ସ୍ତ୍ରୀ ଙ୍କୁ ହତ୍ୟା କରି ସ୍ୱାମୀଙ୍କ ଆତ୍ମହତ୍ୟା !

ଭଟଲି,1/11(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁସନପୁରୀ ବିଜୟା ଛକ ନିକଟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ସନ୍ଦେହରେ ହତ୍ୟା କରିବା ପରେ ସ୍ଵାମୀ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ମାନେ କିଶୋର ଭୁଏ(୩୮) ଓ ସୁନିତା ଭୁଏ(୩୨) ବୋଲି ଜଣାପଡିଛି ।ସକାଳେ ଘଟଣା ପ୍ରଘଟ ହେବା ପରେ ଘରମାଲିକ ସେମାନଙ୍କ ପରିବାରକୁ ଖବର ଦେବା ସହିତ ପୋଲିସକୁ ଏନେଇ ଖବର ଦେଇଥିଲେ । । ପରେ ସଉନ୍ତାମାଲ ଗ୍ରାମର ମୃତ ମହିଳାଙ୍କ ମା ଫୁଲତୁଲି ଭଏସାର୍ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଭଟଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଭଟଲି ଥାନାଧିକାରୀ ବିଭୂତି ଭୂଷଣ ଦଳେଇ ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିବା ସହିତ ମୃତ ମହିଳାଙ୍କ ପେଟରେ ଏକ ଛୁରୀ ଲାଗିଥିବା ଦେଖିବାକୁ ପାଇଥିଲେ । ତେବେ ସ୍ବାମୀ ସ୍ତ୍ରୀଙ୍କୁ ଛୁରୀ ଭୂସି ହତ୍ୟା କରିବା ପରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ଭଟଲି ଥାନା କେସ ନ.୩୨୯/୨୪ ଦଫା ୧୦୩(୧) ଭାରତୀୟ ନ୍ୟାୟ ସଂହିତା ୨୦୨୩ କ୍ରମେ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଉଭୟେ ସ୍ବାମୀ ସ୍ତ୍ରୀ ୧୪ ବର୍ଷ ପୂର୍ବେ ପ୍ରେମ ବିବାହ କରିବା ସହିତ କୌଣସି କାରଣରୁ ବିଗତ ପ୍ରାୟ ୪ ବର୍ଷ ପୂର୍ବରୁ ଭଟଲି ରେ ଆସି ରହୁଥିଲେ । ବିଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ମଧ୍ୟ ଅଞ୍ଚଳରେ କୁହକୁହି ହେଉଛନ୍ତି ।