ପୁଣି ଚର୍ଚ୍ଚାରେ କାଉନସିଲର ଦୀପକ : ଏଥର ଉଚ୍ଚ ଶିକ୍ଷା ପାଇଁ ବଢ଼ାଇଲେ ସହାୟତାର ହାତ

ଅତାବିରା, ୧୦/୭(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି )ର ଏକ ନମ୍ବର ୱାର୍ଡର କାଉନସିଲର ଦୀପକ ରାୟ ଗୁରୁବାର ୪ ଜଣ ମେଧାବୀ ଗରିବ ଛାତ୍ରୀଛାତ୍ରଙ୍କ ଉଚ୍ଚ ଶିକ୍ଷା ପାଇଁ ନାମଲେଖା ଦେୟ ଜମା କରି ସହାୟତାର ହାତ ବଢ଼ାଇଛନ୍ତି l ଦୀପକଙ୍କ ଏପରି ସହାୟତା ପ୍ରଦାନ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି l
(ଫଟୋ – ଉଚ୍ଚ ଶିକ୍ଷା ପାଇଁ ନାମଲେଖା ଦେୟ ଜମା କରି ସମ୍ପୃକ୍ତ ଛାତ୍ରୀଛାତ୍ର ଓ ତାଙ୍କ ଅଭିଭାବକଙ୍କ ସହ ଦୀପକ)
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବରଗଡ଼ ଜିଲା ଅତାବିରା ଏନଏସି ଅନ୍ତର୍ଗତ କାଣ୍ଡପାଲି ୧୨ ନମ୍ବର ୱାର୍ଡର ମାମୀ କାଣ୍ଡ, ଅତାବିରା ବ୍ଲକ ଲଚିଦା ଗ୍ରାମର ସସ୍ମିତା ସାହୁଙ୍କ ଅତାବିରା କଲେଜରେ ଏବଂ ଅତାବିରା ବସ୍ତି ୬ ନମ୍ବର ୱାର୍ଡର ସସ୍ମିତା ପାଶାୟତ ଓ ରେଙ୍ଗାଲିକେମ୍ପ ଗ୍ରାମର ପ୍ରେମ କୁମ୍ଭାର ଙ୍କ ଗୋଡ଼ଭଗା ସାରସ୍ୱତ କଲେଜରେ ଯୁକ୍ତ ୨ରେ ନାମଲେଖା ଦେୟ ଦେଇ ସହାୟତାର ହାତ ବଢ଼ାଇଥିଲେ ଦୀପକ ରାୟ l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସସ୍ମିତା ପଶାୟତଙ୍କ ବାପା ସ୍ବର୍ଗବାସୀ ହୋଇ ଯାଇଛନ୍ତି l ପ୍ରେମ କୁମ୍ଭାରଙ୍କ ବାପା ଦେବାହାଲରେ ଏକ ଛୋଟ ପାନ ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଛନ୍ତି l ସେହିପରି ସସ୍ମିତା ସାହୁଙ୍କ ମାଆ ବାପା ଉଭୟେ ସ୍ୱାସ୍ଥ୍ୟଗତ କାରଣରୁ ଶଯ୍ୟାଶାୟୀ ଥିବା ବେଳେ ମାମୀ କାଣ୍ଡଙ୍କ ବାପା ମଧ୍ୟ ଅନୁରୂପ ଭାବେ ଶଯ୍ୟାଶାୟୀ ଅଛନ୍ତି l ଏହି ଛାତ୍ରୀଛାତ୍ରମାନେ ଆଗକୁ ପାଠ ପଢ଼ିବା ପାଇଁ ସଂକଳ୍ପ ବଦ୍ଧ ଥିଲେ ହେଲେ ନାମଲେଖାଇବାକୁ ଅର୍ଥ ବାଧକ ସାଜିଥିଲା l ତେବେ କୌଣସିସୂତ୍ରରୁ ଖବର ପାଇ ଦୀପକ ସେମାନଙ୍କ ନାମଲେଖା ଖର୍ଚ୍ଚ ନିଜେ ଉଠାଇବେ ବୋଲି କହି ଗୁରୁବାର ସହାୟତାର ହାତ ବଢ଼ାଇଛନ୍ତି l ଏହି ସମୟରେ ସତୀଶ ଦାଶ, ନିକୁ ପ୍ରଧାନ, ପ୍ରତୀକ ସ୍ୱାଇଁ, ଆଲୋକ ମେହେର, ରୋଶନ ନାୟକ, ସାଗର ପାଣ୍ଡେ, ଜି.ରବି, ଅଂଶୁମାନ ପୋଢ଼, ମହାଭାଞ୍ଜନ ସିଂ ପ୍ରମୁଖ ଉପସ୍ଥିତ ଥିଲେ l
ଦୀପକଙ୍କ ସମାଜସେବା କ୍ଷେତ୍ରରେ ଏଭଳି ଅବଦାନ ରହିବ ବୋଲି ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି କାରଣ ଅଞ୍ଚଳରେ ଅନେକ ବଡ଼ବଡ଼ ଧନୀ ଶ୍ରେଣୀର ବ୍ୟକ୍ତିବିଶେଷ ରହିଥିବାବେଳେ ଗରିବଙ୍କ ସାହାର୍ଯ୍ୟ କରିବାପାଇଁ କେହି ମଧ୍ୟ ଆଗକୁ ଆସିନଥାନ୍ତି। ସେହିସମୟରେ ଅତାବିରାର ଏହି ଯୁବନେତା ଜଣେ ଗରିବ ମେଧାବୀ ଛାତ୍ରଙ୍କୁ ପାଠ ପଢ଼ିବାପାଇଁ ହେଉ ଅବା କେହି ଅସହାୟଙ୍କୁ ଏଭଳି ଆର୍ଥିକ ସହାୟତା ଓ ଏବେ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିବାରୁ ଏବେ ସେ ପୁଣି ଚର୍ଚ୍ଚାରେ ରହିଛନ୍ତି । ଏଭଳି ମହନୀୟତା ପାଇଁ ଦୀପକଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି l