ଚାଷୀଙ୍କ ଦୁଃଖ ବଢ଼ାଇଲା ଲଗାଣ କାଳବୈଶାଖୀ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 43;


ଅତାବିରା, 4/5(ସଂସ୍କୃତି ମିଡ଼ିଆ)- ଗତ ମଙ୍ଗଳବାର ସନ୍ଧ୍ୟା ୮ ରୁ ଶନିବାର ଯାଏଁ ପ୍ରତିଦିନ ସନ୍ଧ୍ୟାରେ ଲଗାତାର କାଳବୈଶାଖୀ ଝଡବତାସ ଓ ବର୍ଷା ବରଗଡ ଜିଲା ଅତାବିରା ବ୍ଲକ ଅଞ୍ଚଳର ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। ଏପରି ଲଗାଣ ପ୍ରାକୃତିକ ବିପର୍ଯ୍ୟୟ ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି l ଶନିବାର ଏହି ଦୁଃଖ ଶୀର୍ଷରେ ପହଞ୍ଚିଛି। ସନ୍ଧ୍ୟାରେ ଅତାବିରାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଏବଂ କରାମାଡ଼ରେ ଶହ ଶହ ଏକର ଅମଳକ୍ଷମ ଧାନ ଝଡ଼ିଯାଇଛି। ବିଲରେ ଧାନକେଣ୍ଡା ଶୋଇ ଯାଇଛି।

ଶନିବାର ସକାଳେ ପାଣିପାଗ ସ୍ବାଭାବିକ ଥିଲା। କିନ୍ତୁ ସନ୍ଧ୍ୟା ୬ଟା ପରେ ସବୁ ବିଗିଡ଼ି ଯାଇଥିଲା । ହଠାତ୍ ଜୋର୍ ପବନ ସାଙ୍ଗକୁ ଘଡ଼ଘଡ଼ି ଓ ବର୍ଷା ହୋଇଥିଲା। ପାଖାପାଖି ଘଣ୍ଟାଏ ଧରି ପ୍ରବଳ ବର୍ଷା ହୋଇଥିଲା। ଅତାବିରା ଏନଏସି ସହ ବ୍ଲକର ସରଣ୍ଡା, ତାଳପତ୍ରଟିକ୍ରା, ଭୋଇପାଲି, ଲରସରା, ଦେବାହାଲ ଆଦି ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ ହୋଇଛି। କିଛି ଦିନ ତଳେ ଏପରି ଝଡ଼ବର୍ଷାରୁ ବର୍ତ୍ତି ଯାଇଥିବା ଧାନ ବରବାଦ ହୋଇଯାଇଛି। ଅସ୍ବାଭାବିକ ପାଣିପାଗ ବ୍ଲକର ଚାଷୀଙ୍କ ପାଇଁ କାଳ ସାଜି ମେରୁଦଣ୍ଡ ଦୋହଲାଇ ଦେଇଛି l ଚକଡା ରୋଗପୋକ, ଅଚାନକ ବର୍ଷା, କରକାପାତ ଏବଂ ଝଡ଼ତୋଫାନ ଯୋଗୁଁ ଚାଷୀର ବଳକା ଫସଲ ନଷ୍ଟ ହେଉଛି। ଆସନ୍ତା 14ତାରିଖରୁ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିବ କିଛି ସ୍ଥାନରେ ମଣ୍ଡିରେ ଧାନ ବିକ୍ରି କରିବା ଉଦ୍ଦେଶ୍ୟରେ ଚାଷୀ ଧାନ କାଟି ଖଳାରେ ତ ଆଉ କିଏ ଜାତୀୟ ରାଜପଥ କଡ଼ରେ ଶୁଖାଇ ରଖିଥିଲେ। ହେଲେ ତୁହାକୁ ତୁହା ବର୍ଷା ଯୋଗୁଁ ସେ ସବୁ ବାରମ୍ବାର ଭିଜୁଛି l ତାହାକୁ ପୁଣି ଚାଷୀ ଶୁଖାଉଥିବା ଦେଖିବାକୁ ମିଳିଛି l

