ଖଇରପାଲି, ଭୋଇପାଲିରେ ବାଲିଯାତ୍ରା ସମ୍ପର୍ଣ୍ଣ
ସରଣ୍ଡା,26/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରସରା ଗ୍ରାମପଞ୍ଚାୟତର ଖଇରପାଲି ଓ ଭୋଇପାଲି ଗ୍ରାମରେ ବାଲିଯାତ୍ରା ରବିବାର ସମ୍ପର୍ଣ୍ଣ ହୋଇଯାଇଛି l ବାରପାହାଡ଼ ପାଦ ଦେଶରୁ ବୋହି ଆସିଥିବା ଝାଉଁଯୋର ନଦୀର ଖଇରପାଲି ଓ ଭୋଇପାଲି ପୀଠରେ କେଉଁ ଆବାହନ କାଳରୁ କାର୍ତ୍ତିକ ମାସ ଚତୁର୍ଦ୍ଧଶୀ ଦିନ ପାଳିତ ହୋଇଆସୁଛି ଏହି ବାଲିଯାତ୍ରା l କାର୍ତ୍ତିକ ମାସରେ ହବିଷ୍ୟ ମହିଳାମାନେ ମାସ ଯାକ ପ୍ରତିଦିନ ପାହାନ୍ତିଆ ରେ ଏଠାକୁ ଆସି ବାଲିରେ ବାଲୁକା ଲିଙ୍ଗ ନିର୍ମାଣ କରି ପୂଜାଅର୍ଚନା କରିଥାନ୍ତି l ଚତୁର୍ଦ୍ଧଶୀ ଦିନ ସରଣ୍ଡା ସ୍ଥିତ ପ୍ରସିଦ୍ଧ ଅଷ୍ଟଶମ୍ଭୁ ଶୈବ ପୀଠ ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ବାବାଙ୍କ ମନ୍ଦିରରୁ ବାବା ଚନ୍ଦ୍ରଶେଖର ଙ୍କୁ ଏକ ଶୋଭାଯାତ୍ରାରେ ଉଭୟ ଗ୍ରାମର ପୂଜା ମଣ୍ଡପରେ ସ୍ଥାପିତ କରି ବାଲିପୀଠରେ ବାଲିଯାତ୍ରା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଖଇରପାଲିରେ ଗ୍ରାମର ପ୍ରଦୀପ କର୍ମୀ ଓ ପଙ୍କଜିନୀ କର୍ମୀ ସପତ୍ନୀକ କର୍ତ୍ତିକର୍ତ୍ତା ଓ ପଣ୍ଡିତ ରାଜେଶ ମହାପାତ୍ର ପୌରହିତ୍ୟ ଏବଂ ମୁକ୍ତେଶ୍ଵର ମହାପାତ୍ର ପୁଝାରୀ ଦାୟିତ୍ୱ ନିର୍ବାହ କରିଥିଲେ l କଳା, ଏତିହ୍ୟ,ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଖଇରପାଳିରେ ବରପାଲିର ଘୁଙ୍ଗୁରା, ନୁଆଁପଡା ଓ ବରାହମୁଣ୍ଡା ର ମହିଳା ସଂକୀର୍ତନ୍ୟ ଦଳ ଏବଂ ଜଟଲା ଓ କାଇଁଶିର ଗ୍ରାମର ନାଟ୍ୟ ଦଳ ନାଟକ ପରିବେଷଣ କରିଥିଲେ l
ସେହିପରି ଭୋଇପାଲି ଗ୍ରାମରେ ତୋରାର କୃଷ୍ଣଗୁରୁ ଦଳ ଓ କୁମ୍ଭାରୀ ଭଗବାନ ପାର୍ଟି ନାଟ୍ୟ କଳା ପ୍ରଦର୍ଶନ କରିଥିଲେ l ଏଠାରେ ସସ୍ମିତା ଭୋଇ ଓ ନନ୍ଦକିଶୋର ଭୋଇ କାର୍ତିକର୍ତ୍ତା, ପଣ୍ଡିତ ବାବୁଲାଲ ପାଣ୍ଡିଆ ପୌରହିତ୍ୟ ଏବଂ ଶ୍ୟାମସୁନ୍ଦର ମହାପାତ୍ର ପୂଜକ ଦାୟିତ୍ୱ ବହନ କରିଥିଲେ l ସରଣ୍ଡାରୁ ବାବା ଚନ୍ଦ୍ରଶେଖର ଙ୍କୁ ଶୋଭାଯାତ୍ରାରେ ଉଭୟ ଗ୍ରାମର ପୂଜା ମଣ୍ଡପକୁ ନେବା ବେଳେ ଖଇରପାଲି ଗ୍ରାମର ସମ୍ବଲପୁରୀ ଢୋଲନିଶାନ ଦୁଲଦୁଲି ବାଜା ପରିବେଷଣ କରାଯାଇଥିଲା l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉଭୟ ଗ୍ରାମରେ ସେଠାକାର ସ୍ବେଛାସେବୀ ସହ ଅତାବିରା ପୋଲିସ ମୁତୟନ ଥିଲେ l