ଭଟଲି ଶ୍ରୀ ଶ୍ୟାମ ବିହାରୀଙ୍କ ଜନ୍ମୋତ୍ସବ ପାଳନ

0

ଭଟଲି,୧୨।୧୧(ସଂସ୍କୃତି ମିଡ଼ିଆ )-ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ତିଥିରେ ଭଟଲି କୁଶନପୁରୀ ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ଜୀଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି l ମାନ୍ୟତା ଏବଂ ଆସ୍ଥାରେ ରାଜସ୍ତାନର ଖାଟୁ ମନ୍ଦିର ପରେ ଭଟଲି କୁଶନପୁରୀ ସ୍ଥିତ ଶ୍ରୀ ଶ୍ୟାମ ବାବାଙ୍କ ମନ୍ଦିର ଭାରତରେ ପ୍ରସିଦ୍ଧ l ଏବେ ଅନ୍ୟ ପ୍ରମୁଖ ସହର ମାନଙ୍କରେ ବାବାଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଶ୍ରଦ୍ଧାଳୁ ଭଟଲି ନରେଶଙ୍କୁ ଅଗ୍ର ମାନ୍ୟତା ଦେଇଥାନ୍ତି । ସୋମବାର ସଂଧ୍ୟାରୁ ବିଳମ୍ୱିତ ରାତ୍ରୀ ପର୍ଯ୍ୟନ୍ତ ବରଗଡ଼ ସ୍ଵଂୟସିଦ୍ଧା ଭବନ ଠାରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଶ୍ରୀ ଶ୍ୟାମ ନିଶାନ ସେବା ମଣ୍ଡଳ ଟ୍ରଷ୍ଟ ଦ୍ଵାରା ଆଧ୍ୟାତ୍ମିକ ଭଜନ ଅନୁଷ୍ଠିତ ହୋଇଥିଲା। ଭୋର ଚାରିଟାରୁ ବରଗଡ଼ରୁ ଭଟଲି ଧାମ ପର୍ଯ୍ୟନ୍ତ ପାଖାପାଖି ୩୦୦୦ ହଜାର ଶ୍ରଦ୍ଧାଲୁଙ୍କ ନିଶାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ମାନସିକ ରଖିଥିବା ଭକ୍ତ ମାନେ ନିଶାନ ବା ଧ୍ୱଜ ଧରି ଦୀର୍ଘ ୧୭କିଲୋମିଟର ରାସ୍ତା ଚାଳିଚାଳି ଆସି ପ୍ରଭୁଙ୍କୁ ଦର୍ଶନ କରି ନିଜ ନିଜ ମନସ୍କାମନା ପୂରଣ କରିଥିଲେ। ନିଶାନ ଧରି ଆସୁଥିବା ପଦଯାତ୍ରୀ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ, ମଣ୍ଡଳ ତଥା ସାମାଜିକ କର୍ମୀ ମାନେ ରାସ୍ତାରେ ଜଳପାନ ବ୍ୟବସ୍ଥା କରି ସ୍ଵାଗତ କରିଥିଲା। ମନ୍ଦିର ସମିତି ପକ୍ଷରୁ ସରିଆ ଶ୍ୟାମ ପରିବାର ସହାୟତାରେ ନିଶାନ ଯାତ୍ରୀଙ୍କ ପାଇଁ ରାସ୍ତାର ଗୋଟିଏ ପାର୍ଶ୍ଵରେ ଗାଲିଚା ବ୍ୟବସ୍ଥା କରାଯାଇଥିଲା । ଏ ଉପଲକ୍ଷେ ଶ୍ରୀ ଶ୍ୟାମ ବିହାରୀ ଜୀଙ୍କ ଭବ୍ୟ ଆଲୌକକ ଶୃଙ୍ଗାର କରାଯାଇଥିଲା l ପ୍ରାତଃ ୮ଟା ସମୟରେ ବାବାଙ୍କ ଅଖଣ୍ଡ ଜ୍ୟୋତି ସହିତ ମଙ୍ଗଳ ପାଠ ଆୟୋଜନ ହୋଇଥିଲା l ମନ୍ଦିର ପରିସରକୁ ସଜ ଫୁଲ ତଥା ଆଲୋକରେ ଆକର୍ଷଣୀୟ ଭାବରେ ସଜା ଯାଇଥିଲା l ସନ୍ଧ୍ୟା ୭ ଘଟିକାରୁ ସାଂସ୍କୃତିକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ହର ମହେନ୍ଦ୍ର ସିଂ ରୋମି, ଆଦର୍ଶ ଦାଧିଚ ଏବଂ ରେଶମୀ ଶର୍ମା ପ୍ରମୁଖ ଭଜନ ପରବେଷନ କରିଥିଲେ। ରାତ୍ରୀ ଠିକ୍ ୧୨ଘଣ୍ଟା ସମୟରେ ଶୁଦ୍ଧ ଖୁଆରେ ନିର୍ମିତ କେକ୍ କାଟି ବାବଙ୍କ ଜନ୍ମଦିନ ପାଳନ କାରାଗଲା । ଏହି ଅବସରରେ ଭବ୍ୟ ଦରବାର ଏବଂ ଫୁଲ ହୋଲି ଆୟୋଜିତ ହୋଇଥିଲା। ଶ୍ରୀ ଶ୍ୟାମ ବିହାରୀ ଜି ଙ୍କୁ ସ୍ବତନ୍ତ୍ର ଛପନ ଭୋଗ ପ୍ରସାଦ ଲାଗି କରାଯାଇଥିବା ବେଳେ ଆସନ୍ତା କାଲି ସବାମଣି ପ୍ରସାଦ ଲଗାଯିବ l ଭକ୍ତ ମାନଙ୍କ ପାଇଁ ମନ୍ଦିର ସମିତିର ଶ୍ୟାମ ରୋଶେଇ ତରଫରୁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା l ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ସମିତି ଭଟଲି ଧାମ ତରଫରୁ ସମସ୍ତ ଆୟୋଜନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ। ଚଳିତ ବର୍ଷ ଏହି ମହୋତ୍ସବକୁ ଓଡିଶା ତଥା ଦେଶର ଅନେକ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ପ୍ରଭୁଙ୍କୁ ଦର୍ଶନ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!