ସରକାରୀ ଚାକିରି କରାଇଦେବା ନାଁରେ ୧୨ ଲକ୍ଷ ଠକେଇ, ୧ ଗିରଫ
ଅତାବିରା, ୩୦।୭ (ସଂସ୍କୃତି ମିଡ଼ିଆ): ସରକାରୀ ଡାକ୍ତରଖାନାରେ ପରିଚାରିକା ଓ ସଫେଇ କର୍ମଚାରୀ ଭାବେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଗୁରୁବାର ଅତାବିରା ପୋଲିସ ଜଣେ ବିଏସ୍ସି ନର୍ସିଂ ସ୍ନାତକଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ହେଲେ ଭଟଲି ଥାନା ଅନ୍ତର୍ଗତ ଭଟିଗାଁର ପ୍ରକାଶ ବଞ୍ଚୋର (ପିତା-ନାରାୟଣ ବଞ୍ଚୋର)। ପୋଲିସ ସୂଚନା ଅନୁଯାୟୀ, ଭୋଇପୁରା ଗ୍ରାମର ଲକ୍ଷ୍ମୀ ପାଞ୍ଚମ (୩୯) ଗତ ୧୮ ତାରିଖରେ ଅତାବିରା ଥାନାରେ ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତ ପ୍ରକାଶ ବଞ୍ଚୋର ସରକାରୀ ଡାକ୍ତରଖାନାରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ନେଇଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଅତାବିରା ଥାନାରେ ମାମଲା ରୁଜୁ କରାଯାଇଥିଲା।
ତଦନ୍ତରେ ଜଣାପଡ଼ିଛି ଯେ, ପ୍ରକାଶ ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଅତାବିରା ସିଏଚ୍ସିରେ ତାଲିମ ନେଉଥିବା ବେଳେ ଅଭିଯୋଗକାରୀଙ୍କ ସହ ପରିଚିତ ହୋଇଥିଲେ। ପରେ ବିଶ୍ୱାସ ଜିତି ଚାକିରି ଦେବା ନାଁରେ ଟଙ୍କା ଆଦାୟ କରିଥିଲେ। ଅଧିକ ତଦନ୍ତରୁ ସେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ପ୍ରାୟ ୧୨ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଏକ ରିଅଲ୍ମି ମୋବାଇଲ୍ ଫୋନ୍ ଏବଂ ତଦନ୍ତ ସମ୍ପର୍କିତ କିଛି ଦସ୍ତାବିଜ ଜବତ କରିଛି। ଗୁରୁବାର ଅଭିଯୁକ୍ତଙ୍କୁ ଗିରଫ କରି ମାନ୍ୟବର ଅଦାଲତରେ ହାଜର କରାଯାଇଥିବା ଅତାବିରା ପୋଲିସ ଆଇଆଇସି ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି l