ଫଳରେ ଅତାବିରା ଅଞ୍ଚଳରେ ଝଡ଼ବର୍ଷା ଯୋଗୁଁ ଧାନ, ପରିବା ଫସଲ ପ୍ରଭାବିତ ହୋଇଛି। ପ୍ରଶାସନ ଏହାର ସଠିକ ଆକଳନ ସହିତ କ୍ଷତିପୂରଣ ଏବଂ ବୀମା ସହାୟତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ଜୋର୍‌ ଧରିଛି।

ଚାଷୀଙ୍କ ମୁହଁରୁ………

@-ନିଜ ଓ ଭାଗ ଚାଷ ମିଶି ସମୁଦାୟ 25 ଏକର ଚାଷ କରିଛି l ୮ ଏକର ଧାନ ଫସଲ ଅମଳ କରି ଖଳା ଅଭାବରୁ ଜାତୀୟ ରାଜପଥ କଡ଼ରେ ଶୁଖାଇଛି l ହେଲେ ଲଗାତାର କାଳବୈଶାଖୀ ଝଡବତାସ ସହ ବର୍ଷା ଯୋଗୁଁ ତାହା ଭିଯାଉଛି l ଅମଳ ହେବାକୁ ଥିବା ବାକି ଜମିରେ ଧାନ ଫସଲ ଵି କ୍ଷତିଗ୍ରସ୍ତ ହୋଇଛି l

ଏମ. ଭେଙ୍କେଟେଶ୍ୱର ରାଓ, ଚାଷୀ ସରଣ୍ଡା

@- ଦୁଇ ଏକର ଧାନ ଅମଳ କରି ରାସ୍ତା କଡ଼ରେ ଶୁଖାଉଛି l ଝଡବତାସ ଯୋଗୁଁ ବହୁତ ହଇରାଣ ହେବାକୁ ପଡୁଛି l ଆଉ ୮ ଏକର କ୍ଷେତରେ କିଛି ପାଚିଲାଣି ଆଉ କିଛି ଧାନ କେଣ୍ଡା ଧରୁଥିଲା l ଗର୍ଭଣୀ ଧାନ ସବୁ ପବନରେ ଆଗଡ଼ି ହୋଇଯାଉଛି l ପ୍ରାୟ 50 ପ୍ରତିଶତ ଧାନ କ୍ଷତିଗ୍ରସ୍ତ ହୋଇଗଲାଣି l ପ୍ରକୃତି ଏବେ ଦାଉ ସାଧୁଛି l ସରକାର ଦୃଷ୍ଟି ଦେଇ ଇନପୁଟ ସବ୍ ସିଡ଼ି ସହ କ୍ଷତିପୂରଣ ପ୍ରଦାନ କରନ୍ତୁ l

ତ୍ରିବିକ୍ରମ ମେହେର, ଚାଷୀ, ସରଣ୍ଡା

@ ସମୁଦାୟ 25 ଏକାରରୁ ୫ ଏକର ମଡ଼ାଇଛି l ବାରମ୍ବାର କାଳବୈଶାଖୀ ଲାଗି ଫସଲ ନଷ୍ଟ ହେଉଛି l ଅମଳ ହେବାକୁ ଥିବା ପ୍ରାୟ 35 ପ୍ରତିଶତ ଧାନ ବିଜା କ୍ଷେତ୍ରରେ ଝଡି ପଡ଼ିଲାଣି l ବର୍ଷା ହୋଇ ଯାଉଥିବାରୁ ବିଲକୁ ଧାନ କଟା ମେସିନ ନେବା କଷ୍ଟକର ହୋଇ ପଡୁଛି l ଫଳରେ କ୍ଷତିର ପରିମାଣ ବଢିବ l

