ୍ରହଣକରି ନିଜର ଦକ୍ଷତା ପରିପ୍ରକାଶ କରୁଛନ୍ତି। ଇତି ମଧ୍ୟରେ କ୍ରିକେଟ ,ଚେସ୍, କ୍ୟାରମ, ଖୋଖୋ, ଫୁଟବଲ, ପାରମ୍ପରିକ ଫେସନ ସୋ, ସଂଗୀତ ପ୍ରତିଯୋଗିତା, ଯନ୍ତ୍ରସଂଗୀତ, ଏକକ ଅଭିନୟ, ପ୍ରବନ୍ଧ, କବିତା ଲିଖନ , ତର୍କ ପ୍ରତିଯୋଗିତା, ସମାଜ ସଚେତନଧର୍ମୀ ପଥପ୍ରାନ୍ତ ନାଟକ ଆଦି ସମାପନ ହୋଇ ସାରିଅଛି। ବିଭିନ୍ନ ପ୍ରତିଯୋଗିତା ଅବସରରେ ଚିତ୍ତରଂଜନ ଛନ୍ଦ, କୈଳାଶ ସେଠ, ବିନୟ କୁମାର ନାୟକ , ଓଁକାର ପ୍ରଧାନ, ମନବୋଧ କୁଶଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ କଲେଜର ସମସ୍ତ କର୍ମଚାରୀ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ।