ଦିବା ରାତ୍ରି ଭଲିବଲ୍ ପ୍ରତିଯୋଗିତା : ରାୟଗଡ ଷ୍ଟାଡିୟମକୁ ହରାଇ ପଶ୍ଚିମ ଓଡ଼ିଶା ୟୁବାମଞ୍ଚ ଚାମ୍ପିୟନ 

0

ଭଟଲି,୨୯/୧:- ବରଗଡ଼ ଜିଲ୍ଲା ଭଟଲି କ୍ରୀଡ଼ା ସଙ୍ଘ ପକ୍ଷରୁ ସ୍ଥାନୀୟ ରଥାଦାଣ୍ଡ ପଡିଆରେ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶନିବାର ସକାଳୁ ସଂଘର ସଭାପତି ସୁନିଲ କୁମାର ପଧାନଙ୍କ ନେତୃତ୍ୱରେ ସଂଘର ଶତାଧିକ ସଦସ୍ୟ କ୍ଲବ ପରିସରରୁ ଦଧିବାମନ ମହାପ୍ରଭୁଙ୍କ ମନ୍ଦିରକୁ ଶୋଭାଯାତ୍ରାରେ ବାହାରିଥିଲେ । ସେଠାରେ ପୂଜାର୍ଚ୍ଚନା ପୂର୍ବକ ପ୍ରତିଯୋଗିତାର ସଫଳତା କାମନା କରି ମହାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ମଶାଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଖେଳ ପଡ଼ିଆରେ ପହଞ୍ଚିଥିଲେ । ପରେ କ୍ରୀଡା ସଂଘର ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରଥଙ୍କ କରକମଳରେ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ଡିକେଏଲ୍ ଲହରସିଂ, ପଶ୍ଚିମ ଓଡ଼ିଶା ୟୁବାମଞ୍ଚ, ଅମ୍ବାଭୋନା ବ୍ଲକ୍ , ଝର୍, ରାୟଗଡ ଷ୍ଟାଡିୟମ ଏବଂ ଟି ଆର୍ ଏଲ୍ ବେଲପାହାଡ଼ ସମେତ ମୋଟ ୬ ଟି ଦଳ ଅଂଶଗ୍ରହଣ କରିଥିଲେ । ଝର ଓ ପଶ୍ଚିମ ଓଡ଼ିଶା ୟୁବାମଞ୍ଚା ଦଳ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ତେବେ ସମସ୍ତ ଦଳ ପ୍ରତିଯୋଗିତାରେ ନିଜ ନିଜ ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦର୍ଶନ ପୂର୍ବକ ଖେଳିବା ପରେ ରାୟଗଡ଼ ଷ୍ଟାଡିୟମ ଓ ପଶ୍ଚିମ ଓଡ଼ିଶା ୟୁବାମଞ୍ଚ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଉତ୍ତମ ଖେଳ ପ୍ରଦର୍ଶନ କରି ପଶ୍ଚିମ ଓଡ଼ିଶା ୟୁବାମଞ୍ଚ ଦଳ ୨-୦ ସେଟ୍ ରେ ରାୟଗଡ ଷ୍ଟାଡିୟମ ଦଳକୁ ପରାଜିତ କରି ଫାଇନାଲରେ ଚାମ୍ପିଅନ ଆକ୍ଷା ଅର୍ଜନ କରିପାରିଥିଲା । ଏଥିରେ ରାୟଗଡ ଷ୍ଟାଡିୟମ ଦଳର ଯୁବରାଜ ସିଂ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ଏହି ଅବସରରେ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ତେବେ ପ୍ରଥମ କରି ପଶ୍ଚିମ ଓଡ଼ିଶା ୟୁବାମଞ୍ଚ ଭଲିବଲ୍ ଖେଳ ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବାରୁ ଅଞ୍ଚଳରେ ଖୁସିର ବାତାବରଣ ଖେଳିଯାଇଛି । ମ୍ୟାଚ୍ ରେଫରି ରମେଶ ସେଠ, ଆଲୋକ ପତି, ନାରାୟଣ ଡନସନା ଏବଂ ଦିଲ୍ଲୀପ ପଟେଲ ଖେଳ ପରିଚାଳନା କରିଥିଲେ । ଏହି ଅବସରରେ ଓଡ଼ିଶାର ଦୌଡ଼ ରାଣୀ ଭାବେ ପରିଚିତା ଧାବକ ଦୂତି ଚାନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ କୋଚ ଶିବ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ ଖେଳାଳିଙ୍କ ସମେତ ଭଟଲି ବାସୀଙ୍କୁ ଉତ୍ସାହିତ କରିଥିଲେ । ପରେ ଭଟଲି କ୍ରୀଡା ସଂଗଠନ ପକ୍ଷରୁ ଧାବିକା ଦୂତି ଚାନ୍ଦଙ୍କୁ ଶ୍ରୀ ଶ୍ରୀ ଦଧିବାମନଙ୍କ ଫଟୋଚିତ୍ର ସହିତ ମାନପତ୍ର ଓ ଉପଢୌକନ ଦେଇ ସମ୍ମର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସେ ଯୁବ ଖେଳାଳି ମାନଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଥିବା ଯୋଗୁ ସମସ୍ତେ ଅଭ୍ୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହାସହିତ ପରାଜୟର ଭାଙ୍ଗି ନ ପଡ଼ି ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ସଭାପତି ସୁନିଲ କୁମାର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!