କେ. ଆର୍ ରାଜୁ, ଚାଷୀ, ତାଳପତ୍ରଟିକ୍ରା

@ ସମୁଦାୟ ପାଞ୍ଚ ଏକର ଚାଷ କରିଛି l କିଛି ଧାନ ଏବେ ବାହାରୁଛି ଆଉ କିଛି ଅମଳ କ୍ଷମ ହୋଇ କ୍ଷେତ୍ର ରେ ପଡ଼ି ରହିଛି l ପ୍ରାୟ 40 ପ୍ରତିଶତ ଧାନ କ୍ଷତି ହୋଇଗଲାଣି l ଧାନ ଅମଳ କରିବା ଯେତେ ବିଳମ୍ୱ ହେବ କ୍ଷତି ପରିମାଣ ସେତିକି ବଢ଼ି ଚଳିବ l ପ୍ରତିଦିନ ସନ୍ଧ୍ୟାରେ ଏପରି କାଳବୈଶାଖୀ ଝଡ଼ ବର୍ଷା ଯୋଗୁଁ ଧାନ ଗର୍ଭଣୀ ଅବସ୍ଥାରେ ଥିବା ବା ବାହାରିଥିବା ଧାନ କେଣ୍ଡା ସବୁ ପୋଲ ହୋଇଯାଉଛି l ସରକାର ଚାଷୀଙ୍କ ଦୁଃଖ ଦେଖିବା କଥା l

ଶ୍ୟାମ ସୁନ୍ଦର ପ୍ରଧାନ, ଚାଷୀ ସରଣ୍ଡା 

@ ୭ ଏକର ଚାଷ କରିଛି l ସବୁ ଅମଳ କ୍ଷମ ହୋଇ କ୍ଷେତ୍ରରେ ଅଛି l ଏପରି ଲଗାତାର ଝଡ଼ ବର୍ଷା ଯୋଗୁଁ ଅମଳ କରି ହେଉ ନାହିଁ l ଧାନ କେଣ୍ଡାରୁ ଧାନ ସବୁ ପବନରେ ଝଡି ପଡୁଛି l ଗଛ ଗୁଡାକ ଵି ତଳେ ପଡ଼ିଗଲାଣି l 50 ରୁ 55 ପ୍ରତିଶତ ଧାନ ଫସଲ ଉଜୁଡି ଗଲାଣି l ଯାହାବି ବାକି ଅଛି ତାକୁ କିଭଳି ସୁରକ୍ଷିତ ଅମଳ କରିବୁ ସେ ଚିନ୍ତା ଘାରୁଛି l

ଜି. ରାମକୃଷ୍ଣ, ଚାଷୀ, ତାଳପତ୍ରଟିକ୍ରା

@ବର୍ତ୍ତମାନ ଅତାବିରା ବ୍ଲକର ବିଭିନ୍ନ ପଞ୍ଚାୟତରେ କାଳବୈଶାଖୀର ତାଣ୍ଡବ ଲାଗି ରହିଛି l ପୂର୍ବରୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ କ୍ଷତିପୂରଣ ପାଇଁ ଦାବୀ ରଖିଛି l କୃଷି ବିଭାଗ ଓ ରାଜସ୍ବ ବିଭାଗର ମିଳିତ ସର୍ବେକ୍ଷଣ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବୀ କରୁଛୁଁ l କାଳବୈଶାଖୀ ପ୍ରଭାବରେ ବହୁ ଧାନ ବିଲରେ ଶୋଇ ପଡ଼ିଲାଣି l ଅନେକ ଧାନ କେଣ୍ଡା ଝଡି ପଡ଼ିଲାଣି l ପନିପରିବା ଫସଲ ଵି କ୍ଷତିଗ୍ରସ୍ତ ହୋଇଛି l ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ l

ବୀରେନ୍ଦ୍ର କର, ସଭାପତି, ଓଡ଼ିଶା ରାଜ୍ୟ କୃଷକ ସଂଗଠନ, ଅତାବିରା 

ଏନେଇ ଅତାବିରା ତହସିଲଦାର କେ. ରିଚୀ କୁମାରଙ୍କୁ ରବିବାର ସନ୍ଧ୍ୟାରେ ବାରମ୍ବାର ତାଙ୍କ ମୋବାଇଲ ନମ୍ବର – 9654773575 ରେ କଲ କରାଯାଇଥିଲା ହେଲେ ସେ ଫୋନ ରିସିଭ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l ତେବେ କ୍ଷୟକ୍ଷତି ଅକାଳନ କରିବା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି l 


Leave a Reply

Your email address will not be published. Required fields are marked *

error: Content is protected !!