ପେନସନ୍ ଓ ସୁରକ୍ଷା ଆଇନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଓୟୁଜେର ଦାବିପତ୍ର

ଭୁବନେଶ୍ୱର,୧୮ /୧ (ସଂସ୍କୃତି ମିଡ଼ିଆ ବ୍ୟୁରୋ )-ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାମ୍ବାଦିକମାନଙ୍କୁ ଅବସର ପରେ ପେନସନ ଯୋଗାଇଦେବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଲାଗି ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ଦାବି କରିଛି ।ଏହି ମର୍ମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ୟୁନିଅନ୍ ପକ୍ଷରୁ ଏକ ସ୍ମାରକ ପତ୍ର ଦିଆଯାଇଛି। ୟୁନିଅନ ର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ଯେ,ରାଜ୍ୟ ରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ଜରୁରୀ ହୋଇପଡିଛି।ଇତି ମଧ୍ୟରେ ହରିୟଣା , ମଧ୍ୟପ୍ରଦେଶ,ଉତ୍ତରାଖଣ୍ଡ , ତାମିଲନାଡୁ ଆଦି ଅନେକ ରାଜ୍ୟ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କ ଲାଗି ମାସିକ ପେନସନ ଯୋଜନା ଲାଗୁ କରିସାରିଛନ୍ତି । ପୂର୍ବରୁ ଏହାକୁ ଲାଗୁ କରିଥିବା କେତେକ ରାଜ୍ୟ ଏବେ ଏହାର ପରିମାଣ କୁ ବଢ଼ାଇବାକୁ ଯାଉଛନ୍ତି। ସେହିପରି ମହାରାଷ୍ଟ୍ର ଓ ଛତିଶ ଗଡ ଭଳି ରାଜ୍ୟ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରି ସାରିଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ଏହା ବିଚାରାଧୀନ ରହିଛି। କୋଭିଡ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ସାମ୍ବାଦିକ ମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ ଓ କରୋନା ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ତାହା ବେଶ୍ ପ୍ରଶଂସନୀୟ।ସେହିଭଳି ଓ ୟୁ ଜେ ର ଦାବି କ୍ରମେ ସ୍ବାସ୍ଥ୍ୟ ବୀମା ରାଶିକୁ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାକୁ ନେଇ ମଧ୍ୟ ୟୁନି ଅନ୍ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛି।ଏହି ପରିପ୍ରେକ୍ଷୀରେ ଅବସର ପରେ ଅସହାୟ ଅବସ୍ଥା ର ସମ୍ମୁଖିନ ହେଉଥିବା ସାମ୍ବାଦିକ ମାନଙ୍କୁ ସାମାଜିକ ନିରାପତ୍ତା ବ୍ୟବସ୍ଥା ମଧ୍ୟକୁ ଆଣି ତୁରନ୍ତ ମାସିକ ଅନ୍ୟୁନ ୨୦ ହଜାର ଟଙ୍କାର ପେନସନ ଯୋଗାଇ ଦେବାକୁ ଓ ୟୁ ଜେ ଦାବି ରଖୁଛି । ଏହି ଦାବିକୁ ନେଇ ସାରା ରାଜ୍ୟରୁ ଓୟୂଜେ ର ଶାଖା ସଂଗଠନ ଗୁଡ଼ିକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ଓୟୁଜେ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର ଜଣାଇଛନ୍ତି।