ଆଜି ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,27/1(ସଂସ୍କୃତି ମିଡ଼ିଆ)- ଜଗଜ୍ଜନନୀ ଶ୍ରଦ୍ଧା ସ୍ୱରୂପିଣୀ ପରମ ଆରାଧ୍ୟା ମା’ ସମଲେଶ୍ୱରୀ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଦେବୀ ଆରାଧନାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାର କେନ୍ଦ୍ରବିନ୍ଦୁ। ସମ୍ବଲପୁରସ୍ଥିତ ମାତା ସମଲେଶ୍ୱରୀଙ୍କ ଐତିହାସିକ ମନ୍ଦିରର ରୂପାନ୍ତର ସେହି ଚେତନାର ଏକ ପ୍ରତିଫଳନ। ପଶ୍ଚିମ ଓଡ଼ିଶାବାସୀଙ୍କ ସେହି ଭାବନାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେହି ଐତିହାସିକ ନିଷ୍ପତ୍ତି କ୍ରମେ ୨୦୨୧ରୁ ଆରମ୍ଭ ହୋଇଥିବା ସମଲେଇ ପ୍ରକଳ୍ପ ଆଜି ଜାନୁୟାରୀ ୨୭ ତାରିଖ ଶନିବାର ମଧ୍ୟାହ୍ନରେ ଲୋକାର୍ପଣ କରିବେ । ମା’ଙ୍କ ପ୍ରତି ଭକ୍ତି ଓ ତାଙ୍କ ଭକ୍ତଙ୍କ ଭାବାବେଗକୁ ଆଖିଆଗରେ ରଖି ୫-ଟି ରୂପାନ୍ତରଣ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା ସମଲେଇ ପ୍ରକଳ୍ପରେ ଭକ୍ତମାନଙ୍କର ଆବଶ୍ୟକତା ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ପରିସରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୨୭ ତାରିଖ ପରେ ପର୍ଯ୍ୟାୟକ୍ରମେ ପଶ୍ଚିମ ଓଡ଼ିଶା, ଓଡ଼ିଶା ଓ ବାହାରେ ରହୁଥିବା ସମଲେଇଙ୍କ ଭକ୍ତମାନଙ୍କୁ ଯୋଡ଼ାଯିବ। ଏହି ଅବସରରେ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ହୋମଯଜ୍ଞର ଆୟୋଜନ ହୋଇଛି। ମୁଖ୍ୟତଃ ୩୦ ଜଣ ପଣ୍ଡିତ ହୋମଯଜ୍ଞ କାର୍ଯ୍ୟ ସଂପାଦନ କରିବେ। ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁ ସପତ୍ନୀକ କର୍ତ୍ତା ଦାୟିତ୍ବ ତୁଲାଇବେ। ରାଜ୍ୟ ବାହାରେ ଥିବା ସମଲେଇ ମନ୍ଦିରରୁ ମଧ୍ୟ ପୂଜକ ଓ ପଣ୍ଡିତମାନଙ୍କୁ ନିମନ୍ତ୍ରଣ କରାଯାଇଛି। ୨୭ ତାରିଖ ଅପରାହ୍ନ ସାଢ଼େ ୫ଟା ପରେ ଭକ୍ତମାନେ ମା’ ସମଲେଶ୍ବରୀଙ୍କ ଦର୍ଶନ କରିପାରିବେ।
ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ, ମୁଖ୍ୟମନ୍ତ୍ରୀ
ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବ। ମା’ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ। ମା’ ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି। ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରକଳ୍ପ। ମା’ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି। ମା’ଙ୍କ କୃପାରୁ ରେକର୍ଡ ସମୟ ଭିତରେ ପ୍ରକଳ୍ପ କାମ ସରିଛି। ଏହି ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିକୁ ଆଗକୁ ନେବ। ଏକାସାଙ୍ଗରେ ହଜାର ହଜାର ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ। ସମଲେଇ ପ୍ରକଳ୍ପ ଭାଇଚାରା ଓ ମା’ଙ୍କ ଆଶୀର୍ବାଦର ପରିଚୟ।
ଝଲସୁଛି ମାତା ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର
୪୪ ଏକରର ଭବ୍ୟ ମନ୍ଦିର ପରିସର ସମଲେଇ ପ୍ରକଳ୍ପର ପ୍ରାଥମିକ ଦିଗ ମଧ୍ୟରୁ ପ୍ରଥମଟି ହେଉଛି ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣ। ଏକସମୟରେ କେବଳ ୪ ଏକର ପରିସରରେ ରହିଥିଲା ମା’ଙ୍କ ମନ୍ଦିର । ୫-ଟି ରୂପାନ୍ତର ପରେ ଆଜି ପ୍ରାୟ ୪୪ ଏକରର ପରିବ୍ୟାପ୍ତ ଅଞ୍ଚଳରେ ଝଲସୁଛି ମାତା ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର। ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ଅନେକ ଚାରାରୋପଣ ହୋଇଛି। ଏହା ମନ୍ଦିର ପରିସରକୁ ପ୍ରାକୃତିକ ଭାବରେ ସୁନ୍ଦର କରିପାରିଛି । ପ୍ରତିଟି ନୂତନ ନିର୍ମାଣ ଖଣ୍ଡୋଲାଇଟ ପଥରରେ ହୋଇଛି । ମନ୍ଦିର ନିର୍ମାଣ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବହୃତ ଏହି ପଥର ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ଭାବେ ବିଭିନ୍ନ କାରୁକାର୍ଯ୍ୟରେ ଶୋଭାପାଉଛି । ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ କଳାକୃତିକୁ ମନ୍ଦିର ପରିସରରେ ବିଶେଷରୂପେ ଧ୍ୟାନ ଦିଆଯାଇଛି। ଏହି ପରିସରରେ ହୋଇଥିବା ପ୍ରତିଟି ନିର୍ମାଣରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଭବ୍ୟ ରୂପାନ୍ତରରେ ନିର୍ମିତ ହୋଇଥିବା ପ୍ରବେଶ ଦ୍ୱାର, ମନ୍ଦିର କାର୍ଯ୍ୟାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍, ଜୋତା ଷ୍ଟାଣ୍ଡ ଆଦିକୁ ମନ୍ଦିର ନିର୍ମାଣ ଶୈଳୀ ସହ ସମାନ୍ତରାଳ ଭାବେ ଐତିହ୍ୟପୂର୍ଣ୍ଣ ଢଙ୍ଗରେ ନିର୍ମାଣ କରାଯାଇଛି।
ପ୍ରକୃତି ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟ
ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଆସିଲେ ଯେଉଁଭଳି ଭାବେ ମା’ଙ୍କର ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପାଇବେ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଯେଉଁଭଳି ଭାବେ ଭକ୍ତମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପାଇଁ ବିଭିନ୍ନ ନିର୍ମାଣ ସବୁ କରାଯାଇଛି। ଧାଡ଼ିରେ ଛିଡ଼ାହେବା ପାଇଁ ଉପଯୁକ୍ତ ଛାୟାଯୁକ୍ତ ସ୍ଥାନ, ଧାଡ଼ି ପାଇଁ ଉପଯୁକ୍ତ ରେଲିଂ, ଜୋତା ଷ୍ଟାଣ୍ଡ୍ ପାନୀୟ ଜଳ, ଶୌଚାଳୟ, ପାର୍କିଂସ୍ଥଳ ଆଦିର ନିର୍ମାଣ ହୋଇଛି। ମନ୍ଦିର ନିକଟରେ ରହିଥିବା ପୋଖରୀର ଜୀର୍ଣ୍ଣୋଦ୍ଧାର କରାଯାଇ ମା’ଙ୍କ ଭକ୍ତିର ଛାପ ଦିଆଯାଇଛି । ନିର୍ମିତ ହୋଇଥିବା ୱାଚ୍ ଟାୱାରରୁ ଭକ୍ତ ଶ୍ରଦ୍ଧାଳୁମାନେ ଏହି ସମସ୍ତ ଅଭିନବ ଦୃଶ୍ୟକୁ ଉପଭୋଗ କରିପାରିବେ। ମନ୍ଦିରକୁ ଆସୁଥିବା ଭକ୍ତଙ୍କ ଗାଡ଼ି ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ପାର୍କିଂସ୍ଥଳରୁ ମା’ଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରିଚାଳିତ ଯାନର ବ୍ୟବସ୍ଥା କରାଯାଇଛି। ମା’ଙ୍କର ନବରାତ୍ର ପୂଜା ଅଖଣ୍ଡ ଦୀପ ସଂପାଦନ ଓ ସ୍ୱତନ୍ତ୍ର ଶ୍ରେଣୀୟ ପର୍ବ ପାଇଁ ଧ୍ୟାନ ଦିଆଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ମହାନଦୀ ଆରତି ମାଧ୍ୟମରେ ପ୍ରକୃତି ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟର ନିର୍ଦ୍ଦେଶ ପାଇଁ ସ୍ୱତନ୍ତ୍ର ମହାନଦୀ ଆରତି ଘାଟ ନିର୍ମାଣ କରାଯାଇଛି।
ପର୍ଯ୍ୟଟନ ଶିଳ୍ପର ବିକାଶ ସହ ସୁଦୃଢ଼ ହେବ ଅର୍ଥନୀତି
