ଠିକାଦାରଙ୍କ ଦାୟିତ୍ୱହୀନତା ଗଲା ଶ୍ରମିକଙ୍କ ଜୀବନ// ପୁରୁଣା ଲେବଲ କ୍ରସିଂ କେବିନ୍କୁ ଭାଙ୍ଗିବାବେଳେ ଢଳି ପଡିଲା ଘର ୧ ମୃତ ୩ ଗୁରୁତର ଗୋଡ଼ଭଗା ପୁରୁଣା l

ସରଣ୍ଡା,3/3(ସଂସ୍କୃତି ମିଡ଼ିଆ )-ସମ୍ବଲପୁର ଜିଲ୍ଲା ଗୋଡ଼ଭଗା ରେଳଷ୍ଟେସନ୍ ନିକଟସ୍ଥ ଏକ ପୁରୁଣା ଲେବଲ କ୍ରସିଂ କେବିନ୍କୁ ଭାଙ୍ଗିବା
ବେଳେ ରବିବାର ଅପରାହ୍ଣରେ ଅଘଟଣ ଘଟିଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ହେଲେ ଉତ୍ତମ ସିଂହ (୩୦) ଏବଂ ସେ ବିହାର ରାଜ୍ୟର ବୋଲି ଜଣାପଡିଛି l
ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗୋଡଭଗା ରେଲୱେ ଷ୍ଟେସନ ନିକଟରେ ଥିବା ପୁରୁଣା ଲେବଲ କ୍ରସିଂକୁ ଆଜି ଭୁବନେଶ୍ବରର ଏକ ଠିକା ସଂସ୍ଥାରେ ବିହାରର ଏମ୍ଡି ଅଲ୍ଲି (୩୫), ଏମ୍ଡି ଗୁଲଶିଖର, କଟକର ରାଜେନ୍ଦ୍ର ବେହେରା (୨୫), ପଶ୍ଚିମବଙ୍ଗର ଇମ୍ତାବ୍ ମଲ୍ଲିକ (୨୯) ଓ ଉତ୍ତମ ସିଂହ ନିୟୋଜିତ ଥିଲେ। ଏହି ୫ ଜଣ ଶ୍ରମିକ ଛାତ ଭାଙ୍ଗୁଥିବା ସମୟରେ ଅଘଟଣ ଘଟିଥିଲା। ଛାତ ଭୁଶୁଡ଼ି ପଡ଼ିବାରୁ ଉତ୍ତମ ସିଂହଙ୍କର ମୃତ୍ୟୁ ଘଟିଥିଲା। ଏମ୍ଡି ଅଲ୍ଲି, ରାଜେନ୍ଦ୍ର ଓ ଇମତାବ୍ ଗୁରୁତର ଆହତ ହୋଇଥିବା ବେଳେ ଏମ୍ଡି ଗୁଲଶିଖର ସାମାନ୍ୟ ଆହତ ହୋଇଥିଲେ।
- ଦୁର୍ଘଟଣା ସଂପର୍କିତ ସୂଚନା ପାଇ ବୁର୍ଲା ଦମକଳ ବାହିନୀ ଓ ଅତାବିରା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତରମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିଆରପି ପୁଲିସ ଉତ୍ତମ ସିଂହଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ପୁରୁଣା କୋଠା ଭାଙ୍ଗିବା ବେଳେ ଅତ୍ୟାଧୁନିକ ମେସିନ ଲଗା ନ ଯାଇ କାହିଁକି ଶ୍ରମିକଙ୍କ ହାତରେ ତାହା ଭଙ୍ଗା ଯାଉଥିଲା? ଏଥିପାଇଁ କିଏ ଦୟୀ? ଠିକାଦାରଙ୍କ ଦାୟିତ୍ୱହୀନତା ପାଇଁ ଅକାଳରେ ଚାଲିଗଲା ଶ୍ରମିକଙ୍କ ଜୀବନ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l ଘଟଣା ସ୍ଥଳକୁ ସେଠାକାର କଳାମାଟି ସରପଞ୍ଚ ଶୁଶାମା ସାହୁ ପହଞ୍ଚି କ୍ଷେତ୍ର ପରିଦର୍ଶନ କରି ରେଲୱେ ବିଭାଗକୁ ଏନେଇ ପ୍ରଶ୍ନ କରିଛନ୍ତି l