ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦ୍ଘାଟିତ : କଂସଙ୍କ ରାଜୁତି ଆରମ୍ଭ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦ୍ଘାଟିତ : କଂସଙ୍କ ରାଜୁତି ଆରମ୍ଭ
୨୫ ତାରିଖ ଯାଏଁ
ବରଗଡ଼-ମଥୁରାନଗରୀ, ଅମ୍ବାପାଲି – ଗୋପପୁର, ଜୀରାନଦୀ ପାଲଟିଛି ଯମୁନା
ମଥୁରାନଗରୀ,୧ ୬/୧ -ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସୋମବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି। ବରଗଡ଼ ପାଲଟିଛି ମଥୁରାନଗରୀ। ଏଥି ସହିତ ବରଗଡ଼ରେ କଂସ ରାଜୁତି ଆରମ୍ଭ ହୋଇଯାଇଛି। କଂସଙ୍କ ଅଟ୍ଟହାସ୍ୟ ଓ ଇଙ୍ଗିତରେ ମଥୁରାନଗରୀ ହୋଇଛି ଥରହର । ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ରାଜଅତିଥି ଭାବେ ଯୋଗ ଦେଇ ଧନୁଯାତ୍ରା ମହୋତ୍ସବକୁ ଅନୁଷ୍ଠାନିକ ରୂପେ ଉଦଘାଟନ କରିଛନ୍ତି l ମହାରାଜଙ୍କ ହସ୍ତୀ ‘ରାଜବାହାଦୁର’ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ୪ଟି ଓଟ, ଗୋଟିଏ ଘୋଡ଼ା, ୫ଟି ଘୋଡ଼ା ଗାଡ଼ି ସବୁ ମହାରାଜଙ୍କ ସେବାରେ ଲାଗିବାକୁ ନିୟୋଜିତ ଅଛନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବରଗଡ଼ ପାଲଟିଛି ମଥୁରାନଗରୀ ଏବଂ ଅମ୍ବାପାଲି ହୋଇଛି ଗୋପପୁର। ଜୀରାନଦୀ ପାଲଟିଯାଇଛି ଯମୁନା।
ପ୍ରାପ୍ତ ଖବର ଅନୁସାରେ, ୮ କିମି ପରିଧି ଭିତରେ ୩ଟି ଦରବାର (ରାଜଦରବାର, ରଙ୍ଗମହଲ, ନନ୍ଦ ରାଜାଙ୍କ ଦରବାର) ଓ ୧୦ରୁ ଊର୍ଦ୍ଧ୍ୱ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅଭିନୀତ ହେବ।
ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ନିଶାମଣି ସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଧନୁଯାତ୍ରା ପାଇଁ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦାୟିତ୍ୱ ବଣ୍ଟନ ସହିତ ଶୃଙ୍ଖଳା ରକ୍ଷା ପାଇଁ ଏସ୍ପି ପି.ଏସ୍. ମୀନା ପରାମର୍ଶ ଦେଇଛନ୍ତି ।
ଏସପି ମୀନା କହିଛନ୍ତି, ଧନୁଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକ, ପର୍ଯ୍ୟଟକମାନେ ଯେଭଳି ଭଲ ଭାବେ ମହୋତ୍ସବକୁ ଉପଭୋଗ କରିପାରିବେ ଏବଂ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଧନୁଯାତ୍ରା ମହୋତ୍ସବ ସମୟରେ କିଛି ନିର୍ଦ୍ଦିଷ୍ଟ ବ୍ୟସ୍ତବହୁଳ ରାସ୍ତାରେ ସାମୟିକ ଭାବେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଥିବା ବେଳେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିପରି ରାଜ ଦରବାର, ରଙ୍ଗ ମହଲ, ମୀନା ବଜାର ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକରେ ସିସିଟିଭି ଲଗାଯାଇଛି ଏବଂ କଣ୍ଟ୍ରୋଲ ରୁମ୍ରୁ ନଜର ରଖିବା ସହିତ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି। ଧନୁଯାତ୍ରା ମହୋତ୍ସବକୁ ନିରାପଦ ଏବଂ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏସ୍ପି ମୀନାଙ୍କ ତତ୍ତ୍ବାବଧାନରେ ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୭ଜଣ ଡିଏସ୍ପି, ୧୨ଜଣ ଇନ୍ସପେକ୍ଟର, ୧୦୫ଜଣ ସବ୍ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର, ୧୨ପ୍ଲାଟୁନ ଫୋର୍ସ ଏବଂ ୬ପ୍ଲାଟୁନ ହୋମଗାର୍ଡ ମୁତୟନ କରାଯାଇଛି। ଧନୁଯାତ୍ରା ମହୋତ୍ସବକୁ ଶୃଙ୍ଖଳିତ ଭାବେ ସମାପନ କରିବା ଦିଗରେ ଏସ୍ପି ମୀନା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଉଦ୍ଘାଟନୀ ଦିବସରେ ଅପରାହ୍ନ ୨ଟାରୁ ଗାନ୍ଧୀଛକଠାରୁ ସାଂସ୍କୃତିକ ଶୋଭାଯାତ୍ରା ସମଲେଶ୍ୱରୀ ମନ୍ଦିରକୁ ଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ହାଟପଦା ରାଜଦରବାରକୁ ପହଞ୍ଚିଥିଲା। ଶୋଭାଯାତ୍ରାରେ ୨୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଦଳ, ବିଭିନ୍ନ କଳାକାର, ଧନୁଯାତ୍ରା ସହ ଜଡ଼ିତ ବିଭିନ୍ନ କଳାପ୍ରେମୀ ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।
ଉଦ୍ଘାଟନୀ ଦିବସରେ ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଓ ଏସ୍ପି ପ୍ରହଲ୍ଲାଦ ସହାୟ ମୀନା ଯୋଗଦେଇଥିଲେ। ଏଥର ମିନି ଷ୍ଟାଡିୟମରେ ସବୁ ବର୍ଷ ଭଳି ବୟନିକା ପକ୍ଷରୁ ସ୍ୱତନ୍ତ୍ର ହସ୍ତତନ୍ତ ମେଳା, ଜର୍ଜ ହାଇସ୍କୁଲ ପଡ଼ିଆରେ ମିନାବଜାର, ଅମ୍ବାପାଲି ନଦୀକୂଳ ପଡ଼ିଆରେ ମିନାବଜାର, ମୋଦୀ ପଡ଼ିଆରେ ସର୍କସ୍ ସହ ହସ୍ତତନ୍ତ ମେଳା ଲାଗିଛି। ଉଦ୍ଘାଟନୀ ଦିବସରେ ରାମଜୀ ମନ୍ଦିରରେ ଦେବକୀ-ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସର ସିଂହାସନ ଆରୋହଣ ସହ କଂସଙ୍କ ରାଜୁତି ଆରମ୍ଭ ହୋଇଛି।