ବାଜିଲା ନିର୍ବାଚନୀ ବିଗୁଲ // ଦେଶରେ ୭ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ // ଓଡ଼ିଶାରେ ମେ ୧୩, ୨୦, ୨୫ ଓ ଜୁନ ୧ରେ ଭୋଟ ଗ୍ରହଣ // ଜୁନ ୪ରେ ଗଣତି

0

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଏବଂ ଶେଷରେ ଜୁନ ୧ରେ ୭ମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଲୋକ ସଭା ନିର୍ବାଚନ ସହିତ ଚାରି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଅରୁଣାଚଳ ପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ପ୍ରକାଶ ପାଇଛି। ନିର୍ବାଚନ କମିସନର କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ରାଜ୍ୟର ଫଳାଫଳ ଏକାସାଙ୍ଗରେ ଜୁନ ୪ରେ ଭୋଟ ଗଣତି ହୋଇ ପ୍ରକାଶ ପାଇବ।

ଭୋଟ ତାରିଖ ଘୋଷଣା ହେବା ସହିତ ସାରା ଦେଶରେ ଆଚରଣ ବିଧି ମଧ୍ୟ କାର୍ଯ୍ୟକାରୀ ହୋଇଛି। ନିର୍ବାଚନର ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ଆଚରଣ ବିଧି ବଳବତ୍ତର ରହିବ। ଏହି ଅବଧି ମଧ୍ୟରେ ରାଜନୈତିକ ଦଳଗୁଡିକ ଉପରେ ଅନେକ ପ୍ରତିବନ୍ଧକ ରହିବ। ଏହି ଅବଧି ମଧ୍ୟରେ ସମ୍ପୃକ୍ତ ସରକାର ମଧ୍ୟ କୌଣସି ନୂତନ ଯୋଜନା ଘୋଷଣା କରିପାରିବେ ନାହିଁ।

ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ଯେ ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି। ୯୭ କୋଟି ପଞ୍ଜୀକୃତ ଭୋଟର ଅଛନ୍ତି। ୧୮ରୁ ୨୯ ବର୍ଷର ଯୁବ ଭୋଟର ସଂଖ୍ୟା ୨୧ କୋଟି ରହିଛି । ସେହିପରି ଦେଶରେ ୨ ଲକ୍ଷ ୧୮ ହଜାର ଶତାୟୁ ଭୋଟର ରହିଛନ୍ତି । ୮୫ ବର୍ଷରୁ ଅଧିକ ବୟସର ଭୋଟର ଘରେ ବସି ଭୋଟ ଦେଇପାରିବେ । ଏଥିପାଇଁ ସେମାନଙ୍କ ଘରକୁ ଫର୍ମ ପଠାଇଦିଆଯିବ ।

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମେ ୧୩, ୨୦, ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ । ଯେଉଁଥିରେ ଓଡ଼ିଶାର ମୋଟ ୩.୩୨ କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ।

କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ବ୍ରହ୍ମପୁର ଲୋକସଭା ଆସନ ସହ ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ ଟି ବିଧାନସଭା ରେ ମେ ୧୩ ଚତୁର୍ଥ ପର୍ଯ୍ୟାୟ ରେ ଓଡ଼ିଶାରେ ପ୍ରଥମ ପ୍ରଯ୍ୟାୟରେ ଭୋଟ ଗ୍ରହଣ ହେବ l

ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା ତତ ସହିତ ୩୫ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୨୦ରେ ଭୋଟ୍ ଗ୍ରହଣ ହେବ।

ସେହିପରି ଷଷ୍ଠ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ୪୨ ଟି ବିଧାନସଭା ଆସନ ପାଇଁ ମେ ୨୫ ରେ ମତଦାନ ଅନୁଷ୍ଠିତ ହେବ l

ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଜୁନ ୧ ତାରିଖ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଲୋକସଭା ସହ ଏଥିରେ ଥିବା ୪୨ ଟି ବିଧାନସଭା ଆସନ ପାଇଁ ମତଦାନ ହେବ।

 


Leave a Reply

Your email address will not be published. Required fields are marked *

error: Content is protected !!