ସରଣ୍ଡା,29/2( ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପାହାଡଶ୍ରୀଗିଡା ପଞ୍ଚାୟତର ଲବାନଟିକ୍ରାଠାରେ ସାମାନ୍ୟ ଝଗଡାକୁ ନେଇ ଜଣେ ପୁଅ ତା ବାପାଙ୍କୁ ହତ୍ୟା କରିଥିବା ଗୁରୁବାର ସକାଳ ୮ଟାରେ ଅତାବିରା ଥାନାରେ ଅଭିଯୋଗ ହୋଇଛି । ମୃତକଙ୍କ ଜ୍ବାଇଁ ସମ୍ବଲପୁର ଜିଲା ହୀରାକୁଦ ର ଅରୁଣ ଖଡିଆ ଅତାବିରା ଥାନାରେ ଦେଇଥିବା ଲିଖିତ ଅଭିଯୋଗରୁ ଜଣାପଡିଛି ଯେ ମୃତ ବ୍ୟକ୍ତି ହେଉଛନ୍ତି 55 ବର୍ଷୀୟ ଜୀବର୍ଦ୍ଧନ ଖଡ଼ିଆ । ତାଙ୍କର ବଡ ଝିଅ ଦୀପାର ବାହାଘର ଗତ ୭ ତାରିଖରେ ହୋଇଥିଲା । ସେହି ବିବାହ ସମୟରେ ଲାଗିଥିବା ମଡୁଆକୁ ଖୋଲିଦେବା ପାଇଁ ଗତକାଲି ବୁଧବାର ଅପରାହ୍ନ ପ୍ରାୟ ୩ ଟା ୩୦ ମିନିଟ ସମୟରେ ନିଜ 24 ବର୍ଷୀୟ ପୁଅ ସଞ୍ଜୀବ ଖଡ଼ିଆକୁ କହିଥିଲେ । ପୁଅ କିନ୍ତୁ ଖୋଲିବା ପାଇଁ ମନା କରିଦେଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହୋଇଥିଲା l ପରେ ରାତିରେ ଉଭୟ ମଦ ପିଇ ନିଶାସକ୍ତ ଅବସ୍ଥାରେ ପୁଣି ପୂର୍ବ କଥାକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ଝଗଡା କରିଥିଲେ । ରାତି ପ୍ରାୟ ଗୋଟାଏରେ ପୁଅ ସଞ୍ଜୀବ ରାଗିଯାଇ ବାପାଙ୍କ ମୁଣ୍ଡରେ ଏକ ବାଡ଼ିରେ ପିଟି ଦେବା ଫଳରେ ଘଟଣାସ୍ଥଳରେ ଜୀବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ସହ ସମସ୍ତ ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ସଞ୍ଜୀବକୁ ଗିରଫ କରି ଅତାବିରା ଥାନା କେଶ ନମ୍ବର 89/2024 ରେ ଏକ ମାମଲା ରୁଜୁ କରି 302 ଦଫାରେ ଅତାବିରା ଗ୍ରାମ୍ୟ ଅଦାଲତ କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସଂଜୀବ ଙ୍କୁ ବରଗଡ଼ ବିଚାରବିଭାଗୀୟ ଜେଲ ରେ ଭର୍ତ୍ତି କରାଯାଇଛି l


Leave a Reply

Your email address will not be published. Required fields are marked *

error: Content is protected !!