ଗାଧୋଇବା ବେଳେ ପାଣିରେ ବୁଡ଼ି ନାବାଳକଙ୍କ ଅକାଳ ବିୟୋଗ

ସରଣ୍ଡା,25/3(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡl ଗ୍ରାମରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ଗାଧୋଇବା ସମୟରେ ପାଣିରେ ବୁଡ଼ି ଜଣେ ଆଠ ବର୍ଷ ବାଳକର ମୃତ୍ୟୁ ଘଟିଛି। ଉକ୍ତ ଗ୍ରାମର ପ୍ରଶାନ୍ତ ପ୍ରଧାନ ଙ୍କ ପୁଅ ସାଇ କ୍ରିଷ୍ଣା ପ୍ରଧାନ(୮) ନିଜ ସାଙ୍ଗ ସାଥୀ ମାନଙ୍କ ସହ ହାଇସ୍କୁଲ ନିକଟରେ ଥିବା ମହାଦେବ ପୋଖରୀ କୁ ସକାଳ ପ୍ରାୟ ୯ଟା ସମୟରେ ଗାଧୋଇବାକୁ ଯାଇଥିଲେ। ତାଙ୍କୁ ପହଁରା ଜଣା ନଥିଲା ।ପୋଖରୀରେ ବହୁତ୍ ପାଣି ଥିବାରୁ ସେ ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲେ । ଅନ୍ୟ ସାଥୀ ବାଳକ ମାନେ ଦେଖି ଭୟରେ କିଛି କହିପାରୁ ନଥିଲେ ।ଏହି ସମୟରେ ଗ୍ରାମର ସୁଦାମ ସାହୁ ଓ ସଞ୍ଜୟ ପ୍ରଧାନ ଦୁଇଜଣ ଯୁବକ ଗାଧୋଇ ବାକୁ ଯାଇଥିଲେ । ପିଲାମାନେ ପୋଖରୀ ହୁଡାରେ ଛିଡ଼ା ହୋଇ ରହିଥିବା ଦେଖି ତାଙ୍କୁ ଘରକୁ ଯିବା ପାଇଁ କହିଥିଲେ ।କିନ୍ତୁ ସେମାନେ ଭୟରେ କିଛି ଉତ୍ତର ନ ଦେଇ ଅବାକ୍ ହୋଇ ଅନେଇ ରହିଥିଲେ । ସେହି ଛୋଟ ପିଲାଙ୍କର ଏମିତି ଅବସ୍ଥା ଦେଖି ସୁଦାମ ଓ ସଞ୍ଜୟ ଘଟଣାକୁ ବୁଝିବାକୁ ଚେଷ୍ଟା କରିବା ବେଳକୁ ସାଇକୃଷ୍ଣ ଙ୍କ ଚପଳ ଓ ଲୁଗା ପଡ଼ି ରହିଥିବା ଦେଖି ପୋଖରୀ ଭିତରକୁ ଯାଇ ଖୋଜା ଖୋଜି କରିଥିଲେ । ଖୋଜିବା ବେଳକୁ ତୁଠରୁ ମାତ୍ର କିଛି ଆଗରେ ସାଇ କୃଷ୍ଣ ଙ୍କ ଶରୀର ତାଙ୍କ ଗୋଡ଼ରେ ବାଜିଥିଲା ।ସେ ତାକୁ ଉପରକୁ ନେଇ ଆସିଥିଲେ ।
ପାଣିରୁ ଉଦ୍ଧାର ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଇ ଦୁଃଖଦ ଖବର ରେ ଗ୍ରାମ ରେ ଶୋକର ଛାୟା ଖେଳିଯାଇଛି ।