ତୃତୀୟ ଦିନରେ ଭଟଲି ନୂତନ ମାଉସୀ ମାଁ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ 

0

ଭଟଲି: (ସଂସ୍କୃତି ମିଡ଼ିଆ )-ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ପୂଣ୍ୟ ପବିତ୍ର ଭଟଲି ଧାମର ବହୁ ପ୍ରତିକ୍ଷିତ ନିର୍ମାଣଧିନ ନୂତନ ମାଉସୀ ମାଁ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ସୋମବାର ଦିନ ଶୁଭାରମ୍ଭ ହୋଇଛି। ୧୧ ତାରିଖ ସୋମବାର ଠାରୁ ଆରମ୍ଭ ହୋଇ ୧୭ ତାରିଖ ରବିବାର ପର୍ଯ୍ୟନ୍ତ ଏହା ଚାଲିବ। ଆଜି ଫାଲଗୁନ ଶୁକ୍ଲ ତୃତୀୟା ବୁଧବାର ଦିନ ପୀଠ ଦେବତା ଆବାହନ, ଅର୍ଣ୍ଣାଧିବାସ, ଯୁପ ସ୍ନାନ ସ୍ଥାପନ, ଗଣେଶାଦି ହୋମ ଅନଷ୍ଠିତ ହୋଇଥିଲା। ପଣ୍ଡିତ ଟିକେଶ୍ୱର ମହାପାତ୍ର, ନେହେରୁ ଲାଲ ଶତପଥୀ, ଜୟଦେବ ପଣ୍ଡା, ଗୋକୁଲେଶ୍ୱର ରଥ, ବେଣୁଧର ମହାପାତ୍ର, ରାଜେଶ କୁମାର ମିଶ୍ର, ରୋହିତ ରଥ, ଗୌରଚନ୍ଦ୍ର ରଥ, ଭୋଗେନ୍ଦ୍ର ପଣ୍ଡା, ରବିଲାଲ ଶତପଥି, ସୁରେନ୍ଦ୍ର ଦାସ, ବିଷ୍ଣୁ ମହାପାତ୍ର, ରିଙ୍କୁ ପଣ୍ଡା, ବାଚସ୍ପତି ରଥ, ଲଳିତ ରଥ, ସଂସାର ପଣ୍ଡାଙ୍କ ତତ୍ୱାବଧାନରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା ତଥା ପ୍ରତାପ ମହାପାତ୍ର ଓ ଆନନ୍ଦ ମହାପାତ୍ର ସହଯୋଗ କରିଥିଲେ । ଯଜ୍ଞରେ କର୍ତ୍ତା ଭାବେ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ପରମଭକ୍ତ ପରମାନନ୍ଦଙ୍କ ବଂଶଜ ସରୋଜ କୁମାର ସାହୁ ଏବଂ ତାଙ୍କ ପତ୍ନୀ ମିନାକ୍ଷୀ ସାହୁ କାର୍ଯ୍ୟ ନିର୍ବାହ କରିଥିଲେ । ଭକ୍ତଙ୍କ ପାଇଁ ଅନ୍ନଛତ୍ରର ବ୍ୟବସ୍ଥା ହୋଇଥିଲା । ଆଜି ଗୋୟଲ ପରିବାର ତରଫରୁ ଗୀତାବାଇ ଅଗ୍ରୱାଲଙ୍କ ନାମରେ କହ୍ନେୟାଲାଲ ଅଗ୍ରୱାଲ ସମସ୍ତ ଖର୍ଚ୍ଚ ବହନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସରପଞ୍ଚ ସଂଘ ସଭାପତି ଗୋବିନ୍ଦ ପଧାନ ଯୋଗଦାନ କରିଥିଲେ। ଆଜି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ନାଏକ ପ୍ରତିଷ୍ଠା ମହୋତ୍ସବ ଆୟୋଜନର ତଦାରଖ କରିଥିଲେ। ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା କଥାବାଚକ ସୀତାରାମ ଦାସଙ୍କ ଦ୍ବାରା ପ୍ରବଚନ ଅନୁଷ୍ଠିତ ହୋଇଥିବା ବେଳେ ସଂଧ୍ୟାରେ ଶ୍ରୀଧାମ ବୃନ୍ଦାବନରୁ ଆସିଥିବା କଥା ବାଚିକା ସ୍ତୁତି ଦିଦିଙ୍କ ଦ୍ଵାରା ଯଜ୍ଞ ମଣ୍ଡପ ପାଖରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତ୍ରୀରେ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ରେମତାର କୃଷ୍ଣ ସୁଦାମା ଚରିତ୍ର ଏବଂ ଭେଡେନ ସିଙ୍ଘେନପାଲିର ଛୁମକୁଛୁମା ସାଂସ୍କୃତିକ କଳା ପରିଷଦ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ବସଷ୍ଟାଣ୍ଡ ପାଖରେ ପ୍ରଦୀପ ସାହୁ ଏବଂ ସାଥୀଙ୍କ ଦ୍ଵାରା ଭକ୍ତି ରସାତ୍ମକ କୀର୍ତ୍ତନ ଧାରା ପରିବେଷଣ ହୋଇଥିଲା । ଏଥିରେ ଗ୍ରାମର ତଥା ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!