ମଣିଷ ହୋଇ ପାରିବ ଦେବତା, ପୃଥିବୀ ହୋଇପାରିବ ସ୍ବର୍ଗ: ସନ୍ଥ ଆନନ୍ଦ ସ୍ବାମୀ

0

ଗୋଡଭଗା:ତା.୨୮/୧୧ (ସଂସ୍କୃତି ମିଡିଆ ବ୍ୟୁରୋ) -ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଜହ୍ନାପଡା ଗ୍ରାମରେ ଆଜି ଅନୁଷ୍ଠିତ ହୋଇଥିବା ଏକ ଦିବସୀୟ ଯଜ୍ଞରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥ ମଣ୍ଡଳୀ ଯଜ୍ଞ ପରିଚାଳନା କରିବା ସହିତ ବୈଦିକ ଧର୍ମର ପ୍ରଚାର କରିଛନ୍ତି। ଏହି ଅବସରରେ ହିମାଳୟରେ ପ୍ରାୟ ୫୦ ବର୍ଷ ରହି ସାଧନା କରିଥିବା ଓ ସଂପ୍ରତି ବିଶାଖାପାଟଣାରେ ଆଶ୍ରମକରି ରହି ଆସୁଥିବା ଆନନ୍ଦ ସ୍ବାମୀ ସରସ୍ଵତୀଙ୍କ ମତରେ ଆଧ୍ୟାତ୍ମିକ ମାର୍ଗରେ ଯଦି ମଣିଷ ଅଗ୍ରସର ହେବ, ତା’ହେଲେ ଦେବତାରେ ନିଶ୍ଚିତ ରୂପେ ପରିଣତ ହୋଇପାରିବ ଏବଂ ଆମ ଏହି ପୃଥିବୀ ସ୍ଵର୍ଗରେ ପରିଣତ ହୋଇ ପାରିବ। ଏହି ଅବସରରେ ଜହ୍ନାପଡ଼ା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସନ୍ଥ ମଣ୍ଡଳୀଙ୍କୁ ଜହ୍ମାପଡ଼ା ମହିଳା ମଣ୍ଡଳୀ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ହିମାଳୟରେ ଦୀର୍ଘ ୫୦ ବର୍ଷ ରହିଥିବା ସନ୍ଥ ଆନନ୍ଦ ସ୍ବାମୀ ସରସ୍ଵତୀ ସାଧାରଣତଃ ଲୋକଙ୍କଠାରୁ ଦୂରେଇ ରୁହନ୍ତି। ତାଙ୍କ ଦର୍ଶନ ମିଳିବା ଭାରି ବିରଳ। ସୌଭାଗ୍ୟ ବଶତଃ ସେ ଆଜି ଆସିଛନ୍ତି ଜହ୍ନାପଡ଼ା ଗ୍ରାମକୁ ଏବଂ ତାଙ୍କ ପାଦ ସ୍ପର୍ଶରେ ଗାଁ ମାଟି ଧନ୍ୟ ହୋଇଯାଇଛି ବୋଲି ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି। ଅନେକ ସାଧୁସନ୍ଥଙ୍କ ସହ ଗୋଡଭଗା ଘୁଡୁକାଟିକ୍ରା ପ୍ରଭୁଭକ୍ତି ଆଶ୍ରମର ମୁଖ୍ୟ ସନ୍ଥ ସ୍ୱାମୀ ପ୍ରସନ୍ନ ତାଙ୍କ ସହ ଆସିଥିବାରୁ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଛି।


Leave a Reply

Your email address will not be published. Required fields are marked *

error: Content is protected !!