ଓଡିଶା ରାଜ୍ୟ କୃଷକ ସଂଗଠନର ମଣ୍ଡି ପରିଦର୍ଶନ //ମିର୍ଲସ ହେଡ଼ରେ କଟନୀ ଛଟନୀ ଅଭିଯୋଗ

0

ଅତାବିରା , 17/12(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ବିଭିନ୍ନ ମଣ୍ଡି ଗୁଡିକୁ ମଙ୍ଗଳବାର ଅଚାନକ ଵୁଲି ପରିଦର୍ଶନ କରିଛି ଓଡିଶା ରାଜ୍ୟ କୃଷକ ସଂଗଠନ l ସଂଗଠନ ର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ବହୁ ସଦସ୍ୟ ଗୋଡ଼ଭଗା, ଅତାବିରା, କାଦୋବାହାଳ, ଲରମ୍ଭା, ପତ୍ରାପାଲି, ଝିଲିମିଣ୍ଡା, କାଠଡେରା, ଖରମୁଣ୍ଡା, ପାହାଡ଼ଶ୍ରୀଗୀଡା, ଗୌଡ଼ଟିକ୍ରା ଆଦି ମଣ୍ଡି ପରିଦର୍ଶନ କରିଥିଲେ l ଚାଷୀଙ୍କ ପାଇଁ ଅତାବିରା ନିୟନ୍ତ୍ରିତ ବଜାର କମିଟିରେ କୋଟି କୋଟି ଟଙ୍କାର ପାଣ୍ଠି ଥିବା ସହ ଭିର୍ତ୍ତିଭୂମି ବି କିଛି କାଂଶରେ ରହିଛି ହେଲେ ଏବେବି ମଣ୍ଡି ଗୁଡିକରେ ଖୋଲା ଆକାଶ ତଳେ ଅନ୍ନଦାତା ଙ୍କ ଲକ୍ଷାଧିକ ଧାନ ବସ୍ତା ପଡି ରହିଛି l ଚାଷୀ ୮ ଶହ ଟଙ୍କା ଅଧିକ ପାଇ ଖୁସ ହେଉଥିବା ବେଳେ ଧାନ ଉଠାଣ କମ୍ ସହ ଟାର୍ଗେଟ ବି କମ୍ ଆସୁଥିବାରୁ ଚାଷୀଙ୍କୁ ଚିନ୍ତାରେ ପକାଇଛି l

ନଭେମ୍ବର 20 ରୁ ମାର୍କେଟ ୟାର୍ଡ଼ ଖୋଲି ଇତି ମଧ୍ୟରେ 27 ଦିନ ବିତିଯାଇଥିଲେ ବି ଏବେ ସୁଦ୍ଧା ଲକ୍ଷ୍ୟ ଧାର୍ଯ୍ୟର 33 ରୁ 35 ପ୍ରତିଶତ ଧାନ ଉଠିଛି l ଯାହାକି ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି ବୋଲି ସଂଗଠନ ଅଭିଯୋଗ କରିଛି l ଅନ୍ୟ ପଟେ ଆସନ୍ତା ଜାନୁୟାରୀ ପ୍ରଥମରୁ କେନାଲ ପାଣି ଛଡ଼ାଯିବାର ରହିଛି l ରବି ଋତୁ ପାଇଁ କେନାଲ ପାଣି ଆସିଲା କ୍ଷଣି ଚାଷ କାର୍ଯ୍ୟ କରିବାକୁ ପଡିବ l ହେଲେ ବିଳମ୍ୱ ଟୋକନ, ଧାନ ଉଠାଣରେ ଶିଥିଳତା ଯୋଗୁଁ ବହୁ ଚାଷୀଙ୍କ ଧାନ ଖଳା ବା ରାସ୍ତା କଡ଼ରେ ଏବେ ବି ପଡି ରହିଛି l ମଣ୍ଡି ଗୁଡିକରେ ମଧ୍ୟ ଚାଷୀଙ୍କ ଧାନ ପଡି ରହିଛି l ଫଳରେ ଚାଷୀ କେବେ ଧାନ ବିକିବ ଓ ବିକ୍ରି ମୂଲ୍ୟ ପାଇବ ଯେ ଜାନୁୟାରୀ ପ୍ରଥମ ସପ୍ତାହରୁ ରବି ଋତୁ ପାଇଁ ଚାଷ କାର୍ଯ୍ୟ ପାଇଁ ପହଲ୍ଲା ପକା ଓ ରୁଆ ପୁଣି ଆରମ୍ଭ କରିବ ତାକୁ ନେଇ ସଂଗଠନ ଅସନ୍ତୋଷ ବ୍ୟକ୍ତ କରିଛି l ମଣ୍ଡି ପରିଦର୍ଶନ ବେଳେ ଅନେକ ଚାଷୀ ସଂଗଠନ ଆଗରେ ସେମାନଙ୍କ ଦୁଃଖ ପ୍ରକାଶ କରିବାକୁ ଯାଇ ମିର୍ଲସ ହେଡ଼ରେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନ କଟନୀ ଛଟନୀ ସହ ଆଦ୍ରତା ମାପ କରାଯାଉଥିବା ଅଭିଯୋଗ କରିଛନ୍ତି l ଯାହାକି ମଣ୍ଡିରେ ହେବା କଥା ତାହା ବେଧଡକ ମିର୍ଲସ ହେଡ଼ରେ ହେଉଥିବା ଚାଷୀମାନେ ଅଭିଯୋଗ କରିଥିବା ସଂଗଠନର ସଭାପତି ବୀରେନ୍ଦ୍ର କର ପ୍ରକାଶ କରିବା ସହ ଆଗାମୀ ଦିନରେ ଧାନ ବିକ୍ରି ଅବ୍ୟବସ୍ଥା ସୁଧାରିବା ଓ ଜାନୁୟାରୀ ୫ ତାରିଖ ସୁଦ୍ଧା ଧାନ ବିକ୍ରି ଶେଷ କରିବାକୁ ବରଗଡ଼ ଜିଲାପାଳଙ୍କ ଠାରେ ଦାବୀ ଉପସ୍ଥାପନ କରିବେ ବୋଲି ପ୍ରକାଶ କରିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!