ଆଜି ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସମ୍ବଲପୁର ଗସ୍ତ, ସୁରକ୍ଷା କଡ଼ାକଡି

ସମ୍ବଲପୁର, ୩ /୨ (ସଂସ୍କୃତି ମିଡ଼ିଆ )- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି କରାଯାଇଛି ଏବଂ ସମୁଦାୟ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୩ଟି ଏସ୍ପି ରେଞ୍ଜ୍ର ପୁଲିସ ଅଧିକାରୀଙ୍କୁ ସାମିଲ କରାଯାଇଛି। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଏଡିଜି(ଆଇନ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ସହ ଆଇଜି ଦୀପକ କୁମାର ଓ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୁରକ୍ଷା କାର୍ଯ୍ୟ ତଦାରଖ କରୁଛନ୍ତି।
ସେମାନଙ୍କ ସହିତ ୪ ଜଣ ଏସ୍ପିଙ୍କ ସହ ୨୫୦ ପୁଲିସ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଆଇଜି ହିମାଂଶୁ ଲାଲ କହିଛନ୍ତି, ସୁରକ୍ଷାରେ କୌଣସି ପ୍ରକାର ଅଭାବ ଯେଉଁଭଳି ଭାବେ ରହିବ ନାହିଁ, ତାହାକୁ ଦୃଷ୍ଟିରେ ରଖି ସମସ୍ତେ କାର୍ଯ୍ୟ କରୁଛନ୍ତି। ସମ୍ବଲପୁର ଏସ୍ପି ମୁକେଶ ଭାମୁଙ୍କ ସୂଚନା ଅନୁଯାୟୀ, ଯେଉଁମାନଙ୍କୁ ଆଇଆଇଏମ୍ରୁ ନିମନ୍ତ୍ରଣ ମିଳିଛି, ସେମାନେ ଦିନ ୧୧ଟା ୩୦ ସୁଦ୍ଧା ପହଞ୍ଚିବେ। ରେମେଡ୍ରେ ଯେଉଁମାନେ ଯୋଗଦେବେ ସେମାନେ ଦିନ ୧ଟା ସୁଦ୍ଧା ପଡ଼ିଆକୁ ଆସିବେ। ସମସ୍ତଙ୍କ ଯାଞ୍ଚ୍ ହେବାପରେ ପ୍ରବେଶ କରାଯିବ। ପ୍ରଧାନମନ୍ତ୍ରୀ ଆସୁଥିବା ଆଇଆଇଏମ୍ ଓ ରେମେଡ୍କୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଡ୍ରୋନ୍ ଉଡ଼ିବା ଉପରେ ବି କଟକଣା ଲଗାଯାଇଛି। କୌଣସି ଲୋକ ପାଣି ବୋତଲ ଧରି ଆସିବେ ନାହିଁ, ଭିତରେ ପାଣି ବ୍ୟବସ୍ଥା କରାଯାଇଛି। ରେମେଡ୍ରେ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ୨ଟି ଏଣ୍ଟ୍ରି ପଏଣ୍ଟ ରହିବ। ସଭାସ୍ଥଳ ନିକଟରେ ୧୫୦୦ ବସ୍ ରହିବା ପାଇଁ ସବୁଠୁ ବଡ଼ ପାର୍କିଂ ସ୍ଥାନ କରାଯାଇଛି। ତା’ସହିତ ଆଉ ୨ଟି ପାର୍କିଂ ଅଞ୍ଚଳ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ପୂରା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି।