କ୍ରୀଷ୍ଣା ବିକାଶ, ବରଗଡ଼ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଦୀପ ମହୋତ୍ସବ ଓ ଭଜନ ସନ୍ଧ୍ୟା

0

ବରଗଡ଼, (ସଂସ୍କୃତି ମିଡ଼ିଆ )-କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟରେ ପ୍ରଭୁ ଶ୍ରୀରାମଙ୍କ ଧରାବତରଣ ତଥା ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ପୂଜାର୍ଚ୍ଚନା ସହ ରାମ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ବିଦ୍ୟାଳୟକୁ ରଙ୍ଗୋଲି ତଥା ମାଟିଦୀପ ଦ୍ଵାରା ସୁଶୋଭିତ କରି ପ୍ରଭୁ ରାମଲାଲାଙ୍କ ଭକ୍ତିପୂତ ସ୍ଵାଗତ ଜଣାଇଥିଲେ। ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସମସ୍ତ ଛାତ୍ରଛାତ୍ରୀ ଉତ୍ସୁକ ତଥା ଭକ୍ତି ଭାବନାରେ ସିଧାପ୍ରସାରଣ କାର୍ଯ୍ୟକ୍ରମରେ ଦେଖିଥିଲେ । ଏହି ସମୟରେ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟରେ ପ୍ରଭୁରାମଙ୍କ ପୂଜାର୍ଚ୍ଚନା କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ, କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଦ୍ଵାରା ସମ୍ପନ୍ନ ହୋଇଯାଇଛି । ଏହି ପବିତ୍ର ଦିବସର ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ରାମ ଭଜନ ତଥା ବାଦ୍ୟଦ୍ଵାରା ବିଦ୍ୟାଳୟ ମୁଖରିତ ହୋଇଉଠିଥିଲା । ଏହି ସମୟରେ କ୍ରୀଷ୍ଣା ବିକାଶ ଗୁପ୍‌ର ଚେୟାର୍‌ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଉପସ୍ଥିତ ରହି ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନ ବୃତ୍ତାନ୍ତ ପ୍ରକାଶ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇ ସମସ୍ତଙ୍କ ଉପରେ ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ । ଶ୍ରୀ ବିବେକ ଦାଶରୀ ସମସ୍ତଙ୍କୁ ପ୍ରଭୁରାମଙ୍କ ଭଳି ଜୀବନ ଚର୍ଯ୍ୟା କରିବା ଉଚିତ୍ ବୋଲି ବ୍ୟକ୍ତ କରିବା ସହ ଜୀବନରେ ଗୌରବକୁ ରକ୍ଷାକରି କାର୍ଯ୍ୟକଲେ ଇତିହାସରେ ନାମ ଅମର ରହେ ବୋଲି ଉଦ୍‌ବୋଧନ ଦେଇଥିଲେ । ଏହି ପୂଜା, ଅର୍ଚ୍ଚନା, ଆରତୀର ସନ୍ଧ୍ୟା ସମାରୋହରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ କାମନା ପୂର୍ବକ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!