ଚାଷୀଙ୍କ ସନ୍ଦେହ ଜନକ ମୃତ୍ୟୁ, ଭେଡେନରେ ଉତ୍ତେଜନା, ଥାନା ଘେରାଓ

ଭେଡେନ,30/1(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମର ଜନୈକ ଚାଷୀଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି l ଏହାକୁ ନେଇ ଭେଡେନ ରେ ଉତ୍ତେଜନା ଦେଖାଦେଇଛି l ପରିବାର ଲୋକଙ୍କ ସହ ଗ୍ରାମବାସୀ ଭେଡେନ ଥାନା ଘେରାଓ କରିଛନ୍ତି l ଘଟନସ୍ଥଳରେ ବରଗଡ଼ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ sdpo ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି l
ମିଳିଥିବା ଅଭିଯୋଗ ଅନୁସାରେ ଭେଡେନ ଥାନା ସାଲେପାଲିର ଆଶିଷ ସାହୁଙ୍କ ବାପା ସାଧୁ ସାହୁ ଚାଷ କାର୍ଯ୍ୟ ପାଇଁ ଗ୍ରାମର ସୁନାଧର ସାଥୁଆ ଙ୍କ ପାଖରୁ ସାର ଓ କୀଟନାଶକ ଉଧାରୀ ଆଣିଥିଲେ l ଗତ କାଲି ଅର୍ଥାତ ଜାନୁୟାରୀ 29 ତାରିଖ ସୁନାଧର ସାଥୁଆ ଏବଂ ତାଙ୍କ ସାଙ୍ଗରେ ଆସିଥିବା ଶିଶିର ପ୍ରଧାନ ସାଧୁଙ୍କ ଘରକୁ ପଇସା ମାଗିବାକୁ ଆସିଥିଲେ l ଉଧାରୀ ପଇସା ଫେରସ୍ତ କରି ନ ପାରିବାରୁ ସାଧୁଙ୍କୁ ସୁନାଧର ଓ ଶିଶିର ମୋଟର ସାଇକେଲ ରେ ଜୋରଜବରଦସ୍ତ ବସାଇ ନେଇ ସେମାନେ କୁଆଡେ ଚାଲିଯାଇଥିଲେ l ଗତକାଲି ରାତ୍ରି ସୁଦ୍ଧା ସାଧୁ ଘରକୁ ନ ଆସିବାରୁ ତାଙ୍କ ପୁଅ ଆଶିଷ ଓ ଭାଇ ବିଭୀଷଣ ସାହୁ ସୁନାଧର ଘରକୁ ଯାଇ ପଚାର ଉଚରା କରିଥିଲେ l ହେଲେ ସେ ସନ୍ତୋଷ ଜନକ ଉତ୍ତର ଦେବା ବଦଳରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ l ସେଠାରୁ ହତାଶ ହୋଇ ଫେରି ସେମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ l ଶେଷରେ ଗତ ରାତ୍ରିରେ ଏକ ବିଲରେ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବରପାଲି, ବରଗଡ଼ ଓ ପରେ ବୁର୍ଲା ଡାକ୍ତରଖାନା ନେଇଥିଲେ ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା l ତେବେ ମୃତ ଚାଷୀ ସାଧୁଙ୍କ ପୁଅ ଆଶିଷ ସାହୁ ଭେଡେନ ଥାନାରେ ସୁନାଧର ସାଥୁଆ ତାଙ୍କ ବାପାଙ୍କୁ ବିଷ ପିଆଇ ମାରି ଦେଇ କ୍ଷେତରେ ପକାଇ ଦେଇଥିବା ଓ ସୁନାଧର ବେଆଇନ କୀଟନାଶକ ବିକ୍ରି କରୁଥିବା ଏବଂ ମହଜନୀ କାରବାର କରି ନିରୀହ ଲୋକଙ୍କୁ ହଇରାଣ ହରକତ ସହ ଲୋକଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ କରିଥିଲେ l ହେଲେ ତାଙ୍କ ଅଭିଯୋଗ କୁ ଭେଡେନ ଥାନା ପକ୍ଷରୁ ଅଣଦେଖା କରିଥିବା ଅଭିଯୋଗ କରି ଶବ ରଖି ଧାରଣା ଦେଇଥିଲେ l ପରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ଥାନାକୁ ଆସି ଥାନା ଘେରାଓ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି l ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି l