ସପ୍ତାହେ ବର୍ଷିଲା ଶୁଖାଇଲା ଧାନ ଗଜା ହେଲା

0

ଅତାବିରା, ୧/୬(ସଂସ୍କୃତି ମିଡ଼ିଆ)- ମେ ମାସ ପ୍ରଥମ ସପ୍ତାହରୁ ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ରବି ଧାନ ଅମଳ ଆରମ୍ଭ ହୋଇ ଯାଇଥିଲା l ପ୍ରଥମ ସପ୍ତାହ ପରିବର୍ତ୍ତେ ମେ ୧୪ ରେ ଧାନ କିଣା ବିକା ପାଇଁ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନ ସମସ୍ତ ମଣ୍ଡିଗୁଡିକୁ ସରକାର ଖୋଲିଲେ l ପ୍ରଥମରୁ ମଣ୍ଡିରେ ଧାନ କିଣା ମନ୍ଥର ଗତି ଏଯାଏଁ ଚାଳି ରହିଛି l ବିଗତ ଗୋଟିଏ ସପ୍ତାହ ହେଲା ଅତାବିରା ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ହେଉ ବା ଅଦିନିଆ ଲଗାଣ ବର୍ଷା ଲାଗି ରହିଛି l ଫଳରେ ବ୍ୟାପକ ରବିଧାନ ଫସଲ ନଷ୍ଟ ହେବାରେ ଲାଗିଛି l ସପ୍ତାହେ ହେଲା ତୁହାକୁ ତୁହା ଲଗାଣ ବର୍ଷା ଚାଷୀଙ୍କୁ ହତାଶ କରି ଦେଇଛି l ଆଜି ଶନିବାର ମଧ୍ୟ ସକାଳେ ୨ଘଣ୍ଟା ଧରି ମଧ୍ୟମ ଧରଣର ବର୍ଷା ଚାଷ ଜମିରେ ପାଣି ଭର୍ତ୍ତି ହେବା ସହ ନଈ ନାଳରେ ପାଣି ସ୍ରୋତ ବଢିଛି l ଗୋଟିଏ ପଟେ ମନ୍ଥର ଧାନ ଉଠାଣ ଅନ୍ୟ ପଟେ ପ୍ରାକୃତିକ ଦୈବୀ ଦୁଃର୍ବିପାକରେ ଅମଳ ଧାନ ନଷ୍ଟ ଯୋଗୁଁ ଚାଷୀ ଏବେ ଚିନ୍ତାଗ୍ରସ୍ତ l ପ୍ରତିବର୍ଷ ଭଳି ଚଳିତ ବର୍ଷ ଵି ଚାଷୀମାନେ ଧାରକରଜ କରି ମୁଣ୍ଡ ଝାଳ ତୁଣ୍ଡେ ମାରି ଚାଷ କରିଥିଲେ l ଅଞ୍ଚଳରେ ଚାଷ ମଧ୍ୟ ଅତି ଉତ୍ତମ ହୋଇଥିଲା l ଉତ୍ତମ ଚାଷ ଫସଲ ଦେଖି ଅଧିକ ଅମଳ ଆଶା କରି ବେଶ ଖୁସି ଅନୁଭବ କରୁଥିଲେ ଚାଷୀ l ତେବେ ଲଗାଣ ବର୍ଷା ସବୁ ଆଶା ଧୂଳିସାତ କରି ଦେଇଛି l ଏବେ କେତେକ ଚାଷୀ ଧାନ ଅମଳ କରି ଧାନକୁ ଗଦା କରି ରଖିଥିବା ବେଳେ ଆଉ କେତେକ ଧାନ କାଟି ବିଲରେ ପେଟା ପଡିଛି l ଆଉ କେତେ ଚାଷୀଙ୍କ ଧାନ ଅମଳ କ୍ଷମ ହୋଇଥିଲେ ଵି ଲଗାଣ ବର୍ଷା ପାଇଁ କଟା ଵି ହୋଇପାରୁ ନାହିଁ l ଯେଉଁ ଚାଷୀ ମାନେ ଧାନ ଗଦା କରି ରଖିଛନ୍ତି ବର୍ଷା ଯୋଗୁଁ ଶୁଖାଇ ପାରୁନାହାନ୍ତି l ଯେଉଁ ମାନେ ଵି ଶୁଖାଇବାକୁ ଚେଷ୍ଟା କରୁଛନ୍ତି ପୁଣି ବର୍ଷା ଆରମ୍ଭ ହୋଇ ଯାଉଛି l ଫଳରେ ସେହି ଧାନକୁ ଆଉ ଗଦା କରି ନ ପାରିବାରୁ ସେ ଧାନ ଵି ଭିଜୁଛି l ଅମଳ ଧାନ ନିଜସ୍ୱ ଖଳା ଅଭାବରୁ ରାସ୍ତାରେ ଶୁଖାଉଛନ୍ତି l ତେବେ ଲଗାଣ ବର୍ଷା ଯୋଗୁଁ ଶୁଖାଇ ନ ପାରିବାରୁ ସେହି ଧାନ ଵି ଗଜା ହୋଇ ନଷ୍ଟ ହେବାକୁ ବସିଲାଣି l

ପୁଣି ଚାଷ ଜମିରେ ଥିବା ଧାନ ଫସଲ ଵି ଏ ଅଦିନିଆ ବର୍ଷା ଯୋଗୁଁ ଗଜା ହୋଇ ସାରିଲାଣି l ଅତାବିରା ବ୍ଲକ ହିର୍ଲିପାଲି ଗ୍ରାମର ଗୌରହରୀ ପ୍ରଧାନଙ୍କ ଚାଷ ଜମିରେ ପଡ଼ିଥିବା ଧାନ ପେଟାରେ ବର୍ଷା ପାଣିରେ ଭାସି ଗଜା ହୋଇଯାଇଥିବା ଦେଖିବାକୁ ମିଳିଛି l ଅନୁରୂପ ଭାବେ ପାହାଡ଼ଶ୍ରୀଗୀଡ଼ା ର ଚାଷୀ ଚୈତନ୍ୟ ପଟେଲଙ୍କ ଗୋଟିଏ ଏକର ଜମିର କଟା ଯାଇଥିବା ଧାନ ଗଜା ହୋଇ ସାରିଛି l ଭୋଇପାଲି ଗ୍ରାମର ଧ୍ରୁବଚରଣ ଭୋଇ ଙ୍କ ୩ ଏକର ଅମଳ ଧାନ ରାସ୍ତା କଡ଼ରେ ଶୁଖାଇବାକୁ ରଖିଥିବା ବେଳେ ଗଜା ହୋଇ କ୍ଷତିଗ୍ରସ୍ତ ହୋଇଛନ୍ତି l

ଭୋଇପାଲି ଗ୍ରାମର ବିବେକାନନ୍ଦ ଭୋଇ, ଚକୁଳିଫାର୍ମର ୱାୟ. ଶେଖର, କର୍ମୀଟିକ୍ରାର ହେମସାଗର ପାତ୍ର, ସରଣ୍ଡାର ଗୌରୀଶଙ୍କର ମହାପାତ୍ର, ଲସ୍ତଳା ଗ୍ରାମର ବୃନ୍ଦାବନ ପ୍ରଧାନଙ୍କ ୩ ଏକର ଏପରି ଅନେକ ଚାଷୀଙ୍କ ଧାନ ଚାଷ ଜମିରୁ ଆରମ୍ଭ କରି ଖଳା, ରାସ୍ତା ମଣ୍ଡି ଯାଏଁ ବର୍ଷା ପାଣିରେ ଭିଜି ନଷ୍ଟ ହେଉଛି l ଏନେଇ ସମ୍ପୃକ୍ତ ଚାଷୀ ତଥା କୃଷକ ସଂଗଠନ ମାନେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି l ଅତାବିରା ତହସିଲଦାର କେ. ରିଚୀ କୁମାରଙ୍କୁ ପଚାରିବାରୁ, ଆଜିଠାରୁ ଅତାବିରା ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ବ ନିରୀକ୍ଷକ ମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ରବିବାର ସନ୍ଧ୍ୟା ସୁଦ୍ଧା ସେମାନେ କ୍ଷୟକ୍ଷତିର ଅକାଳନ ଶେଷ କରି ରିପୋର୍ଟ କରିବେ l ସମସ୍ତ ରିପୋର୍ଟ ଆସିଲା ପରେ ସୋମବାର ଆମେ ଜିଲାକୁ ରିପୋର୍ଟ ପଠାଇବୁ ବୋଲି କହିଥିଲେ l

ଅନ୍ୟ ପଟେ ଧାନ ମଣ୍ଡିଗୁଡିକରେ ଅଭାବୀ ଧାନ ବିକ୍ରି ସମସ୍ୟା ଦେଖା ଦେଇଛି l କଟନୀ ଛଟଣି ଵି ଜୋର ଚାଲିଥିବା ଚାଷୀ ଅଭିଯୋଗ କରିଛନ୍ତି l ପ୍ୟାକେଟ ପିଛା 3 କେଜି ଧାନ କାଟୁଥିବା ଜୈନିକ ଚାଷୀ ଓଡ଼ିଶା ରାଜ୍ୟ କୃଷକ ସଂଗଠନକୁ ଜଣାଇଛନ୍ତି l ଧାନ ମନ୍ଥରଗତିରେ ଉଠାଣ ସବୁ ଗଣିତ ଓଲଟ ପାଲଟ କରି ଦେଉଛି l ଏଠାରେ ସୂଚନା ଯୋଗ୍ୟ ଯେ ଆଜି 31 ମେ ଶନିବାର ସନ୍ଧ୍ୟା ୬ଟା ଯାଏଁ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସମସ୍ତ ମଣ୍ଡିରେ ମୋଟ ୨୭ ଲକ୍ଷ ୮୫ହଜାର ୮୬୩ ପ୍ୟାକେଟ ଧାନ ଆସିଥିବା ବେଳେ ୨୫ଲକ୍ଷ ୪୬ହଜାର ୭୧୮ ପ୍ୟାକେଟ ଧାନ ଉଠିଛି l ଫଳରେ ଏବେ ମଣ୍ଡି ଗୁଡିକରେ ୨ଲକ୍ଷ ୩୯ହଜାର ୧୪୫ ପ୍ୟାକେଟ ଧାନ ପଡ଼ିରହିଛି ।

ଦିନକୁ ଦିନ ମଣ୍ଡି ଗୁଡିକରେ ଧାନ ପଡ଼ି ରହିବା ବଢିବା ରେ ଲାଗିଛି l ଏପରି ଅବସ୍ଥା ଲାଗି ରହିଲେ ଯେକୌଣସି ମୁହୂର୍ତ୍ତରେ ଯେ ଚାଷୀ ଆନ୍ଦୋଳନ ନ ହେବ ତାହାକୁ ଏଡାଇ ଦିଆଯାଇ ପାରିବ ନାହିଁ l


Leave a Reply

Your email address will not be published. Required fields are marked *

error: Content is protected !!