ସମଲେଇ ପ୍ରକଳ୍ପ ମାଧ୍ୟମରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଠାରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ୍ରେ ମୋଟ ୮୨ଟି ଦୋକାନ ଗୃହର ନିର୍ମାଣ ହୋଇଛି। ତନ୍ମଧ୍ୟରୁ ୧୪ଟି ଦୋକାନ ଗୃହ ମନ୍ଦିରର ପୂଜକମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। କ୍ୟାଫ୍ଟେରିଆ ପରିଚାଳନା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା କରାଯାଇ ନାରୀ ସଶକ୍ତୀକରଣର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରାଯାଇଛି । ସମ୍ବଲପୁରୀ ବାନ୍ଧକଳାକୁ ଏଠାରେ ଅଗ୍ରାଧିକାର ଦିଆଯାଇଛି। ଦେଶ ବିଦେଶରୁ ଆସୁଥିବା ମା’ଙ୍କ ଭକ୍ତମାନେ ସମ୍ବଲପୁରୀ ବାନ୍ଧକଳାର ସ୍ୱତନ୍ତ୍ର ସଂସ୍କରଣର ସାମଗ୍ରୀ ପାଇପାରିବେ। ଏହାଦ୍ୱାରା ସାରା ବିଶ୍ୱରେ ସମ୍ବଲପୁରୀ ସଂସ୍କୃତିର ପ୍ରଚାରପ୍ରସାର ହୋଇପାରିବ। ଏଠାରେ ମଧ୍ୟ ସମ୍ବଲପୁରୀ ବାନ୍ଧକଳାର ପ୍ରତ୍ୟକ୍ଷ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି ।
ଆକର୍ଷଣୀୟ ୪ ମୁଖଶାଳା
ସମ୍ବଲପୁର ସମଲେଇ ପ୍ରକଳ୍ପରେ ନିର୍ମାଣ ବିନ୍ଧାଣୀଙ୍କ ନିଖୁଣ କାରିଗରୀ ଦେଖିଲେ ଆଖି ଝଲସି ଉଠୁଛି। ଆକର୍ଷଣୀୟ ୪ ମୁଖଶାଳା ସହିତ ପରିକ୍ରମା ପକଳ୍ପରେ ରହିଛି ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ସୁବିଧା ଓ ବ୍ୟବସ୍ଥା। ମୁଖଶାଳା ଗୁଡ଼ିକ ଦେଖିଲେ ପୁରାତନ ଯୁଗର ଅନୁଭୂତି ହେଉଛି। ପାର୍କିଂ ପଟରୁ ମୁଖଶାଳା ଦେଖିଲେ ଭକ୍ତମାନଙ୍କୁ ଏକ ନିଆରା ଅନୁଭୂତି ହେବ। ସବୁଜ ସୁନ୍ଦର ପରିବେଶ, ଦକ୍ଷିଣ ଭାରତରେ ଥିବା ପୁରାତନ ଏକ ସ୍ତମ୍ଭ ଭଳି ରହିଛି।
ସବୁଜ ସୁନ୍ଦର ପରିବେଶ
ସମଲେଇ ପ୍ରକଳ୍ପରେ ଐତିହ୍ୟ କରିଡର୍ ଓ ମନ୍ଦିର ଚତୁଃପାର୍ଶ୍ବରେ ସ୍ଥାନୀୟ ସଂସ୍କୃତିକୁ ଗୁରୁତ୍ୱ ଦିଆଯାଇଛି। କାରିଗର, ଶ୍ରମିକ ପଥର ଉପରେ ପଥର ଦେଇ ବେଶ୍ ଆକୃଷ୍ଟ ଭାବେ ତିଆରି କରିଛନ୍ତି ପ୍ରକଳ୍ପ। ସବୁଜ ପରିବେଶରେ ସଜେଇ ହେଉଛି ପରିସର। ‘୫-ଟି’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ପରାମର୍ଶ କ୍ରମେ ସୌନ୍ଦର୍ଯ୍ୟୀକରଣ ପାଇଁ ସ୍ଥାନୀୟ ବୃକ୍ଷଲତାର ବ୍ୟବହାର କରାଯାଇଛି। ମନ୍ଦିର ଭିତର ପାର୍ଶ୍ବରେ ନିର୍ମାଣ ହେଉଥିବା ବିଭିନ୍ନ କାମ, କ୍ଲକ୍ ଟାୱାର ଓ ଲାମ୍ପ୍ ରୁମ୍ କାମର ସୌନ୍ଦର୍ଯ୍ୟୀକରଣ କରାଯାଇଛି।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃ୍ଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଲୋକାର୍ପଣ ଦିନ ସନ୍ଧ୍ୟାରେ ସାଂସ୍କୃତିକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ତେବେ ଉଦଘାଟନ ଉତ୍ସବ ପାଇଁ ୨୭ ତାରିଖ ସକାଳ ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ।
ବିକାଶ ଲାଗି ବାଟ ଫିଟାଇବ
ସମଲେଇ ପ୍ରକଳ୍ପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମନ୍ଦିର ଚତୁଃପାର୍ଶ୍ୱରେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଅଧିବାସୀଙ୍କ ଆର୍ଥିକ ବିକାଶ ଲାଗି ସୁଯୋଗ ସୃଷ୍ଟି କରିବା। ଏହି ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ଦେଶର କୋଣଅନୁକୋଣରୁ ମା’ଙ୍କ ଭକ୍ତଙ୍କ ସମାଗମ ହେବ । ଏଥିରୁ ସମ୍ବଲପୁରର ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ଲାଭାନ୍ବିତ ହେଇପାରିବ । ସ୍ଥାନୀୟ ଅଧିବାସୀଙ୍କ ପାଇଁ ଆର୍ଥିକ ବିକାଶର ବହୁତ ସୁଯୋଗ ହୋଇପାରିବ। ଏହା ସମଗ୍ର ଅଞ୍ଚଳର ବିକାଶ ଲାଗି ବାଟ ଫିଟାଇବ।