ଟିପିଡବ୍ଲୁଓଡିଏଲ୍ ତରଫରୁ ବରଗଡ ଜିଲ୍ଲାରେ ନୂତନଅଭିଯୋଗ ପ୍ରତିବିଧାନ ପୀଠ କାର୍ଯ୍ୟଳୟର ଶୁଭାରମ୍ଭ
ବରଗଡ- ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ତରଫରୁ ଶୁକ୍ରବାର ବରଗଡ ସହର ସ୍ଥିତ ବାନ୍ଦୁଟିକା ଛକ ନିକଟରେ ଏହାର ନୂତନ ଅଭିଯୋଗ ପ୍ରତିବିଧାନ ପୀଠ କାର୍ଯ୍ୟଳୟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟାଳୟକୁ ଟିପିଡବ୍ଲୁଓଡିଏଲ୍ର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ଗଜାନନ କାଲେ ଆନୁଷ୍ଠାନିକ ଭାବର ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ କମ୍ପାନୀର ବରିଷ୍ଠ ଅଧିକାରୀ ତଥା ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ନୂତନ ଅଭିଯୋଗ ପ୍ରତିବିଧାନ ପୀଠର ସଭାପତି ଭାବରେ ଇଂ ବିକ୍ରମ କିଶୋର ସିଂଙ୍କୁ ଦାୟିତ୍ବ ଦିଆଯାଇଛି । ଏହି ଉତ୍ସବରେ ଇଂ କାଲେ କହିଥିଲେ ଯେ, ବରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୩ ଲକ୍ଷରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତାମାନେ ଅଛନ୍ତି । ମାତ୍ର ବିବାଦୀୟ ବିଦ୍ୟୁତ୍ ବିଲ୍ ଗୁଡିକର ସମାଧାନ ପାଇଁ ପୂର୍ବରୁ ବୁର୍ଲା ସ୍ଥିତ ଅଭିଯୋଗ ପ୍ରତିବିଧାନ ପୀଠ କାର୍ଯ୍ୟଳୟ ଉପରେ ନିର୍ଭର କରି ଅଯଥା ଖର୍ଚ୍ଚାନ୍ତ ତଥା ସମୟ ନଷ୍ଟ ହେଉଥିଲା, ଯାହା ବର୍ତ୍ତମାନ ଏହି ନୂତନ ଅଭିଯୋଗ ପ୍ରତିବିଧାନ ପୀଠ ଖୋଲାହେବା ଯୋଗୁଁ ବିଦ୍ୟୁତ୍ ଉପଭୋକ୍ତାମାନେ ଅଯଥା ଖର୍ଚ୍ଚ ତଥା ସମୟ ନଷ୍ଟ ହେବାରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ସୁବିଧାରେ ଏବଂ ଅଳ୍ପ ସମୟ ମଧ୍ୟରେ ବିଦ୍ୟୁତ୍ ସେବା ଜନିତ ବିବାଦ ଗୁଡିକର ସମାଧାନ କରିପାରିବେ ।
ଏହି ଅବସରରେ ଶ୍ରୀଯୁକ୍ତ କାଲେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରଣ ଦାୟିତ୍ୱନେବା ପରଠାରୁ ଉନ୍ନତମାନର ସେବା ଯୋଗାଇବା ସହିତ ଗ୍ରାହକମାନଙ୍କର ଅଭିଯୋଗକୁ ସମାଧାନ ନିମନ୍ତେ ପ୍ରାଥମିକତା ଦେଇ ଆସିଛି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାନ୍ୟବର OERCଙ୍କ ନିର୍ଦ୍ଦେଶ ଅନୁଯାଇ ପଶ୍ଚିମ ଓଡିଶାର ସମସ୍ତ ପାଞ୍ଚଗୋଟି ମଣ୍ଡଳରେ ପାଞ୍ଚଗୋଟି ଅଭିଯୋଗ ପ୍ରତିବିଧାନ ପୀଠ ସ୍ଥାପନ କରାଯାଇଅଛି । ବିଦ୍ୟୁତ୍ ସେବାର ମାନଦଣ୍ଡକୁ ଉନ୍ନତମାନର କରିବା ଦିଗରେ କମ୍ପାନୀ ତରଫରୁ ବରଗଡରେ ଏକ ଗ୍ରାହକସେବା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଅଛି । ଗ୍ରାହକମାନେ ବିଦ୍ୟୁତ୍ ସେବା ସମ୍ପର୍କିତ ସୂଚନା ଓ ଅଭିଯୋଗ ପାଇଁ ଗାହକ ସେବା କେନ୍ଦ୍ରରର ଟୋଲ- ଫ୍ରି ନଂ ୧୮୦୦-୩୪୫୬-୭୯୮ରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଥିଲା ।