ଭଟଲି ବ୍ଲକ ପଞ୍ଚାୟତ ସମିତି ବୈଠକରେ ଉଦବେଗ ପଡ଼ିରହିଛି ୧୦୬ ପ୍ରକଳ୍ପ

ଭଟଲି,୩୦।୧୦(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲ୍ଲା ଭଟଲି ପଞ୍ଚାୟତ ସମିତି ବୈଠକ ଆଜି ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଭଟଲି ବ୍ଲକରେ ଚାଲିଥିବା ଏବଂ ହେବାକୁଥିବା ଲୋକାଭିମୁଖୀ ଯୋଜନା ମାନଙ୍କ ବିଷୟରେ ଆଲୋଚନା କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜା ବେହେରା ବୈଠକକୁ ପରିଚାଳନା କରିଥିଲେ। ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ମହିମା ସାହୁ ସ୍ବାଗତ ଭାଷଣ ସହିତ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଅଭିରାମ ସେଠ୍, ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଜୀତ୍ ହାଁସଦା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ଗଡ଼ତିଆ, ବ୍ଲକ ଉପାଧ୍ୟକ୍ଷା ଲଳିତା ବାଗ, ଜିଲ୍ଲା ପରିଷଦ ସଭ୍ୟା ଭାରତୀ ଭୁଏ ମଞ୍ଚାସିନ ଥିଲେ l ବ୍ଲକର ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଦାୟିତ୍ବରେ ଥିବା ସରୋଜ ପାତ୍ର ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଭଟଲି ବ୍ଲକ ତାଳ ତେଲ ପାଇଁ ପ୍ରସିଦ୍ଧି ଲାଭ କରିଥିବା ସୂଚନା ଦେଇଥିଲେ । ସମନ୍ଵିତ ଶିଶୁ ବିକାଶ ଅଧିକାରୀ ସୈରେନ୍ଦ୍ରୀ ମହାନନ୍ଦ ପୁଣିଥରେ ୨୮ ଗୋଟି ଆଙ୍ଗନୱାଡ଼ି କେନ୍ଦ୍ର ଗୃହ ଅସମ୍ପୂର୍ଣ୍ଣ ଥିବା ଦର୍ଶାଇଥିଲେ । ତନ୍ମଧ୍ୟରୁ ଭଟଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ତିନିଟି କେନ୍ଦ୍ର ଚାରିବର୍ଷ ହେଲା ପଡ଼ି ରହିଥିବା ସୂଚନା ଦେଇଥିଲେ। ସରକାରୀ ନିର୍ବାହୀ ଯନ୍ତ୍ରୀ ରାମଜଜୀତ୍ ହାଁସଦା ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ସେଥିମଧ୍ୟରୁ ପୂର୍ବ ସରକାର ନିର୍ବାଚନ ଆଗରୁ “ଆମ ଓଡ଼ିଶା ନବୀନ ଓଡିଶା ଯୋଜନା” ଅନ୍ତର୍ଗତ ୨୨୯ ଗୋଟି ପ୍ରକଳ୍ପ ବ୍ଲକରେ ମଞ୍ଜୁର ହୋଇଥିଲା । ସେଥିମଧ୍ୟରୁ ୧୨୩ ଗୋଟି ପ୍ରକଳ୍ପ ସମ୍ପୂର୍ଣ ହୋଇଥିବା ବେଳେ ବାକି ରହିଥିବା ୧୦୬ ଗୋଟି ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ଦର୍ଶାଇଥିଲେ । ମଞ୍ଜୁର ହୋଇ ସ୍ଥାନ ଚୟନ ଏବଂ ସୂଚନା ଫଳକ ଲାଗି ରହିଥିବା ଏତେ ଗୁଡ଼ାଏ ପ୍ରକଳ୍ପ ଆଜି ଅନିଶ୍ଚିତତା ମଧ୍ୟରେ ପଡ଼ିରହିବା ନେଇ ଉପସ୍ଥିତ ଜନ ପ୍ରତିନିଧି ମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଏହି ଅନୁଦାନ ପଡିରହିଥିଲେ ମଧ୍ଯ କାର୍ଯ୍ୟ କାହିଁକି ଆରମ୍ଭ ହୋଇ ପାରୁନାହିଁ ବୋଳି ପ୍ରଶ୍ନ କରିଥିଲେ । ରାଜ୍ୟ ସରକାର ଏହା ଉପରେ ତୁରନ୍ତ ତାଙ୍କ ଆଭିମୁଖ୍ୟ ସ୍ଵଷ୍ଠ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ଟାଟା ପାୱାର ବିଦ୍ୟୁତ୍ ବିଭାଗ ଅଧିକାରୀ ଉପଭୋକ୍ତା ମାନେ ମାସିକ ବିଦ୍ୟୁତ୍ ଦେୟ ପୈଠ ନକଲେ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଥିବା ଜଣାଇଥିଲେ। ଉପସ୍ଥିତ ଅଧିକାରୀ ମାନେ ବିଭାଗର ସରକାରୀ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଏଥିରେ ସମସ୍ତ ବିଭାଗର କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟସଭ୍ୟା, ପଞ୍ଚାୟତ ସ୍ତରୀୟ ଅଧିକାରୀ, ବିଭାଗୀୟ ସଂସ୍ଥାର ଅଧିକାରୀ ଯୋଗ ଦେଇଥିଲେ l ସମସ୍ତେ ମିଳମିଶି କାମ କଲେ ଭଟଲି ବ୍ଲକକୁ ଜିଲ୍ଲା ତଥା ରାଜ୍ୟରେ ଏକ ନମ୍ୱର କରିପାରିବା ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ଆହ୍ବାନ ଦେଇଥିଲେ । ଗ୍ରାମ୍ୟ ସ୍ତରରୁ ଆସୁଥିବା ସମସ୍ତ ଯୋଜନା ଯେପରି କାର୍ଯ୍ୟକାରୀ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତ୍ସାରାଣୀ ଗଡ଼ତିଆ ଧନ୍ୟବାଦ ଅର୍ପଣ କରିଥିଲେ।